ସ୍ବପ୍ନ ମିଶା ବାସ୍ତବତା
ସ୍ବପ୍ନ ମିଶା ବାସ୍ତବତା
ସମାନ୍ତରାଳ ରେଖାରେ,ସ୍ୱପ୍ନ ଏବଂ ବାସ୍ତବତା
କଳ୍ପନା ମିଶ୍ରିତ ସ୍ଵପ୍ନ, ଭାବ ସୃଜନଶୀଳତା
ସ୍ୱପ୍ନ ବଳୟ ମଧ୍ୟରେ, ଉଙ୍କି ମାରେ ବାସ୍ତବତା
ସ୍ବପ୍ନ ମିଶା ବାସ୍ତବତା, ସୁପ୍ତ ସ୍ଥିତିରେ ସତ୍ୟତା
ହୃଦୟ ଓ ମନ ପ୍ରାୟ, ସର୍ବଦା ତର୍କରେ ରତ
ଅମାନିଆ ମନ କହେ, ସ୍ୱପ୍ନରେ ଅଛି କି ସତ !!
ହୃଦୟ ନିଶ୍ଚିତ ରୂପେ,ସ୍ୱପ୍ନରେ କ୍ରମେ ବିଭୋର
ଦୃଢ଼ତା ଓ ନିଷ୍ଠା ସାଥେ, ଲକ୍ଷ୍ୟ ତା' ସ୍ଵପ୍ନ ସାକାର
ଯୁବା ବୟସରେ ସ୍ଵପ୍ନ,ନବ ଉନ୍ମାଦନା ଧାରେ
ହୃଦେ ଅସରନ୍ତି ଆଶା,କୁହୁଡ଼ି ଭରା ସ୍ୱପ୍ନରେ
ସ୍ଵପ୍ନ ଦୃଶ୍ୟ ମନଲୋଭା,ହଜାଇ ନିଜକୁ ନିଜେ
ଭାବ ବିହ୍ଵଳିତ ପ୍ରାଣ,ନାଚି ଉଠେ ବି ସହଜେ
ସ୍ୱପ୍ନ ସଫଳ ହେବାର,ଭାବ ଯେବେ ହୃଦୟରେ
ବାସ୍ତବତା ପ୍ରତି ଧ୍ୟାନ,ରହେ ସଦା ଭାବନାରେ
ବାସ୍ତବ ରୂପ ଦେବାକୁ,ଆକର୍ଷଣୀୟ ସ୍ୱପ୍ନର
ସର୍ବୋପରି ନିଷ୍ଠା ଭାବ,ଆପ୍ରାଣ ଚେଷ୍ଟା ନିଜର
ନିଜକୁ ହଜାଇ ଯେବେ,ସଦା ସ୍ୱପ୍ନ ଜଗତରେ
ସ୍ୱପ୍ନରେ ହିଁ ହଜି ଯାଏ,ବାସ୍ତବତା ଚିତ୍ର ଧୀରେ
ସ୍ଵପ୍ନ ମିଶ୍ରିତ କଳ୍ପନା,ରଙ୍ଗହୀନ କାନଭାସ
ଲକ୍ଷ୍ୟ ରୂପକ ରଙ୍ଗରେ,ସ୍ୱପ୍ନ ସାକାର ଅବଶ୍ୟ
ନିଦ୍ରିତ ଅବସ୍ଥା ସ୍ୱପ୍ନ ,ସୀମିତ ପ୍ରାୟ ସ୍ୱପ୍ନରେ
କ୍ରମେ ଚେତନ ଅବସ୍ଥା, ସ୍ବପ୍ନ ଯାଏ କାହିଁ ଦୂରେ
ସ୍ୱପ୍ନ ସତ ହେବ କି ନା, ଜିଜ୍ଞାସା ପୁଣି ମନରେ
ସନ୍ଦିହାନ ସ୍ଥିତି କ୍ରମେ, ବିଫଳତା ଆଧାରରେ
ହୃଦେ ସୀମା ହୀନ ସ୍ବପ୍ନ , ବିନା ଅର୍ଥ ବିନିମୟେ
ପରିଧି ବିହୀନ ସ୍ଵପ୍ନ,ହୃଦେ ଆଶା ବି ଜଗାଏ
ବୈଧାନିକ ସତର୍କତା,ଯେଣୁ ନାହିଁ ସ୍ଵପ୍ନ ପ୍ରତି
ବ୍ୟାପାର ତା ସହଜରେ,ବ୍ୟାପକ ବି ତା ରାଜୁତି
ସ୍ୱପ୍ନର ଶେଷ ତାରିଖ, ନାହିଁ କହେ ପ୍ରତିଧ୍ୱନୀ
ଅବଧି ନାହିଁ ସ୍ୱପ୍ନର,କିଏ ବା ଆଦୌ ଜାଣିନି !!!
ସ୍ଵପ୍ନ ଦେଖେ ଏ ମଣିଷ, ଥାଇ ବି ମୃତ୍ୟୁ ଶଯ୍ୟାରେ
ଅତୀତର ସ୍ୱପ୍ନ ସ୍ମୃତି, ନାଚି ଉଠେ ସମ୍ମୁଖରେ
ସ୍ୱପ୍ନର ଡ଼ଙ୍ଗା ସହଜେ, କରିବାକୁ ହେବ ପାର
ହେଉ ଗଭୀର ସେ ନଦୀ,ଅବା ତା' ସ୍ରୋତ ପ୍ରଖର
ସ୍ବପ୍ନ ଦେଖିଥିଲେ ଦିନେ,ଟାଟା, ବିରଳା ,ଅମ୍ବାନୀ
ସ୍ୱପ୍ନ ସାକାର ସହିତ , ବାସ୍ତବତାର କାହାଣୀ
ପଥ ନୂଆ ସ୍ୱପ୍ନ ବଡ଼,ବାଧା ବିଘ୍ନ ସ୍ବାଭାବିକ
ସମୟ ସାପେକ୍ଷ ପୁଣି, ଧୈର୍ଯ୍ୟ ,ନିଷ୍ଠା ଆବଶ୍ୟକ
ନିର୍ଭୀକ ସୈନ୍ୟ ପରାୟ,ସ୍ଵପ୍ନ ସାଇତି ହୃଦରେ
ଲଢ଼ିବାକୁ ହେବ ଯୁଦ୍ଧ,ଜୀବନ ଯାତ୍ରା ପଥରେ
ମୁଦ୍ରିତ ନୟନ ଅବା, ନିଦ୍ରିତ ଅବସ୍ଥା ଧାରେ
ସ୍ୱପ୍ନ ପଥ ସୀମା ହୀନ, ବୁଝି ହୁଏ ସହଜରେ
ସ୍ଵପ୍ନ ଜୀବନ ହିତରେ,ଲକ୍ଷ୍ୟ ହାସଲର ବୀଜ
ପ୍ରାୟତଃ ସ୍ଵପ୍ନର ପଥ, ଭାବନାରେ ହିଁ ସହଜ
ଜୀବନ ସହିତ ସ୍ଵପ୍ନ ,ଅଙ୍ଗାଙ୍ଗୀ ଭାବେ ଜଡ଼ିତ
ସ୍ଵପ୍ନ କୁହୁଡ଼ି ପରାୟ,ଅସ୍ପଷ୍ଟ ଜୀବନ ଚିତ୍ର
ଭାବୁକ ଭାବ ବିହ୍ୱଳ,ସ୍ଵପ୍ନ ମିଶିତ୍ର ଆଶାରେ
ଭାବ ବିହ୍ଵଳିତ କଣ୍ଠେ, ଗୀତ ବି ଗାଏ ଅଚିରେ
ସ୍ବପ୍ନ ପଥେ ପଥିକର , ଭ୍ରମ ବି ସ୍ବପ୍ନ ପରାୟ
ଭ୍ରମରେ ଭ୍ରମି ସହଜେ ,ଜୀବନ ସ୍ଥିତି ଅସହ୍ୟ
ସ୍ଵପ୍ନ ନୁହେଁ ଯାହା ଦୃଶ୍ୟ,ଅବଚେତନ ସ୍ଥିତିରେ
ସ୍ଵପ୍ନ ସାଥେ ବାସ୍ତବତା, ଏ କଥା ରହୁ ହୃଦରେ
ନିଜସ୍ୱ ନିଷ୍ଠା ସହିତ,କଠିନ ପରିଶ୍ରମରେ
ସ୍ବପ୍ନ ମିଶା ବାସ୍ତବତା,ସଫଳ ହୁଏ ଅଚିରେ
ଜୀବନ ସଂଘର୍ଷମୟ,ସ୍ଵପ୍ନ ସହିତ ଜଡ଼ିତ
ସ୍ବପ୍ନ ମିଶା ବାସ୍ତବତା,ଉକ୍ତି ସହଜେ ଯଥାର୍ଥ
