STORYMIRROR

Bidyadhar Mantry

Classics

4  

Bidyadhar Mantry

Classics

ମାଟିର ବନ୍ଧନ 

ମାଟିର ବନ୍ଧନ 

2 mins
3


ମାଆ ମାଟିର ବନ୍ଧନ, ଆଦୌ ନୁହେଁ ଭୁଲିବାର
ସେଇ ପାଣି ପବନରେ ,ଗଢିଛି ଏଇ ଶରୀର
ଅପରୂପ ଶୋଭା ଭରା ,ସେଇ ମୋର ପ୍ରିୟ ଗାଆଁ 
ଜନ୍ମଦାତ୍ରୀ ମୁଖେ ଡାକ,"ଜଟିଆ ତୁ ମୋ ଜଟିଆ"
ନିଜ ପରିଚୟର,ଜନନୀ ସେ ମାଟି ମାଆ
କିଏ କହୁ ବା ନ କହୁ, ମୁଁ କହିବି ତା'କୁ ମାଆ 
ଗାଆଁ ଝାଟିମାଟି ବାସ୍ନା,ରହିଛି ମନ ଭିତରେ
ବିଲ ବଣ ସାଙ୍ଗ ମେଳ ,ପୁଣି ହୃଦୟ ଭିତରେ
ସମ୍ପର୍କ ର ଡୋରି ଦୃଢ଼,ଥିଲା ବି ପରିବାରରେ
ମୁଁ ଓ ମୋର ଅହଙ୍କାର, ନ ଥିଲା ପ୍ରାୟ ମନରେ

ସେଇ ଗାଆଁ ବିଲ ବଣ, ମାଟି ପାଣି ପବନରେ
ଶୈଶବ ଓ ଯୁବାବସ୍ଥା, ବିତିଛି ଅନାୟସରେ
ସେଇ ଜନ୍ମଭୂମି କୋଳେ, ଖେଳିଛି କେତେ ଯେ ଖେଳ
ଗୀତ ତାଳେ ତାଳେ ନାଚ,ପୁଣି ସାଙ୍ଗ ସାଥି ମେଳ
ହସୁ ଥିଲା ଗାଆଁ ଘର,ଦାଣ୍ଡ ଦୁଆରେ ବି ହସ
ବୈକୁଣ୍ଠ ସମାନ ଥିଲା, ଗାଆଁ ଘର ପରିବେଶ

ସେ ଗାଆଁ ମାଟି ସ୍ପର୍ଶରେ,ଜାଗି ଉଠେ ମିଠା ସ୍ମୃତି
କଳେବର ବୃଦ୍ଧି ସତ,କିନ୍ତୁ ନାହିଁ ସେ' ସଂସ୍କୃତି
ସ୍ନେହ ପ୍ରେମ ଆତ୍ମୀୟତା,ନାହିଁ ଆଉ ପୂର୍ବ ପରି
ନାହିଁ ଭାବ ଦିଆ ନିଆ,ସ୍ବାର୍ଥ ଚିନ୍ତା ସର୍ବୋପରି
ନାହିଁ ସେ ନଡ଼ା ଛପର,କୋଠା ଘର ଧାଡ଼ି ଧାଡ଼ି
ଲାଗି ଲାଗି ଥିବା ଘର,ଆଜି କାଲି ଛାଡ଼ି ଛାଡି 
ଗାଆଁ ମୁଣ୍ଡେ ଥିବା ବିଲ , ଚାଷ ବିହୁନେ ପଡିଆ
ଚାଷ ଜମି ପାଖେ ଘର,ଚାଷୀ କ୍ରମେ ଅଳସୁଆ
ଗାଈ ବଳଦ ଗୁହାଳ ,ନାହିଁ ଆଉ ଚିହ୍ନ ବର୍ଣ୍ଣ 
ବିଲ ମାଳେ ଧାନ ଖଳା,ହେଉ ନାହିଁ ଦୃଶ୍ୟମାନ
ମାଟି କାଦୁଅ ରାସ୍ତାରେ,ସେ କାଳ ଶଗଡ଼ ଗାଡ଼ି
କଂକ୍ରିଟ ନିର୍ମିତ ଆଜି,ଯନ୍ତ୍ର ଯାନ ଗୋଡା ଗୋଡ଼ି
ବର ଓହଳ ଝୁଲୁଛି, ଦୋଳି ଖେଳ କିନ୍ତୁ ନାହିଁ 
ରଜ ଦୋଳି ରଜ ପାନ,ସବୁ ଯାଇଛି ଉଭେଇ
ମିଛ ବୋହୂ ବାଲି ଖେଳ,ସେ ଦୃଶ୍ୟ ପ୍ରାୟ ବିରଳ
ବୋହୂ ଚୋରି କବାଡି ର,ନାହିଁ ସେହି କୋଳାହଳ
କାଉ କୁକୁଡ଼ା ଡାକରେ,ଜ୍ଞାତ ହୁଅଇ ସକାଳ 
ପକ୍ଷୀ ଦଳ କଳରବ ,କ୍ରମେ ହୋଇଛି ବିରଳ
ଗରମ ମାଣ୍ଡିଆ ଜାଉ ,ଅବା ସେ ବାସି ପଖାଳ
ଲୋପ ହୋଇ ଅଛି କ୍ରମେ,ରହିଛି ସଜ ପଖାଳ
ଗୋଧୂଳି ଲଗନେ ଧୂଳି,ନାହିଁ ପ୍ରାୟ ଗାଈ ଗୋଠ
ହଳ-ଲଙ୍ଗଳ ବିଲୁପ୍ତ,ଚାଷୀ ବି ନୁହେଁ କର୍ମଠ
ପୋଖରୀ ତୁଠରେ ବୋହୂ,ଖୋଜୁନି ଘଷା ପଥର
ନୂଆ ବୋହୂ ଭିଡ ପୁଣି,ହେଉନି ଦୃଷ୍ଟି ଗୋଚର

ମା ହାତ ରନ୍ଧା ଖାଦ୍ୟ, ସତେ ଯେପରି ଅମୃତ
ବାପାଙ୍କ କଡ଼ା ଶାସନ,ଜୀବନେ ଥିଲା ଜଡ଼ିତ
ମାନବିକତା ର ଛାପ, ଥିଲା ପ୍ରତି ହୃଦୟରେ
ଦୁଃଖ ଅବା ବିପଦରେ ,ଆହା ଅନ୍ୟର ମୁଖରେ
ଅନ୍ଧାର ଆଲୁଅ ସମ, ଦୁଃଖ ସୁଖ ରହି ଥିଲା
ଦିନ ଅବା ରାତି କଣ ,ସ୍ପଷ୍ଟ ଜାଣି ହେଉ ଥିଲା
ଲାଜ ସରମ ପ୍ରାୟତଃ ,ଥିଲା ଘରେ ଓ ବାହାରେ
ଅଳଙ୍କାର ସମ ଥିଲା , ନାରୀମାନଙ୍କ ପକ୍ଷରେ
ଭାଇଚାରା ସମ୍ପର୍କର ସେତୁ ବନ୍ଧ ଥିଲା ଦୃଢ଼
ମାନ୍ୟତା ବି ରହି ଥିଲା ,କିଏ ସାନ ଆଉ ବଡ
ସବୁଠୁ ଥିଲା ନିଆରା , ନିତ୍ୟକର୍ମର ସେ ଧାରା 
ଖୋଲା ପଡିଆ ପୋଖରୀ ,ଥିଲା କେବଳ ସାହାରା
ସଞ୍ଜ ସକାଳେ ସଭିଏଁ , ଆପେ ହେଉଥିଲେ ରୁଣ୍ଡ
କେତେ କାନ କୁହା କଥା ,ପୁଣି କେତେ ପାଟି ତୁଣ୍ଡ
ଆଧୁନିକତାର ଛାପ,ପ୍ରାୟ ରହିଥିଲା ଦୂରେ 
ସୁସ୍ଥ ଥିଲା ପରିବେଶ ,ସମ୍ପର୍କ ନିବିଡତା ର

ଦୃଶ୍ୟ ଯାଇଛି ବଦଳି ,ସେଇ ଘର ଅଗଣାର 
ଜୀବନ୍ତ ଠାକୁର ବିନା,ଶୂନ୍ୟତା ଘର ଭିତର
ଗାଆଁ ରେ ବି ଥିଲା ମାଆ,ହସୁ ଥିଲା ମୋ ହସରେ 
ଥିଲା ବି ପ୍ରିୟ ପ୍ରେମିକା ,ହସୁଥିଲା ଇଶାରା ରେ
ନାହିଁ ମାଆ ଓ ପ୍ରେମିକା,ତଥାପି ହସୁଛି ଗାଆଁ 
ସେଇ ହସ ଭରା ଗାଆଁ,ଯେତେ ଦେଖୁଥିଲେ ନୂଆ *
ଭାବର ଅଭାବ ପ୍ରାୟ,ଭାବ ନାହିଁ ପୂର୍ବ ପରି
ନିଜକୁ ପଚାରେ ନିଜେ,ଆଉ ଆସିବ କି ଫେରି !!
ହୃଦୟବାନ କିଏ ସେ,ଶୁଣିବ ପୁରୁଣା ଗୀତ
କିଏ ବା ଫେରେଇ ଦେବ,ସେଇ ଅଭୁଲା ଅତୀତ

ଅନ୍ତର ରୁ କୋହ ଉଠେ ,ଯେବେ ଦେଖେ ସେଇ ଗାଆଁ
ଶୂନ୍ୟତା ବାତାବରଣ,ପୁଣି ଭାବ ସହରୀଆ 
ଭାବନା ପରିଧି ମଧ୍ୟେ,ସେଇ ମାଟିର ବନ୍ଧନ
ଅଭୁଲା ଅତୀତ ସେଇ, ସ୍ନେହ ପ୍ରେମ ଆକର୍ଷଣ
ବଦଳି ଯାଇଛି ଗାଆଁ,ସ୍ମୃତି ରହିଛି କେବଳ
ଜନ୍ମ ମାଟି ପ୍ରତି ମୋହ ,ରହିଥିବ ଚିରକାଳ
ଯିଏ ଅବା ଯାହା କହୁ,ଜନ୍ମ ମାଟି ମୋର ଗର୍ବ
ଏଇଠି ଜଳୁ ମୋ ଜୁଇ,, ଆତ୍ମା ମୋ ଶାନ୍ତି ଲଭିବ।



Rate this content
Log in

Similar oriya poem from Classics