STORYMIRROR

Sambit Srikumar

Abstract Classics Inspirational

4.5  

Sambit Srikumar

Abstract Classics Inspirational

ଜଗତଜନନୀ

ଜଗତଜନନୀ

3 mins
422



"ଜୟ ଜୟ ଜୟ ମାଆ ଦୁର୍ଗେ ଦୁର୍ଗତି ନାଶିନୀ 

ଶକ୍ତି ସ୍ୱରୂପିଣୀ ମାଆ ତୁମ୍ଭେ ଅଭୟ ଦାୟିନୀ!" 

ସତ ମୁଁ କହୁଛି ତବ ସ୍ତୁତି ଗାନ କରିବାକୁ ମାତେ 

ମନେ ମୋର ଆଉ ନାହିଁ ତିଳେ ମାତ୍ର ଭକ୍ତି 

ଜାଣିଛ ତ ତୁମେ ମାଆ ଏଠି ଚାଲିଛି କିପରି 

ଭଳିକି ଭଳି ଦୁଃସହ୍ଯ ଦୁରାଚାର ବିପତ୍ତି

ବାରେ କୁହ ଭଲା ଶାନ୍ତିରେ ଜୀଇଁବି କେମିତି?? 


ସତ କହୁଛି ବୋଲି ମାଆ ତୁମ୍ଭେ କରିବନି ରୋଷ 

ମୁଢମତି ଅଧମ ବାଳକ ମୁହିଁ ଧରିବନି ମୋର ଦୋଷ 

ତୁମେ ହିଁ ତ ଜଗଦମ୍ବା ଜଗତଜନନୀ ଜଗତ ରକ୍ଷଣୀ 

ସତ୍ଯ ଧର୍ମ ନ୍ଯାୟ ପୂଣ୍ୟ ତ୍ଯାଗ ତିତିକ୍ଷାର ଦିଗବାରେଣି 

ତୁମେ ହିଁ ତ ଆଦ୍ୟାଶକ୍ତି ଶ୍ରୀପୁରୁଷୋତ୍ତମଙ୍କ ଆରାଧ୍ୟା 

ତ୍ରିପୁର ବିଜୟିନୀ ମାଆ ତ୍ରିକାଳ ପୂଜିତା ତ୍ରିଯୁଗ ବନ୍ଦିତା 

ବିଶ୍ବବ୍ରହ୍ମାଣ୍ଡରେ କୀଟ ଠୁଁ ବ୍ରହ୍ମ ସକଳ ଜୀବଙ୍କର ମାତା!! 


ଜଗତ କଲ୍ୟାଣ ପାଇଁ ଯୁଗେଯୁଗେ ଆସ ତୁମ୍ଭେ ଅବତରୀ 

ଅମରାବତୀରୁ ଶୁଣି ତୁମ୍ଭ ଶରଣାଗତର ଆର୍ତ୍ତ ବାଣୀ 

କରିବାକୁ ତା'ର ପରିତ୍ରାଣ ଆପଣାର ଭୂଜା ବିସ୍ତାରି 

ଆଜି ତୁମ୍ଭ ସୃଷ୍ଟିକୁ ଗ୍ରାସିଛି ରାହୁ ଓ କେତୁଙ୍କ ଗ୍ରହଣ 

ଦୟା ବହି ମାତେ କର ଏହାର ତ୍ବରିତ ନିବାରଣ 

ତୁମ୍ଭ ପାଦପଦ୍ମେ ମାଆ ମୋ ପରାଣ ସଦା ଥାଉ ଋଣୀ 

ଆଜି ଏ ଜଗତ ଉଦ୍ଧାର ପାଇଁ ମୁହିଁ କରଇ ମାଗୁଣି!! 


ଫି ସାଲ ତୁମେ ଆସିବ ବୋଲି ଏ ଧରଣୀ ପୃଷ୍ଠକୁ 

ତୁମ ଆବାହନ ଷୋଡ଼ଶ ଉପଚାର ଆରାଧନା ପାଇଁକି 

ଆମର ଏଠି ନାନା ରକମର ଆୟୋଜନ ଆଡମ୍ବର 

ମୃଣ୍ମୟୀ ପିତୁଳା ତୁମ୍ଭର ପୂଜା ପାଏ ବର୍ଣ୍ଣାଢ୍ଯ ମଣ୍ଡପରେ 

ସୁନାଚାନ୍ଦି ହେଉ ଅବା ଜରି ଶୋଲ ମେଢ଼ର ବର୍ଣ୍ଣାଳୀରେ 

ବୃଦ୍ଧା ମାଆ ଆମର ଲୁହ ଗଡ଼ାଏ ଅପନ୍ତରା ଜରାଶ୍ରମରେ 

ଅସହାୟ ହୋଇ ଅନାହାର ଅପମୃତ୍ୟୁର ଅପେକ୍ଷାରେ!! 


ରାଜରାଜେଶ୍ଵରୀ ମାଆ ତୁମ୍ଭେ ପୂଜା ପାଅ ଜାକଜମକରେ 

ଉଜ୍ଜ୍ବଳ ଆଲୋକର ରୋଷଣୀରେ ଆତସବାଜିରେ 

ବଡପଣ୍ଡାଙ୍କ ରାବଣ ଦହନ ବିଜୟଶ୍ରୀର ଉଲ୍ଲାସରେ 

ଛାମୁଆ ସାହି ମୁରବୀଙ୍କ ପତିଆରା ପ୍ରଦର୍ଶନରେ 

ଉଶୃଙ୍ଖଳ ଯୌବନର ଉଦଣ୍ଡ ଦାଣ୍ଡିଆ ନୃତ୍ୟରେ 

ମୁକ ପଶୁପକ୍ଷୀଙ୍କ ତାଜା ତଟକା ଲହୁର ବନ୍ଯାରେ 

କେଉଁଠି ଜନ୍ତାଳରେ ତ ଆଉ କେଉଁଠି ଆଖିର ଲୁହରେ!! 


କୁମାରୀ ପୂଜା ନାରୀର ସମ୍ମାନ ତ ଏଠି ମାତ୍ର ସ୍ଲୋଗାନ୍ 

କେତେ ଯେ ଶିଶୁ କନ୍ୟା ମାତୃଗର୍ଭ ଅନ୍ଧକୂପରେ ବିଲୀନ 

କେତେ ଯେ କୁମାରୀ ଝରିପଡନ୍ତି ବାଟେଘାଟେ ଅକାଳରେ 

ଆଉ କେତେ ଯେ ନାରୀ ଉତ୍ପୀଡିତା ତାହାଙ୍କ ଜୀବନରେ 

ସେସବୁର ହିସାବ ତ ନାହିଁ ଆମ କାହାରି ପାଖରେ 

ତଥାପି ସଭିଏଁ ଆହ୍ଲାଦରେ ତୁମ୍ଭର ଆବାହନୀ ପାଇଁ ତତ୍ପର 

ତୁମେ ହିଁ

ତ ନାଶ କରିବ ଦୁଃଖ କଷ୍ଟ ଦୈନ୍ୟ ଜଗତର!! 


ଦିନେ ଏକଇ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ 

ଧରିତ୍ରୀ ମାତାଙ୍କ ଉଦ୍ଧାର ପାଇଁକି ହୋଇଥିଲ ଅବତୀର୍ଣ୍ଣ 

ତୁମେ ଧରାଧାମେ ଆପଣାର ହସ୍ତେ ଧରି ନାନାଦି ଆୟୁଧ 

ଶଙ୍ଖ ଚକ୍ର ଗଦା ବଜ୍ର ଖଡ୍ଗ ଖର୍ପର ତ୍ରିଶୂଳ ନାଗପାଶ 

ପାପିଷ୍ଠ ମାୟାବୀ ମହିଷାସୁରର ତୁମେ କରିଥିଲ ବଧ 

ନାଶିଥିଲ ତାହାର ଯାବତୀୟ ଦୁଷ୍କୃତି ପାପାଚାର

ସଂସ୍ଥାପନା କରିଥିଲ ରାଜ୍ୟ ସତ୍ଯର ଧର୍ମର ନ୍ଯାୟର!! 


ଆଜି ଶତ ସହସ୍ର ସର୍ବଗ୍ରାସୀ ବଳିଷ୍ଠ ସ୍ବେଚ୍ଛାଚାରୀ 

ମହିଷାସୁରଙ୍କ ଅତ୍ୟାଚାରରେ କମ୍ପି ଉଠୁଛି ମେଦିନୀ

ମାନବତାର ହତ୍ଯା ପାଇଁ କେତେ ଅସ୍ତ୍ର କେତେ ଶସ୍ତ୍ର 

ଏଇ ଭୂମଣ୍ଡଳେ ହୋଇଛି ଅତି ଯତ୍ନପୂର୍ବକ ପ୍ରସ୍ତୁତ 

ଆଣବିକ ଜୈବିକ ରାସାୟନିକ ମାରଣାସ୍ତ୍ରର ଭଣ୍ଡାର 

ବଢୁଛି ତାହାର ବହୁଳ ବ୍ୟବହାର ଜୀବଜଗତ ଥରହର

ପ୍ରାଣଘାତର ଭୟରେ ଏଠି ତୁଣ୍ଡ ଖୋଲୁନି କାହାର!! 


ମୌଳିକବାଦର ବିଦ୍ବେଷ ଧର୍ମାନ୍ଧତାର ଜହରରେ 

ଜର୍ଜରିତ ଆଜି କେତେ ଦେଶ ଓ ଜାତିର ଭୂଗୋଳ

ଭାଇ ସାଜୁଛି ହତ୍ଯାକାରୀ ଏଠି ବନ୍ଧୁ ଯେ ବଇରୀ

ଫିକାଫିକା ଲାଗୁଛି ସମ୍ପର୍କ ରକ୍ତର ସ୍ନେହର ପ୍ରୀତିର 

ଜହ୍ଲାଦ କରୁଛି ଅଟ୍ଟହାସ୍ୟ ମଣିଷପଣିଆ ନାଚାର 

ପର୍ଦ୍ଦା ଆଢୁଆଳରେ ବନ୍ଦିନୀ ଆଜି ବି ଅର୍ଦ୍ଧାଧିକ ନାରୀ 

ମଧ୍ଯଯୁଗୀୟ କ୍ରୁର ବର୍ବରତା ଆସିଛି ସତେ କି ଫେରି!! 


ଅସହିଷ୍ଣୁତା ଅସମାନତାରେ ବିଲୁପ୍ତ ମାନବିକତା

ଆଉ କେହି ଗାଉନି ଶାନ୍ତି ମୈତ୍ରୀ ପ୍ରୀତିର ସଙ୍ଗୀତ 

ଶୁଭୁନି 'ବସୁଧୈବ କୁଟୁମ୍ବକମ୍' ବୀଜ ମନ୍ତ୍ର 

ଚାରିଆଡ଼େ ଅବିଶ୍ଵାସ କଟ୍ଟରବାଦର ଘୂର୍ଣ୍ଣିବଳୟ 

ରହି ରହି ଶୁଭୁଛି ଯୁଦ୍ଧଂଦେହିର ବିକଟ କୁହାଟ 

ଗର୍ଜୁଛି ଗୁଳି ଗୋଳା ତୋପ କମାଣ ବନ୍ଧୁକ

ସନ୍ତ୍ରାସବାଦର ସନ୍ତ୍ରାସରେ ମହୀମଣ୍ଡଳ ସନ୍ତ୍ରସ୍ତ!! 


ଆଜି ଆଉ ଆକାଶରୁ ବର୍ଷୁନି ସୁଶୀତଳ ବାରିଧାରା 

ପରଶ୍ରୀକାତରତାର ବହ୍ନିରେ ଜଳୁଛି ସସାଗରାଧରା 

ବହୁ ନାହିଁ ପ୍ରୀତିମୟ ମୃଦୁ ମୃଦୁ ମନ୍ଦ ମଳୟ ପବନ 

ବାସୁ ନାହିଁ ଆଗପରି ଭାତୃତ୍ବ ବୋଧର ଅଗୁର ଚନ୍ଦନ 

ଭାରତବର୍ଷ ମଧ୍ୟପ୍ରାଚ୍ୟ ଅବା ସୂଦୂର ପାଶ୍ଚାତ୍ଯ ଜଗତ 

ସବୁଠି ଅସୂୟା ଉତ୍ତେଜନା ହିଂସାର ଅଖଣ୍ଡ ରାଜତ୍ବ

ବିଚରା ନୀରିହ ଜୀବନ ଏଠାରେ ଜୀଇଁବ କେମନ୍ତ?? 


ହେ ମାଆ ଜଗତଜନନୀ!

ଫୁଟିଲାଣି କାଶତଣ୍ଡୀ ଆମ ଗାଁର ନଈପଠାରେ

ପ୍ରକୃତିରାଣୀ ସଜେଇ ହେଲାଣି ବଡ଼ ସରାଗରେ

ଆସ ମାଆ ଅବତରୀ ଶରତର ପାବନ ବେଳାରେ

ନାଶିବାକୁ ଆମ ଧରାପୃଷ୍ଠରେ କଳିର କଳୁଷ 

ହରି ନେବାକୁ ସକଳ ମନରୁ ଶୋକ ଓ ସନ୍ତାପ

ପୋଛି ଦେବାକୁ ଜୀବାତ୍ମା ଆଖିରୁ ଉଷ୍ମ ଲୋତକ

ଭରି ଦେବାକୁ ସବୁରି ମୁଖରେ ଶାଶ୍ୱତ ହରଷ!!


Rate this content
Log in

Similar oriya poem from Abstract