STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ଇଚ୍ଛାମୟ

ଇଚ୍ଛାମୟ

1 min
19

"ତୁମ୍ଭ ଇଛା ପୂର୍ଣ୍ଣ ହେଉ ଆହେ ମହାବାହୁ!"

ଏଇ ଉକ୍ତିଟିକୁ ଶୁଆ ପରି ରଟୁଥାଏ 

ସିନା ମୁହିଁ ଅହରହ ଅନବରତ 

ଚେତନ ଅବା ଅବଚେତନରେ 

ସତରେ କଣ ତୁମ୍ଭ ଇଛାନୁଯାୟୀ

ମୁଁ ହୁଏ ପ୍ରତିକ୍ଷଣ ପରିଚାଳିତ? 

ନା ମୁଁ ତୁମ୍ଭ ପାଶେ ସର୍ବୋତ ଭାବେ 

ପୂର୍ଣ୍ଣ ପ୍ରାଣେ ଶୁଦ୍ଧାନ୍ତକରଣରେ 

କାୟମନୋବାକ୍ଯରେ ଆଶ୍ରିତ ସମର୍ପିତ?


ମୋର ଆଶା ଆକାଂକ୍ଷା କଳ୍ପନା ବିଳାସରେ 

ମୁଁ ଗଢୁଥାଏ ନଭଶ୍ଚୁମ୍ବୀ ଇମରାତ ସ୍ବପ୍ନ ବିଭୋର ହୋଇ 

ମଦମତ୍ତ ହୁଏ କାମିନୀ କାଞ୍ଚନର ଅଳିକ ମୋହରେ 

ପ୍ରମତ୍ତ ହୁଏ ପ୍ରଭୁତ୍ବ ପ୍ରତିପତ୍ତି ପ୍ରାଚୁର୍ଯ୍ୟ ମାତ୍ସର୍ଯ୍ଯ ପ୍ରଭାବରେ 

ମୁଁ ଜୀଏଁ ମୋ ନିଜସ୍ବ ଶୈଳୀରେ ସ୍ବେଚ୍ଛାରେ ସ୍ବାଛନ୍ଦ୍ୟରେ 

ଆବିଳତାରେ ପରିପୂର୍ଣ୍ଣ ମୋର ମନ ଓ ଚୈତନ୍ୟ 

"ମୁଁ"କାରର ଅହଙ୍କାର ମୋ ପାଇଁ ଅଗୁର ଚନ୍ଦନ

ହେଳାରେ ଭୁଲିଯାଏ ଜୀବନର ଲକ୍ଷ୍ଯ ସ୍ବର୍ଗୀୟ ଆହ୍ବାନ। 


ଜୀବନର ସଫଳତା ପାଇଁ ଦିଏ ଶ୍ରେୟ ଆପଣାକୁ

ଆତ୍ମବଡିମା ଆତ୍ମଶ୍ଲାଘାରେ କରୁଥାଏ ଉଦଣ୍ଡ ନୃତ୍ୟ 

ଧରାକୁ ମଣେ ସରା ପରି ଅପରିମିତ ଗର୍ବରେ 

ମାତ୍ର ବିଫଳତା ପାଇଁ ନିନ୍ଦେ ତୁମକୁ ତୁଛାରେ

ଆଜନ୍ମରୁ ମହାପ୍ରଭୁ ତୁମ ପ୍ରତି ମୋର 

ଏଇ ଅଭିଯୋଗ ଅଭିମାନ ଆରୋପର ପର୍ବ 

ରହିଛି ଜାରି ଆଉ ରହିଥିବ ଆମୃତ୍ୟୁ 

ଇଛା ମୋର ହାର ମାନେ ତୁମ ଇଛା ପାଖରେ। 


ତୁମେ ହିଁ ତ ସୃଷ୍ଟିର ଆଦି ପୁଣି ତା'ର ଅନ୍ତ

ତୁମେ ସୂକ୍ଷ୍ମ ପୁଣି ତୁମେ ବିଶାଳ ଅନନ୍ତ

ତୁମ୍ଭ ବେନି ଚଷୁ ଅଟନ୍ତି ସୂର୍ଯ୍ୟ ଚନ୍ଦ୍ର

ତୁମେ ହିଁ ସର୍ବଶକ୍ତିମାନ ସକଳ ଶକ୍ତିର ଉତ୍ସ

ତୁମ୍ଭ ଇଛା ବିନା ଗତି ମୁକ୍ତି ନାହିଁ 

ତୁମ୍ଭ ବିନା ଏଇ ସଂସାରର ସ୍ଥିତି ନାହିଁ 

ତୁମ ଇଛାରେ ହିଁ ଏଇ ବିଶ୍ବ ବ୍ରହ୍ମାଣ୍ଡର

କୀଟ ଠାରୁ ବ୍ରହ୍ମ ଯାଏଁ ସଭିଏଁ ଆତଯାତ

ମୁଁ ତ ନୁହଁଇ ଏଇ ଧାରାରୁ ବ୍ଯତିକ୍ରମଟିଏ 

ତଥାପି ଆବିଳତାରେ ଗୁଢ଼ ତତ୍ତ୍ବ ହୁଅଇ ବିସ୍ମର। 


ଜାଣେ ମୋ ଇଛା, ତୁମ ଇଛା ନୁହେଁ 

ମୋ ଇଛାର ତୁମ ଇଛା ସହ କଳନା ବି ନାହିଁ 

କିନ୍ତୁ ତୁମ ଇଛା ନାମର ସାହାରାରେ 

ମୋ ଇଛାକୁ ଚରିତାର୍ଥ କରିବାକୁ 

ମୁହିଁ କରୁଥାଏ ନାନା ପ୍ରବଞ୍ଚନା କେତେ ପ୍ରତାରଣା 

ତାହା ତ ତୁମକୁ ହିଁ ମହାପ୍ରଭୁ ଏକା ଜଣା 

ତଥାପି ପ୍ରବୃତ୍ତିଗତ ଆସକ୍ତିରେ ଆବଦ୍ଧ ମୁହିଁ ମୁଢମତି 

ଏଥିରୁ ନାହିଁ ମୋହର ତିଳେ ବି ନିବୃତ୍ତି। 



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract