STORYMIRROR

Bikesh Sahu

Abstract Others

5.0  

Bikesh Sahu

Abstract Others

ମାଟି କାନ୍ଥ

ମାଟି କାନ୍ଥ

1 min
590


ଏ ତ ସେଇ ମାଟି କାନ୍ଥ

ଯେଉଁଠି ଖୁସିରେ

ପରସ୍ତେ ନୂଆ ଲାଲ ମାଟିର

ରଙ୍ଗ ଚଢୁଥିଲା

ଆଉ ଦୁଃଖରେ

ମୋ ବାପାଙ୍କ ନୁଖୁରା ମୁଣ୍ଡର

ଛିଟାଏ ତେଲ ଛିଟା ।

ଯା’ ଆଗରେ

ହାର ମାନୁଥିଲା ଝଡ ତୋଫାନ

ହାର ମାନୁଥିଲା ଶୀତ ଗରମ

ଆଉ

ସେ ଛିଡା ହୋଇଥିଲା ସେମିତି

ତା’ ନିଦା ଛାତିଟାକୁ ମେଲେଇ ଦେଇ

ଶ୍ରାବଣର ବର୍ଷାରେ

ମାଘର ହାଡଭଙ୍ଗା ଶୀତରେ

ବୈଶାଖର କାଳ ବୈଶାଖୀରେ

ଆମ ଘର ଛପରଟାକୁ ତା’ କାନ୍ଧରେ କାନ୍ଧେଇ

ସବୁ ଦିନ ସବୁ ରାତି ।

ମୋ ବାପା ପାଇଁ

ସେ ଥିଲା ଅଦମ୍ୟ ସାହସ

ଯିଏ ଦୁଃଖରେ କୋଳେଇ ନେଇ

ଆଲିଙ୍ଗନ କରୁଥିଲା

ଶାନ୍ତ୍ବନା ଦେଇ ଟାଣି ନଉଥିଲା

ବାପାଙ୍କ ଦୁଃଚିନ୍ତା ଆଉ ରାତି ରାତିର ଅନିଦ୍ରା

ତା ମସୃଣ ସାହସୀ ଛାତିକି ।

ମୋ ବୋଉ ପାଇଁ

ସେ ଥିଲା ଚିତ୍ରଶାଳା

ଯେଉଁଠି ପ୍ରତି ମଗୁଶିର ଗୁରୁବାରେ

ଚିତ୍ରିତ ହେଉଥିଲା ତା’ ନୁଖୁରା ହାତରେ

କେତେ ଯେ ଝୋଟି ଆଉ ଚିତା ।

ମୋ ଭଉଣୀ ପାଇଁ

ସେ ଥିଲା ଚଗଲି ଚତୁରୀ ସଖୀଟେ

ଠିକ ରାଧାଙ୍କ ଲଳିତା ପରି

ଯା’ ଉପରେ ମୁଣ୍ଡ ରଖି

ସେ କହିଯାଉଥିଲା

ତା’ ସ୍ଵପ୍ନର ରାଜକୁମାର କଥା ।

ଆଉ ମୋ ପାଇଁ

ସେ ତ ଗୋଟେ ସ୍ମୃତିଶାଳା

ମୋ ଚଗଲା ପିଲା ଦିନର

ଯେଉଁଠି ପ୍ରଥମେ ମୁଁ ହାତ ଥାପି

ଉଠିବା ଶିଖିଥିଲି

ଖଣ୍ଡି ଖଣ୍ଡି ଚାଲି ଥିଲି

ପୁଣି କେତେ ଯେ ପଡିଥିଲି

ଚକ୍ ଖଡି ଧରି ପ୍ରଥମ ଖଡି ଛୁଇଁଥିଲି

ମନ ଇଚ୍ଛା କେତେ ଯେ ଗାରେଇଥିଲି

ତା’ ,ମସୃଣ ଛାତିରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract