STORYMIRROR

Bikesh Sahu

Abstract

3  

Bikesh Sahu

Abstract

ଲିଭି ଆସୁଥିବା ଲଣ୍ଠନ

ଲିଭି ଆସୁଥିବା ଲଣ୍ଠନ

1 min
11.3K

ସବୁଦିନ ରାତିରେ ବାପାଙ୍କ ଶୋଇବା ଘରୁ

ଶୁଭେ ତାଙ୍କ ଶୁଖିଲା କାଶ

ଧଇଁସଇଁ ଛାତିର ନିଶ୍ୱାସ

ତା' ସାଙ୍ଗରେ ମୋ ବୋଉର ଗୁଣୁଗୁଣୁ ଶବ୍ଦ 

ଅସ୍ପଷ୍ଟ କଙ୍କଣର ସ୍ୱର ।


ଯେବେ ଏକାନ୍ତରେ ଯାଇ ଦେଖେ 

ବାପା ତାଙ୍କ ନିତିଦିନିଆ 

ରଫୁ ହେଇଥିବା ଜାମାଟାକୁ

ଟାଙ୍ଗି ଦେଇ କାନ୍ଥରେ

ଖଟ ଉପରେ ବସି ହିସାବ କରୁଥାନ୍ତି

ଶରୀରରୁ ନିଗାଡିଥିବା ବିନ୍ଦୁ ବିନ୍ଦୁ ଲହୁ 

ବଦଳରେ ମିଳିଥିବା ପାରିଶ୍ରମିକ


ଯାହା ଉପରେ ନିର୍ଭର କରେ

ଚାରି ପ୍ରାଣୀ କୁଟୁମ୍ବଙ୍କ ପେଟ


ଯେଉଁଠୁ କିଛି ସଞ୍ଚୟ ହେବ

ଭଉଣୀ ବାହାଘର ଆଉ ପୁଅର ପାଠ ପଢା ପାଇଁ

ଆଷାଢ଼ ପୂର୍ବରୁ 

ଫୋନିରେ ଉଜୁଡ଼ି ଯାଇଥିବା

 ଛପରଟାକୁ ସଲଖିବା ପାଇଁ

ଆଉ ବାକି ଯାହା ବଳିବ

ସେଇଥିରେ ମୋ ବୋଉର ଚୁଲି ଜଳିବ 

ଘରକୁ ପରିବା ଆସିବ

ବୋଉର ତେଲ, ଲୁଣର ବରାଦରେ

ପୂର୍ଣ୍ଣଛେଦ ପଡିବ  ।


ହେଲେ ବୋଉ, ସେ ତ ଲାଗିଥାଏ ତା ଚିରା 

କାନିଟାକୁ ସିଲେଇ କରିବାରେ,


ଲଣ୍ଠନର ମିଞ୍ଜିମିଞ୍ଜି ଆଲୁଅରେ

ଲଣ୍ଠନ ପରି ସେ ନିଜକୁ ଜାଳୁଥାଏ 

ରାତିର ସେଇ ନିର୍ଜନ ପ୍ରହରେ ।


ଶେଷକୁ ରାତିଟା ବଢି ବଢି ଚାଲେ

ଆଉ ବାପାଙ୍କ କାଶ ଧିମେଇବାରେ ଲାଗେ

ଲଣ୍ଠନଟା ବି ଲିଭି ଲିଭି ଆସେ

ଆଉ ବୋଉ, ବାପାଙ୍କ ଗୋଡ଼ ପାଖେ ବସି

ବାପାଙ୍କ ଗୋଡ଼ ମୋଡୁ ମୋଡୁ

ଆମ ସୁଖ, ଶାନ୍ତି ପାଇଁ

ଲାଗିପଡ଼େ ନିରବ ପାର୍ଥନାରେ ।


ଏମିତିରେ କେତେବେଳେ ଯେ ବୋଉ ଶୋଇ ପଡେ 

ସେ ତ ଆଜି ବି ମୋ ରହସ୍ୟ ଘେରରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract