STORYMIRROR

Narayan chandra Senapati

Abstract Others

3  

Narayan chandra Senapati

Abstract Others

ବିଦୀର୍ଣ୍ଣ ପୃଥିବୀ

ବିଦୀର୍ଣ୍ଣ ପୃଥିବୀ

1 min
256

ହେ ଧରା, ଧରିତ୍ରୀ, ବସୁଧା, ବସୁନ୍ଧରା

ତୁମେ ପରା ସକଳ ଜୀବଙ୍କର ଯଶୋମତୀ ମା,

ଜନ୍ମକଲା ଦେବକୀ ମାନେ 

ଜନ୍ମକରି ଅର୍ପଣ କରନ୍ତି ଶାବକଙ୍କୁ 

ଯେବେ ତୁମ ଅନୁପମ କୋଳକୁ,

ଆଦରିବି କୋଳେଇ ନିଅ ହସି ହସି

କରିବାକୁ ଲାଳନ ପାଳନ ଯତ୍ନ ଓ ସୁରକ୍ଷା ।

କ'ଣ ବା ନାହିଁ ତୁମ ଅମାରରେ ?

ଖାଦ୍ୟ,ବସ୍ତ୍ର,ବାସଗୃହର ଅପୂର୍ବ ସମ୍ଭାର,

ଦେଲ ଝରଣାର ଜଳ ଶିଖାଇଲ ମଧୁରତା,

ସ୍ନାନ କରାଇ ପୁଣ୍ୟତୋୟାରେ ଭରିଦେଲ ପବିତ୍ରତା

ବୁଢା ପାହାଡ଼କୁ ଆଙ୍ଗୁଠି ଦେଖାଇ କହିଲ

ଶିଖ୍ ରେ ଧନ ତୋ ଜେଜେଠାରୁ-

ଧୈର୍ଯ୍ୟ,ଦୃଢ଼,ଆଉ ସହନଶୀଳତା

ଏଇ ଦେଖ୍ଏ ପରା ନୀଳ ସାଗର

ତୁ ହେବୁ ତା ପରି କୃତଜ୍ଞ,

ଆଉ ନିଜକୁ ତିଳ ତିଳ ଦଗ୍ଧକରି

ଶିଖାଇଲ ଆମକୁ ତ୍ୟାଗ ଓ ବାତ୍ସଲ୍ୟମମତା ।

ବୋଧ କରିବାକୁ ଯାଇ, ଆକାଶକୁ ଦେଖାଇ କହୁଥିଲ

ଏଇ ଦେଖ୍, ତୋ ପରି ଚନ୍ଦ୍ରମା

ଚିକ୍ ଚିକ୍ ତାରାମାନେ କେମିତି ଖେଳୁଛନ୍ତି ଲୁଚକାଳି ଖେଳ,

କି ସ୍ଵଛ କି ନିର୍ମଳ କି ପଵିତ୍ର

ଏମିତି ହେବୁରେ ଧନ,

ପବନର ବିଞ୍ଚଣାରେ ବିଞ୍ଚି ବିଞ୍ଚି ଶିଖାଇଲ ଚନ୍ଦନ ପରଶ ଓ ସାମ୍ୟବାଦ,

ଆଉ ଆଞ୍ଜୁଳାଏ ପାଣି ସୂର୍ଯ୍ୟକୁ ଟେକି କହୁଥିଲ

ୟା' ପରି ଜଳିଜଳି ଅନ୍ୟକୁ ଆଲୋକ ଦେବୁରେ ଧନ,

ତା ପରି ନ ରଖି ବାଛ ବିଚାର

ଶୋଷିବୁରେ ସଭିଠୁଁ ସୁଗୁଣ ସକଳ ।

ଚଢେଇକୁ ଦେଖେଇ ଶିଖାଇଲ ଆଳସ୍ୟ ନିବାରଣ,

କହୁଥିଲ, ଏଇ ଦେଖ୍ ଏଇ ଟିକି ପିପିଲିକାକୁ,

ଶିଖ୍ ତା ଠାରୁ ଶୃଙ୍ଖଳା ଓ କର୍ମଠତା,

ପ୍ରକୃତିରେ ବୁଲାଇ ବୁଲାଇ କହୁଥିଲ- ଶିଖ୍

ଏ ପରା ଗୁରୁ ଦ୍ରୋଣ, ପର୍ଶୁରାମ, ସନ୍ଦିପନୀ,

ଶିକ୍ଷାର ଅସୀମ ଗନ୍ତାଘର,

ତୁମ ପ୍ରେମବୋଳା ମାଧ୍ୟାକର୍ଷଣରେ

ମୋ ପାଇଁ ଲୁଚେଇ ଆଣୁଥିଲ ସରଗର ପାରିଜାତ,

ହେଲେ ହେ ମହୀ, ମହୀୟାନ ବିଦୀର୍ଣ୍ଣ ପୃଥିବୀ;

ଆଜି ଏ ସ୍ଵନକ୍ଷତ୍ର ଦିବସରେ

କାହିଁକି ଝରାଅ ଲୁହ

ଦେଖି କ'ଣ ପ୍ରକୃତିର କରାଳ ଖୀନ ଭିନ ରୂପ?

ଭୂକମ୍ପ, ବନ୍ୟା-ବାତ୍ୟା, ମରୁଡି, ଅଂଶୁଘାତ,

ଆଉ ଦୂର୍ଗନ୍ଧ ମାଟି ଜଳ ବାୟୁ ତିକ୍ତ ଓ ଦୂଷିତ,

ଆଉ ଦେଖି

 ଆମ ଏ ରୋଗାକ୍ରାନ୍ତ ଦେହ ମନ ଓ ଆତ୍ମାର ବିଭତ୍ସ ରୂପ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract