ଏକ ଦୃଶ୍ୟ
ଏକ ଦୃଶ୍ୟ
ସୂରୁଯ ଉଇଁଲେ ପ୍ରଭାତଟା ହସେ
ବୁଡିଲେ ଆସଇ ସନ୍ଧ୍ୟା
ସାଗର କୁଳର ଦୃଶ୍ୟଟା ନିଆରା
ସତେ ଅବା ପ୍ରୀତିନନ୍ଦା।
କଅଁଳ କିରଣ ନୀଳ ଜଳେ ପଡି
ଝଟକେ ପୋହଳା ପ୍ରାୟ
କୂଳେ ଠିଆ ଯାତ୍ରୀ ମାରୁଥାନ୍ତି ମଜା
ହୃଦୟ କରି ଅଥୟ।
ସଅଳ ସଅଳ ଶଯ୍ୟାତ୍ୟାଗ କରି
ଯୋଗାସନେ ଦେଇ ମନ
କିଏ ବା କରଇ ସୂର୍ଯ୍ୟ ନମସ୍କାର
ଶ୍ରଦ୍ଧା ଯତ୍ନେ ଦେଇ ଧ୍ୟାନ।
ସୂରୁଯ କିରଣ ଜଳେ ପଡି ଗଢେ
କି ସୁନ୍ଦର ପ୍ରତିବିମ୍ବ
ସେ ପ୍ରତିବିମ୍ବକୁ ଦେଖି ଭକ୍ତି ପ୍ରେମ
ହୃଦୟେ ହୁଏ ଆରମ୍ଭ।
ସୁଶୀତଳ ବାୟୁ ଜଳ ଛୁଇଁ ଛୁଇଁ
ଛୁଏଁ ଯେବେ ସର୍ବ ତନୁ
ତା ସହ ପ୍ରଣୟ ପ୍ରୀତି ଢାଳିଦିଏ
କୋମଳ କିରଣେ ଭାନୁ।
ଶୁଦ୍ଧ ବାୟୁ ଯେବେ ପ୍ରଶ୍ବାସରେ ପଶେ
ଦୂଷିତ ହୁଏ ବର୍ଜନ
ଭିତର ଅଙ୍ଗରେ ବାୟୁର ସ୍ପର୍ଶରେ
ସୁସ୍ଥତା ଦେଖେ ସପନ।
ହାତ ଟେକି ଯେବେ ଭକତି ପ୍ରେମରେ
କରୁଥାନ୍ତି ଆରାଧନା
ଅନ୍ତକରଣ ଶୁଦ୍ଧ ପୂତ ହୋଇ
ଜାଗେ ପବିତ୍ର ଭାବନା।
ଯୋଗ ପ୍ରାଣାୟାମ ବ୍ୟାୟାମ୍ ଯୋଗ ଯେତେ
କରେ ସୁସ୍ଥ ଓ ନୀରୋଗ
ମନ ହୃଦ ଆତ୍ମା କରି ଶୁଦ୍ଧ ପୂତ
କର୍ମେ ଭରେ ମନଯୋଗ।
ସନ୍ଧ୍ୟା ସମୟରେ ପୁନଃ ସ୍ନାନ କରେ
ସୂରୁଯଙ୍କୁ ଖୋଜି ଖୋଜି
ସର୍ବାଙ୍ଗ ଶରୀର ଅନ୍ତଃ ପୂତ ହୁଏ
ମୁଗ୍ଧେ ଆଖି ହୁଏ ବୁଜି।
ସାଗର ସୁନୀଳ ଜଳରାଶି ସହ
ରବିଙ୍କ ଶୁଦ୍ଧ ସଙ୍ଗମ
ଜନଙ୍କ ଆତ୍ମାରେ ବିଜେ ପରମାତ୍ମା
କି ଅପୂର୍ବ ମନୋରମ।
ଏଭଳି ଦୃଶ୍ୟକୁ ଦେଖେ ଯେଉଁ ନେତ୍ର
ଅଚିରେ ହୁଏ ପବିତ୍ର
କେତେ ଶିକ୍ଷଣୀୟ ତଥ୍ୟର ସମ୍ଭାର
ବିବିଧ ବର୍ଣ୍ଣ ବିଚିତ୍ର।