ବ୍ୟଙ୍ଗରୁ ତତ୍ତ୍ୱ
ବ୍ୟଙ୍ଗରୁ ତତ୍ତ୍ୱ
ଆଖି କହେ ଯା'କୁ ବ୍ୟଙ୍ଗ ବିଦ୍ରୁପ
ଅନ୍ତରେ ଭରେ ଆନନ୍ଦ
ସେହି ବ୍ୟଙ୍ଗ ମଧ୍ୟେ ଲୁଚି ରହିଥାଏ
ଶିକ୍ଷା ଦୀକ୍ଷା ମକରନ୍ଦ।
ନାକରେ କାନରେ ଗଭାରେ ଚୈତନେ
ବାନ୍ଧେ କିଏ କେତେ ଚିଜ
ତା ମଧ୍ୟେ ରହସ୍ୟ ତତ୍ତ୍ୱର ସମ୍ଭାର
କହେ ମନ ଦେଇ ହେଜ।
ନାକରେ ବେଳୁନ ଅବା କି ପେଣ୍ଡୁର
କିବା କମଳା ଘୋଡଣି
ଦେଖିଲେ ଲାଗଇ କଉତୁକ ସିନା
(ସେ) ଗୂଢ ତତ୍ତ୍ୱ ମର୍ମ ଖଣି।
ଜୀନା ଏ କହନ୍ତି କ୍ଷୁଦ୍ର ଅଣୁଜୀବ
ସରଳ ନିରୀହ ପ୍ରାଣ
ନାକ ଆବରଣ ବଞ୍ଚାଇବ ତାଙ୍କୁ
ଲଭିବା ସଭିଏଁ ପୁଣ୍ୟ।
ନାକେ ଆଚ୍ଛାଦିତ ଘୋଡଣିଟି କରେ
ଅନ୍ତଃ ଅଙ୍ଗ ନିରାପଦ
ବାଧାଦେଇ ରୋଗ ଜୀବାଣୁ ମାନଙ୍କୁ
ଘଉଡେ ସର୍ବ ବିପଦ।
ଓଠରେ ଗୋଲାପି ନାଲି ଲିପିଷ୍ଟିକ
କା ପାଇଁ ଲାଗେ ସୌଖୀନ
ଚର୍ମର ଜଳୀୟ ଅଂଶ ସଞ୍ଚି ଦେଇ
କରେ ମସୃଣ ଚିକ୍କଣ।
ନାଲି ରଙ୍ଗ ଦିଏ ବୀରତ୍ବର ବାର୍ତ୍ତା
ସତୀତ୍ୱ ଚିହ୍ନ ସିନ୍ଦୁର
ଗୋଲାପି ଲେଖଇ ନରମ କୋମଳ
ସୌନ୍ଦର୍ଯ୍ୟର ହସ୍ତାକ୍ଷର।
ଖୋଲା ହସ ମଧ୍ୟେ ଦାନ୍ତ ନାଚି ନାଚି
ଦିଏ ସ୍ୱଚ୍ଛତାର ବାର୍ତ୍ତା
ଏଇ ହସ ପରା ରୋଗର ନାଶକ
ଦୀର୍ଘାୟୁର ତ୍ରାଣକର୍ତ୍ତା।
ପ୍ରସାଧନ ଦ୍ରବ୍ୟ ମୁଖେ ଲେପିଦେଇ
ଯେ ଦିଶେ ପୂର୍ଣ୍ଣ ଧବଳ
ଏ ଧବଳ ବର୍ଣ୍ଣ ସଭିଙ୍କର ପ୍ରିୟ
ଶାନ୍ତି ମୈତ୍ରୀର ସମ୍ବଳ।
ସଭିଏଁ କହନ୍ତି କଳା ଟା କଳଙ୍କ
ସେ ଆମ ଜାତୀୟ ବର୍ଣ୍ଣ
ଆଖିର ଡୋଳାଟି କଳାବର୍ଣ୍ଣ ବୋଲି
କରେ ଆଲୋକ ପ୍ରଦାନ।
ସ୍ଥୂଳ ଆଖି ଯାହା ଦେଖେ ତୁଚ୍ଛ ଭାବେ
ତା ସୂକ୍ଷ୍ମ ଅବର୍ଣ୍ଣନୀୟ
ତୀକ୍ଷ୍ଣ ନିରୀକ୍ଷଣେ ସୂକ୍ଷ୍ମତା ଯୋଡିଲେ
ହୋଇବ ସଦା ବିଜୟ।