The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Tarini Mohapatra

Classics

4  

Tarini Mohapatra

Classics

ବିଦାୟ ବଚନିକା

ବିଦାୟ ବଚନିକା

3 mins
317


ସାଗର ମନ୍ଥନୁ ଜାତ ହୋଇଲେ କମଳା,

କମାଳଙ୍କୁ ବିଭା ହେଲେ ପ୍ରଭୁ ଚକାଡୋଳା।

ରତନ ବେଦୀ ରେ ବିଭା ହୋଇଲେ କ ଯାଇଁ।

ପଦ୍ମାଳୟା ଙ୍କ ସଙ୍ଗତେ ପ୍ରଭୁ ଭାବଗ୍ରାହୀ।

ବିବାହ ବେଦୀରେ କନ୍ୟା ଦାନର କାଳରେ।

ବରୁଣ ଜଳ ଅକ୍ଷତ ଧରିଲେ ହସ୍ତରେ।

ବର ତ ଅଟନ୍ତି ପ୍ରଭୁ ଦେବ ନାରାୟଣ।

କନ୍ୟା ଯେ ଅଟନ୍ତି ମହାଲକ୍ଷ୍ମୀ ଦେବୀ ପୁଣ।

ହସ୍ତରେ ଘେନିଣ ଲକ୍ଷ୍ମୀ ଦେବୀଙ୍କର କର,

ଶ୍ରୀ ହରୀଙ୍କ ହସ୍ତେ ନେଇ ଥୋଇଲେ ସତ୍ୱର।

ବେନି ହାତକୁ ନେଇଣ ଘଟ ପରେ ଥୋଇ,

ବିଭା କାଳରେ ଯୌତୁକ ସମର୍ପିଲେ ନେଇ।

ଦଶ ଦିଗପାଳେ ତହିଁ ସାକ୍ଷୀ ଯେ ରଖିଲେ

ଅଗ୍ନି ଦେବତାଙ୍କୁ ତହିଁ ମନେ ସୁମରିଲେ।

ଦଶ ମହାବିଦ୍ୟା ଙ୍କୁ ଯେ କରି ଆବାହନ।

ଅନ୍ତରେ ଚିନ୍ତିଣ ପ୍ରଭୁ ଦେବ ନିରଞ୍ଜନ।

ଶଙ୍ଖ ମଧ୍ୟେ ଦୁଗ୍ଧ ଦୂର୍ବା ଆଦି କୁ ରଖିଣ,

ବର କନ୍ୟା ହସ୍ତେ ନେଇ ସମର୍ପିଲେ ପୁଣ।

ସର୍ବ ଧର୍ମ ଅଗ୍ନି ସ୍ୱାହା ଆଦି ସାକ୍ଷୀ ରଖି।

ବ୍ରହ୍ମା ପ୍ରଜାପତି ଗଣପତିଙ୍କି ସେ ଡାକି।

ନାରାୟଣ ହସ୍ତେ ଲକ୍ଷ୍ମୀ କଲେ ସମର୍ପଣ।

ବିଭାର ସମସ୍ତ କାର୍ଯ୍ୟ କରିଲେ ସମ୍ପୂର୍ଣ।

ବରକନ୍ୟା ବିଭା ପରେ ଆସନୁ ଉଠିଲେ,

ଗୁରୁଜନ ମାନଙ୍କୁ ଯେ ପ୍ରଣାମ କରିଲେ।

ବିଦାୟ ହୋଇଲା ବେଳେ ଲକ୍ଷ୍ମୀ ନାରାୟଣ,

ବରୁଣ ଧରିଲେ ଯାଇଁ ବିଷ୍ଣୁଙ୍କ ଚରଣ।

ଶ୍ଵଶୁର ଧରିଲେ ଯହୁଁ ପାଦ ଯେ ଜ୍ୱାଇଁର।

ତକ୍ଷଣେ ଚକିତ ହେଲେ ପ୍ରଭୁ ଚକ୍ରଧର।

ବୋଲନ୍ତି ଶ୍ରୀ ଚକ୍ରଧର ରତ୍ନାକରେ ଚାହିଁ,

ହେ ପିତା ମୋ ଚରଣ ଧର କାହିଁ ପାଇଁ।

ବୋଲନ୍ତି ବରୁଣ ଶୁଣ ଆହେ ମୋର ଜ୍ବାଇଁ।

ଅତି ଅଲି ଅଳି ମୋର ଦୁହିତା ଅଟଇ।

ପଦ୍ମାସନୀ ଦେବୀ ସେହି ଅଟେ ପଦ୍ମାଳୟା,

ଭାଗ୍ୟ ବଳେ ଜନ୍ମ ହେଲା ହୋଇ ମୋ ତନୟା।

ତାର ମାତା ତିରଙ୍ଗିନି ମୁହିଁ ତା ପିୟର,

ଅତି ସେନେହେ ପାଲିଲୁ କନ୍ୟାକୁ ଆମର।

ମୋର ହୃଦର ସ୍ପନ୍ଦନ ମୋର ଗଳା ମାଳି।

ଏ କନ୍ୟା ମୋହ ଜୀବନ ଆହେ ବନମାଳୀ।

ମୋର ଆତ୍ମା ରହି ଥାଇ ନିକଟେ ତାହାର।

ଏ କନ୍ୟା ଅଟଇ ଶ୍ରେଷ୍ଠ ସମ୍ପଦ ମୋହର।।

ସଂସାର ର ରୀତି ନୀତି ମୁଁ ପାଳନ କରି।

ମୋ ଜୀବନେ ତୋର ହସ୍ତେ ଅରପିଲି ହରି।।

ମୋର ଏ କନ୍ୟା ରତ୍ନ ଯେ ଶୋଭା ମୋ ଘରର,

ମୋ ଗୃହ ସୁଖ ସମୃଦ୍ଧି ତା ବିହୁନେ ଛାର।

ମୋ ମୁଖର ହସ ସେହି, ସେହି ମୋର ଧନ।

ଅନ୍ଧ ମୁଁ ହୁଏ ନଦେଖି ତାହାର ବଦନ।

ସେ ମୋର କଣ୍ଠ ର ସ୍ୱର, ମୋ ନୟନ ଜ୍ୟୋତି,

ସେହି ମୋ ହର୍ଷ ଉଲ୍ଲାସ ସେହି ମୋ ସମ୍ପତ୍ତି।

ତା ନୟନେ ବହଇ ଯେବେ ଅଶ୍ରୁ ଧାର ଧାର,

ସମୁଦ୍ର ସଦନେ ବହେ ପ୍ରଳୟ ସମୀର।

ଚାଲି ଗଲେ ମୋର କନ୍ୟା ପଦୁଅଁ ଫୁଟଇ।

ହସି ଦେଲେ ତା ମୁଖରୁ ମୁକୁତା ଝରଇ।

ରାଗି ଋଷିି ଗଲେ ମୋର ଅଲି ଅଳି ଝିଅ,

ମୋହର ଘରେ ପ୍ରଳୟ ଆସଇ ନିଶ୍ଚୟ।

ଏମନ୍ତ ଅତି ସ୍ନେହରେ କନ୍ୟା କୁ ମୋହର,

ପାଳି ଅଛି ଅତି ଯତ୍ନେ ଆହେ ପିତାମ୍ବର।

ଏହି ପରି ବୋଲି ସେହି ବରୁଣ ଦେବତା

ରୋଦନ କରନ୍ତି କୋଳେ ଘେନି ନିଜ ସୁତା।

ପୁନିହିଁ ନାରାୟଣ ଙ୍କୁ କୋଳରେ ବସାଇ,

ବୋଲନ୍ତି ବରୁଣ ଅତି ବିନମ୍ର ଯେ ହୋଇ ,

ଶୁଣ ହେ ମାଧବ ସୁଦର୍ଶନ ଚକ୍ର ଧାରି।

ମୋହର ବଚନ ମନ ମଧ୍ୟେ ହେତୁ କରି।

ସର୍ବ ଗୁଣରେ ସମ୍ପନ୍ନ ମହାଲକ୍ଷ୍ମୀ ଯେ ଅଟନ୍ତି।

କିନ୍ତୁ ଦଶ ଗୋଟି ଦୋଷ ଦେହେ ବହିଛନ୍ତି।

ଦଶ ଗୋଟି ଦୋଷ ତାଙ୍କ କ୍ଷମା ହେ କରିବ,

ଦଶ ଦୋଷ କ୍ଷମା କରି ସୁଖରେ ରଖିବ।

ସେ ସର୍ବ ଶୁଣି ବୋଲନ୍ତି ଜଗତ ଗୋସାଇଁ।

ଦଶ ଗୋଟି ଦୋଷ ପିତା ଦିଅ ହେ ବତାଇ।

ଶୁଣି ନାରାୟଣ ବାଣୀ ବୋଲନ୍ତି ବରୁଣ,

ସେ ଦୋଷ ବର୍ଣ୍ଣନା ଶୁଣ ଜଗତ ଜୀବନ।

ନିର୍ଲଜ ଚୋରଣି ସେ ଯେ ସ୍ୱଭାବେ ଡାକିନୀ,

ସେ ବ୍ୟଭିଚାରିଣୀ , କଟୁଭାସିନି ଯେ ପୁଣି।

ହିଂସା କାରିଣୀ ଓ ମିଥ୍ୟା ବାଦିନି ମୋହିନୀ,

ଅସନ୍ତୁଷ୍ଟା ଅଟେ ଗୃହ ତ୍ୟାଗ କରେ ପୁଣି।

ବାର ଦ୍ୱାରେ ବୁଲୁଥାଏ ବାଇ ଠାକୁରାଣୀ,

ଏ ଦଶ ଦୋଷ ତାହାର ଦେବ ଚକ୍ର ପାଣି।

ଏ ସର୍ବ ଦୋଷ ମୋର ପୁତ୍ରିର କ୍ଷମା କରି,

ବୈକୁଣ୍ଠ ପୁରରେ ସୁଖେ ରଖିବ ହେ ହରି।

ଏବେ କହୁ ଅଛି ତାର ଦଶ ଶ୍ରେଷ୍ଠ ଗୁଣ ,

ସେ ଗୁଣ ବର୍ଣ୍ଣନା ଏବେ ଶୁଣ ନାରାୟଣ।

ଦୟାବନ୍ତି ,ଗୁଣ ବନ୍ତି ଅଟେ ମୋ ଦୁଲଣୀ,

ମୃଦୁଭାଶି ସ୍ମିତହାସୀ ଅଟେ କମଳିନୀ।

ଅନ୍ନପୂର୍ଣ୍ଣା କୃପାମୟୀ ସେ ଦୁଃଖଭଞ୍ଜନି,

ସିଦ୍ଧିଦାତ୍ରୀ ପତିବ୍ରତା ସେ କଷ୍ଟ ନାଶିନୀ।

ଏମନ୍ତ ଅଟଇ ତାର ଦଶ ଶ୍ରେଷ୍ଠ ଗୁଣ,

ଏହି ସବୁ ତମ ପଦେ କଲି ସମର୍ପଣ।

ଏମନ୍ତ ବୋଲି ଚକ୍ର ଧର ହସ୍ତ ଧରି,

ବରୁଣ ବୋଲନ୍ତି ଆତ୍ମା ଦେଲି ଦେବ ହରି।

କ୍ରନ୍ଦନ କରି ପୁଣି ପୁତ୍ରୀର ମୁଖ ଚାହିଁ,

ବୋଲନ୍ତି ଶୁଣ ଲୋ ମାଏ ମନ କର୍ଣ୍ଣ ଦେଇ।

ତୋହର ପତି ଅଟନ୍ତି ସ୍ଵୟଂ ନାରାୟଣ,

ତାହାଙ୍କର ପଦେ ନୀତି ଦେଇ ଥିବୁ ମନ।

ସର୍ବ ଗୁରୁଜନେ ମା ଲୋ ଆଦର କରିବୁ,

ବୈକୁଣ୍ଠ ପୁରରେ ତୁହି ସୁଖରେ ରହିବୁ।

ସପତ୍ନି ମାନଙ୍କୁ ଭଗ୍ନୀ ତୁଲ୍ୟ ତୁ ମଣିବୁ,

ଦିଅର ନଣନ୍ଦ ଗଣେ ସନ୍ତାନ ଭାବିବୁ।

ଶାଶୁ ତୋର ଅଟନ୍ତି ଯେ ଆଦିମାତା,

ଶ୍ଵଶୁର ଅଟନ୍ତି ନିରଞ୍ଜନ ସେ ବିଧାତା।

ଏ ବେନି ଜନେ ମାତା ପିୟର ମଣିବୁ।

ସଦା ସର୍ବଦା ତାଙ୍କୁ ତୁହି ଲୋ ସେବୁ ଥିବୁ।

ପତି ର ଘରର ତୁହି ହୋଇଲୁ ସୁରୁଜ,

ଦିନେ ହୋଇ ଥିଲୁ ତୁହି ମୋ ଘର ମୁରୁଜ।

ଶଙ୍ଖ ମଧ୍ୟେ ଜଳ ଭରି ସମର୍ପିଲି ତୋତେ,

ପିତା ଘର ସାତ ପର ହୋଇଲା ଲୋ ସତେ।

ସୁଖରେ ଘର ସଂସାର କର ମାଲୋ ତୁହି।

ପତି ସୁଖେ ସୁଖୀ ତାହା ଦୁଃଖେ ଦୁଃଖୀ ହୋଇ।

ଦେଖିଣ ବରୁଣଙ୍କର ମଳିନ ବଦନ।

ତକ୍ଷଣେ କର କୁ ଯୋଡ଼ି ପ୍ରଭୁ ନାରାୟଣ।

ବିନୟ ଭାବରେ ଶ୍ଵଶୁରଙ୍କୁ ପ୍ରଣମିଲେ

ପିତାଙ୍କୁ ମଧୁର ବାଣୀ ପ୍ରଭୁ ଯେ କହିଲେ

ହେ ପିତା ଚିନ୍ତା ନ କର , ଦେଉଛି ବଚନ।

ସର୍ବ ସୁଖେ କମଳାଙ୍କୁ ରଖିବି ମୁଁ ପୁଣ।

ସର୍ବ ଦୋଷ କ୍ଷମା ଦେଇ ହୃଦେ ବସାଇବି।

ଆପଣା ପୁରକୁ ନେଇ ସୁଖରେ ରଖିବି।

ପ୍ରେମ ସ୍ନେହ ଆଦର ଓ ସମ୍ମାନ ଯେ ଦେବି।

ସବୁ ଅଳି ରୋଷ ଆଦି ଅଝଟ ସହିବି।

ଏତେ ବୋଲି ରତ୍ନାକରେ ଆଶ୍ୱାସନା ଦେଇ,

ଗରୁଡ ପରେ କନ୍ୟାକୁ ବସାଇଲେ ନେଇ।

ସ୍ଵୟଂ ଜନାର୍ଦ୍ଦନ ଯାଇଁ ବିଜୟ ହୋଇଲେ।

ଲକ୍ଷ୍ମୀଙ୍କୁ ଘେନିଣ ନିଜ ପୁରେ ବାହୁଡ଼ିଲେ।

ବରୁଣ ବସି ରୋଦନ କରନ୍ତି ସତ୍ୱର,

ପରଗୋତ୍ରି ହୋଇଗଲା ଝିଅ ଯେ ମୋହର।

ତେଣେ ପାର୍ବତୀ ଦେବୀ ଓ ମାତା ସରସ୍ଵତୀ,

ବର କନ୍ୟାଙ୍କୁ କରିଲେ ମଙ୍ଗଳ ଆଳତି।

ବନ୍ଦାପନା କରି ଦମ୍ପତିଙ୍କୁ ଭିତରକୁ ନେଲେ,

ଦେବ ଦେବୀ ମାନେ ସବୁ ଆନନ୍ଦିତ ହେଲେ।

ସରସ୍ଵତୀ କୋଳାଇଲେ ଲକ୍ଷ୍ମୀଙ୍କୁ ସ୍ନେହରେ,

ଲକ୍ଷ୍ମୀ ନଣନ୍ଦ ସଜ ଦେଲେ ଗୌରୀ ହସ୍ତରେ।

ଏମନ୍ତ ରୂପେ ବିବାହ ହୋଇଲା ସମ୍ପୂର୍ଣ।

ସର୍ବେ ଡାକ ଦେଲେ ଜୟ ଲକ୍ଷ୍ମୀନାରାୟଣ।

ସରସ୍ଵତୀ ଗଜାନନ ଗୌରୀଙ୍କ ଦୟାରେ,

ଭଣିଲି ବିବାହ କଥା ଗୀତର ଛନ୍ଦରେ।

ଦୟା କର ହରି ରମା ମାତା ସରସ୍ଵତୀ,

ଦୟା କର ଗଜାନନ ହେ ହର ପାର୍ବତୀ।

ତୁମ ଚରଣରେ ମନ ଥାଉ ସଦା ପୁଣ।

ଏହି ତୁଣ୍ଡ ଭଜୁ ସଦା ଲକ୍ଷ୍ମୀନାରାୟଣ।


Rate this content
Log in

More oriya poem from Tarini Mohapatra

Similar oriya poem from Classics