STORYMIRROR

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Classics

4  

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Classics

ସ୍ମୃତି ତୁମେ!

ସ୍ମୃତି ତୁମେ!

1 min
503

ସ୍ମୃତି ତୁମେ!

ଅଭିଆଡୀ ନବ ଯୁବତୀର

ହଳଦି ମଖା ଦିହ

ନବ ବଧୂର 

ପାଦ ଚପା ଅଣ୍ଟା ଭଙ୍ଗା ଚାଲି

ବୁଢି ମାଆ ମୁଣ୍ଡର

ଲମ୍ବା ଓଢଣା ଭିତରୁ

ଝାପ୍ସା ଦିଶୁଥିବା ମୁହଁ

ନିରୀହ ପଲ୍ଲୀର ତରୁଣୀ

ସରଳ ସୁହାଗିନୀ

ଲାଜର ଲାଜକୁଳି ଲତା

ଇଜତର ରୁରୁଖା ଆଲୁଅ

ବୋଉ ନାକ ଦଣ୍ଡିଗୁଣାର

ହଜିଲା ସମୟ

ମୋ ବାତ୍ସଲ୍ଯ ବେଳାର

ଅଝଟିଆ ଲୁହ।

ସ୍ମୃତି ତୁମେ !

ଅକାଳ କାଳର ଶିକାର

ସ୍ବପ୍ନ ହରା 

ପୋକକଟା କଳିକା

ଇନ୍ଧନଭରା ଦିପାଳିର

ଅଧା ଜଳା ବଳିତା।

ଭରଷାର ବିଶାଳ କାନ୍ଥରୁ

ଖସି ପଡି

ଭାଙ୍ଗି ଯାଇଥିବା ଦର୍ପଣର

ନିଶବ୍ଦ ମୁଖର ରୋଦନ

ଏକ ଅଭାବନୀୟ ଯନ୍ତା।

ସ୍ମୃତି ତୁମେ !

ମାଇପୀ ଗାଧୁଆ ବେଳର

ଗେଲ ଗମାତ

ହଜିଲା ତୁଠର କୋଳାହଳ

ବଳଦ ଗାଡିର କେଁଏଁ କଟର

ଶଗଡିଆ ନନାଙ୍କ 

ରାହା ଭରା ଲୋକଗୀତ ସୁର

ପଲ୍ଲୀରୁ ପୁରୀ ଯାଏଁ

ଚାଲି ଚାଲି ନାପି ଦେଉଥିବା

ବଳଶାଳୀ ପୟର।

ସ୍ମୃତି ତୁମେ !

ଅଡୁଆ ସଞ୍ଜ ଢାଙ୍କୁଣି ଭିତରେ

ଅଣନିଶ୍ବାସୀ ହୋଇ

ମରିଯାଇଥିବା

ନିଜ ହାତ ପାପୁଲି ମୁଠାର

ଏକ ନିରୀହ ତପନ

ବେଳ ଥାଉ ଥାଉ ସରି ଯାଇଥିବା

ଚଲାବାଟର ଅଲିଭା ଚିହ୍ନ

ବୁଢା ବାପାଙ୍କର

ମୁଖ ନିସୃତ ମକରନ୍ଦ ଗୀତା ଭାଗବତ

ବଙ୍କୁଲି ବାଡିର କମ୍ପନ।

ସ୍ମୃତି ତୁମେ !

ଅନାମ ପଡାର ପୁରୁଣା ଅତିଥି

ଗୁପ୍ତ ଅଗଣାରେ

ବିତାଇ ଦେଇଥିବା ଜହ୍ନେଇ ରାତି

ନିଛାଟିଆ ଖରାବେଳର

ବେସହଚାରୀ ସାଥୀ

ଅଭିସାରୀ ଆକାଂକ୍ଷାର ହରବର

ଶଙ୍କା ଜର୍ଜରିତ ଛାତି

ଟଳମଳିଆ ପଥ

ଦୋଳାୟମାନ ଗତି

ଧୂଳିଚଟା ନଥିପତ୍ର

ଅମଳିନ ଚିଠି।

ସ୍ମୃତି ତୁମେ !

ନିଶ୍ଚଳ ନିର୍ମଳ ଜଳରେ

ଦେଖିଥିବା ଛଇଳ ଛବି

ଲିଭିଯାଇଥିବା 

ଘନ ଅନ୍ଧାର ବେଳାର

ଡିବି ଆଲୁଅର

ଏକ ସମ୍ବେଦିତ ରବି

ଅଧୁରା ସ୍ବପ୍ନ ସାଗରର

ଚହଲି ଚପଳା

ନୃତ୍ଯରତ ନାୟିକା

ଅତୁଟା ଶୋଷର

ଅଫେରା ରାଜ କନ୍ଯା

ଅଦୃଶ୍ଯର ଡହକ ଡଗର

ଧୋଇ ହୋଇ ଅସହ୍ଯ ପିଡା ଭୋଗୁଥିବା

ମୋ ବାଲ୍ଯ ଧୂଳିଘର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics