ସ୍ମୃତି ତୁମେ
ସ୍ମୃତି ତୁମେ
ସ୍ମୃତି ତୁମେ!
ଆମ ଚାଳ ଘର ଓଳିରୁ
ଝରଝର ଝରିଥିବା
ବର୍ଷା ପାଣି।
ପିଲାଦିନର
ବୋହୁ ବୋହୁକା ଖେଳ
ମିଛ ମିଛିକା ରାଜା ରାଣୀ।
ସ୍ମୃତି ତୁମେ!
ବାରି ବଗିଚାରେ ବାନ୍ଧିଥିବା
ବାଉଁଶ ଦଉଡିର ରଜଦୋଳି।
ଗାଇଥିବା ଅନାବନା ଗୀତ
ବର ଓହଳରେ ଝୁଲି।
ଚୋରିକରି ଖାଇଥିବା
ଆମ୍ବ କରୁଣା ଆଉ ପିଜୁଳି।
ବାପାଙ୍କୁ ଡରି ବୋଉ ପାଖରେ
କରିଥିବା ଅଝଟ ଅଳି।
ସ୍ମୃତି ତୁମେ!
ପଢା ବେଳର ବାଟଭଙ୍ଗା ଚାଲି ।
ସାଙ୍ଗ ସାଥି ମେଳରେ
ଅକାରଣେ କରିଥିବା ଚୁଗୁଲି ।
ସହପାଠିନୀ ସାଥିରେ
କରିଥିବା ଅବୋଧ ନଖରା।
ସରମିଲତା
ଆମ ଗାଁ ଭୁଆସୁଣୀର
ତଳମୁହାଁ ଚାଲି।
ସ୍ମୃତି ତୁମେ!
ବୋଉ ରନ୍ଧା ଶାଳର
ତା'ହାତ ତିଆରି ମାଟି ଚୁଲି ।
ଆଜି କେଉଁଠି ଅଦରକାରୀ ଭାବେ
ପଡି ରହିଥିବା ଫୁଙ୍କ ନଳି।
ହାଣ୍ଡି ରନ୍ଧା ଖୁଦ ଜାଉ କାଞ୍ଜି
ଆଟିକା ଭଜା ସନ୍ତୁଳା
ପେଜଭାତ ଖିଆ
ଆମ ଅଭାବ ବେଳାର ଚଣା ଡାଲି।
ସ୍ମୃତି ତୁମେ!
ଭିତର ଘର ଭାଡି ବାଉଁଶରେ
ଝୁଲି ରହୁଥିବା ଆଇଁଷ ସିକା।
ଶୀତର୍ତ୍ତୁ ସକାଳର ଉହ୍ମେଇ ନିଆଁ
ଖରାରେ ଅର୍ଦ୍ଧ ପୁଙ୍ଗୁଳା ଦେହ ସେକା।
ଶିଳପେଷା ବେସର ତୁଣ
ଖୁଣ୍ଟିକେଲି କବାଡି ଗିଲ୍ଲିଦଣ୍ଡ
ଆଉ ଲୁକ୍ ଲୁକାନି ଖେଳ
ଭାସି ହଜିଯାଇଥିବା
ନିଜ ହାତ ତିଆରି କାଗଜ ନଉକା।
ସ୍ମୃତି ତୁମେ!
ତରୁଣ ପ୍ରେମର ଅଥୟ ମମତା।
ଆଜି ବି ଦୁଃଖ ଦେଇ ପାରୁଥିବା
ଅଭିଶାପିତ ଦୂରତା।
ଏକ ଏମିତିକା ନାଟକ
ଯେଉଁଠି ମୋ ଭୂମିକା
ଉଭୟ ନାୟକ ଏବଂ ନାୟିକା।
ମୋତେ ଭଲେ ଚାଳିଶ ପୁରିଲାଣି
ହେଲେ ସ୍ମୃତିରେ ମୋ ପିଲାଦିନ
କେବେ ବଡ ହୁଏ ନାହିଁ
ରହିଥାଏ ସଦା ହୋଇ ଟୋକା।