ୟେ ଶୀତ !
ୟେ ଶୀତ !
ହେମନ୍ତର ପରଶରେ ଦରୋଟି ହସେ
ଗଙ୍ଗଶୀଉଳିର ଗନ୍ଧରୁ ଝରେ
ଅନୂଢା ନାୟିକା ପରି
ବୃକ୍ଷ ପତରରୁ
ବୁନ୍ଦା ବୁନ୍ଦା କାକର
ଶୀତଳ କୌମାର୍ଯ୍ଯର ଉଦ୍ଦିପନା
ଥୋପ ଥୋପ ନିଗାଡେ
ୟେ ଶୀତ!
ପଲ୍ଲୀ ପୋଖରୀରେ ଲହଡି ଖେଳେ
ବଣ ବଗିଚାର ଛାଇରେ
କିଆବୁଦା ଉହାଡରେ
ମନ ଭରି ଖେଳେ
ଶୋରିଷ ଫୁଲର
ହଳଦି ରଂଗ ଓଢଣି ଉଡାଇ
ଜକ ଜକ ଦିଶେ
ୟେ ଶୀତ !
ଚାଳ ଓଳିତଳେ ଟହଲମାରେ
ପଖାଳ କଂସାରେ ଚହଲେ
ଗାଁ ପାଖ ପରବତରେ ନିଇତି ଜଗି ବସେ
ନଇର ମନ୍ଥର ପାଣିରେ
ଗମ୍ଭୀର ଗତି କରେ
ୟେ ଶୀତ !
ବୁଢା ବାପାଙ୍କ ଅଷ୍ଟାଙ୍ଗ ଶରୀରରେ
କମ୍ପନ କରେ
ନବ ବଧୂର ଗାଧୁଆ ତୁଠରେ
ନିର୍ଭିକ ହୋଇ ଗରଜେ
ଗାଁ ମନ୍ଦିରର ଶଂଖ ଧ୍ବନିକୁ
ବିଳମ୍ବରେ ଶୁଣାଏ
ୟେ ଶୀତ !
ଶୀତଳ ତାତିରେ
ସମ୍ଭୋଗ ରାତିରେ
ପ୍ରଣୟରେ ଲିପ୍ତ ରହି ନିଇତି ମହକେ
ୟେ ଶୀତ!