STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ନବରାତ୍ରି ଓ ଶୈଳପୁତ୍ରୀ

ନବରାତ୍ରି ଓ ଶୈଳପୁତ୍ରୀ

3 mins
310


ଶରତ ଆସିଛି ମରତେ ହସୁଅଛି ଧରଣୀ

ଶୁଣ ନବରାତ୍ରି କାହାଣୀ କଥା ଯାଏ ବଖାଣୀ।

ପବିତ୍ର ଆଶ୍ଵିନ ମାସର ଶୁକ୍ଳ ପ୍ରତିପଦ ରେ

ନବରାତ୍ରି ହୁଏ ଆରମ୍ଭ ସାରା ଧରା ଧାମରେ।

ନଅ ରୂପେ ନଅ ଦିନରେ ମାଆ ପୂଜା ହୁଅନ୍ତି

ସନ୍ତାନ ମାନଙ୍କୁ ମାଆଯେ ଦିବ୍ୟ କୃପା ବାଣ୍ଟନ୍ତି।


ଶୈଳପୁତ୍ରୀ ବ୍ରହ୍ମଚାରିଣୀ ଚନ୍ଦ୍ରଘଣ୍ଟା କୁଷ୍ମାଣ୍ଡା

ସ୍କନ୍ଧମାତା କାତ୍ୟାୟନୀ ଯେ କାଳରାତ୍ରି ଗୋ ମାଆ ।

ଶିଦ୍ଧି ଧାତ୍ରୀ ମହାଗଉରୀ ମାଗୋ ନବ ରୂପେତ

ଦରଶନ ଦିଅ ଭକ୍ତଙ୍କୁ ଉଛୁଳଇ ଶରତ।

ନବରାତ୍ରୀ ଆଦ୍ୟ ଦିବସେ ଶୈଳପୁତ୍ରୀ ଙ୍କ ପୂଜା

ଦିଗ ଚଉଦିଗେ ଉଡଇ ଭାବ ଭକତି ଧ୍ବଜା।


କୁମାର ସମ୍ଭବେ ଶାସ୍ତ୍ର ରେ ହୋଇଅଛି ବର୍ଣ୍ଣନ

ସତୀ, ଶୈଳପୁତ୍ରୀ ରୂପରେ ନେଲେ ନୂଆ ଜନମ।

ସ୍କନ୍ଦ ପୁରାଣ ରେ ହୋଇଛି ସେହି କଥା ବର୍ଣିତ

ସତୀ ରୁ ପାର୍ବତୀ ହୋଇଲେ ଶୈଳପୁତ୍ରୀ ଯେ ମାତ।

ଦେବୀ ଭାଗବତେ ରହଛି ଶୈଳପୁତ୍ରୀ ଙ୍କ କଥା

ମାଆଙ୍କ ଜୀବନ କାହାଣୀ ତାଙ୍କ ମହିମା ଗାଥା।


ରାଜା ଦକ୍ଷ ଙ୍କର ନନ୍ଦିନୀ ଅଲିଅଳି ସେ ସତୀ

ପିତାଙ୍କର ଇଚ୍ଛା ବିରୁଦ୍ଧେ ଶିବେ ବରିଲେ ପତି।

ଦକ୍ଷ ରାଜା ରାଗେ ଜର୍ଜର କଥା ନପାରି ସହି

ଯଜ୍ଞ ଆୟୋଜନ କରିଲେ ନିଜ ଉଆସେ ସେହି।

ସମସ୍ତଙ୍କୁ ନିମନ୍ତ୍ରିଲେ ସେ ଯଜ୍ଞ ଦେଖିବା ପାଇଁ 

ଝିଅ ଜ୍ବାଇଁ ଙ୍କୁ ତ ଯଜ୍ଞକୁ ଦକ୍ଷ ଡାକିଲେ ନାହିଁ।


ବାଧିଲା କଥାଟି ସତୀଙ୍କୁ ହେଲା ଅଥୟ ମନ

ପିତ୍ରାଳୟ ଯିବା ପାଇଁକି ସେତ ହେଲେ ଉଛ୍ଛନ।

ସ୍ବାମୀ ଶଙ୍କର ଙ୍କ ପାଖରେ ଦେବୀ କରି ମିନତି 

ବିନା ନିମନ୍ତ୍ରଣେ ଚଳିଲେ ପିତ୍ରାଳୟକୁ ସତୀ

ସତୀଙ୍କୁ ତ ଯେବେ ଦେଖିଲେ ପିତା ଦକ୍ଷ ରାଜନ

ନ ଶଙ୍ଖୁଳି ଦେଲେ କନ୍ୟାକୁ ତହିଁ ସେ ଅପମାନ ।


ଅପମାନ ସହିନପାରି ସତୀ ଯଜ୍ଞ କୁଣ୍ଡରେ

ଝାସଦେଇ ଦେଲେ ଜୀବନ ସେହି ଅଗ୍ନି ପୀଣ୍ଡ ରେ।

ମହାଦେବ ଯୋଗ ବଳରେ ସବୁ ଜାଣି ପାରିଲେ 

କ୍ରୋଧରେ ଅସ୍ଥିର ହୋଇସେ ଯଜ୍ଞ ସ୍ଥଳେ ଆସିଲେ ।

ସତୀଙ୍କର ଦଗ୍ଧ ଶରୀର ଶିବ କାନ୍ଧେ ଧରିଲେ

କ୍ରୋଧରେ ଶଙ୍କର ତାଣ୍ଡବ ନୃତ୍ୟ ତହିଁ କରିଲେ।


ଦେବ ଦେବ ମହାଦେବ ଙ୍କ ସେହି କରାଳ ମୂର୍ତ୍ତି

ଦେଖି ଥରହର ସକଳେ ଧ୍ବଂସ ହେବକି ସୃଷ୍ଟି।

ସୃଷ୍ଟି ରକ୍ଷା ପାଇଁ ବିଷ୍ଣୁ ଙ୍କୁ ସର୍ବେ ପ୍ରାର୍ଥନା କଲେ

ଗରୁଡ଼ ପୃଷ୍ଠରେ ବିଷ୍ଣୁ ଯେ ଯଜ୍ଞ ସ୍ଥଳେ ମିଳିଲେ ।

ଚକ୍ରପାଣି ତାଙ୍କ ଚକ୍ର ରେ ସତୀଙ୍କର ଶରୀର

ଖଣ୍ଡ ଖଣ୍ଡ କ

ରି ଦେବାରୁ ଶିବ ହୋଇଲେ ସ୍ଥିର ।


ମାଆ ସତୀ ଦକ୍ଷ ଯଜ୍ଞରେ ଯେବେ ପ୍ରାଣ ହାରିଲେ

ବିଶାଦରେ ଶିବଶଙ୍କର ଘୋର ତପସ୍ୟା କଲେ ।

ଏକାଳେ ତାରକାସୁରଯେ ଅତ୍ୟାଚାରୀ ଅସୁର

ଶିବ ପୁତ୍ର ହାତେ ମରିବ ପାଇଥିଲା ସେ ବର।

ସତୀ ବିନା ଶିବ ଏକଲା କାହୁଁ ଆସିବ ପୁତ୍ର

ତାରକାସୁରର ଯେ ଭାବିଲା ସେତ ହେଲା ଅମର ।


ମର୍ତ୍ତ୍ୟ ଜୟ କରି ତାରକା ସ୍ବର୍ଗ ପୁରେ ଚଳିଲା

ମହା ବଳଶାଳୀ ଅସୁର ସ୍ବର୍ଗ ଜୟ କରିଲା ।

ଦେବତା ମାନଙ୍କୁ ଦେଲାସେ ଦୁଃଖ ଯନ୍ତ୍ରଣା କଷ୍ଟ

ଅତ୍ୟାଚାରେ ତାର କୁବେର ଇନ୍ଦ୍ର ହେଲେ ଅତିଷ୍ଠ।

ଦେବ କୂଳ ହୋଇ ଏକାଠି ଆଦିମାତା ପୂଜିଲେ

ଦେବାଗ୍ନି ରୁ ଅଗ୍ନି ଆଣି ସେ ହୋମ ଯଜ୍ଞ କରିଲେ ।


ହୋମଯଜ୍ଞ କରି ମାଆଙ୍କୁ ଦେବେ,କଲେ ମିନତି

ସରଗ ରାଇଜେ ପଡ଼ିଛି ମାଆ ଘୋର ବିପତ୍ତି।

ତାରକାସୁରର ଯାତନା ଆଉ ହେଉନି ସହି

ସରଗ ପୁରରେ ଶାନ୍ତିରେ ଆମେ ପାରୁନୁ ରହି।

ସ୍ବର୍ଗ ରାଜ୍ୟ ଏବେ ହେଲାଣି ମାଗୋ ନରକ ପୁର

ଏ ଘୋର ବିପଦୁ ଆମକୁ ବାରେ କର ଉଦ୍ଧାର।


ଦେବତା ମାନଙ୍କ ଭକ୍ତିରେ ମାତା ହୋଇଲେ ତୁଷ୍ଟ

ଦୁଃଖ ଦୂର ପାଇଁ ମାଆ ଯେ କଲେ ଉପାୟ ସେତ।

ତେଣେ ହିମାଳୟ ପର୍ବତ ସେତ ପର୍ବତ ରାଜା

ସନ୍ତାନ ପାଇଁକି ମାଆଙ୍କୁ କରୁଥିଲା ସେ ପୂଜା

ତାଙ୍କ କୋଳେ ମାତା ଜନ୍ମିଲେ ଶୈଳପୁତ୍ରୀ ସେ ହେଲେ

ହୈମବତୀ ପୁଣି ପାର୍ବତୀ ନାମେ କ୍ଷାତ ହୋଇଲେ ।


ମାଗୋ ଶୈଳପୁତ୍ରୀ ବୃଷଭ ପୃଷ୍ଠେ ବିରାଜମାନ

ଅର୍ଦ୍ଧ ଚନ୍ଦ୍ର କରିଥାଏ ଗୋ ଶିର ଶୋଭା ବର୍ଦ୍ଧନ ।

ଦକ୍ଷିଣ ହସ୍ତରେ ତ୍ରିଶୂଳ ବାମ ହସ୍ତେ କମଳ

ବ୍ରହ୍ମା ବିଷ୍ଣୁ ଶିବ ଶକତି ତୁମ ଠାରେ ମା ଠୁଳ।

ଧୈର୍ଯ୍ୟ ର ପ୍ରତୀକ ତୁମେଗୋ ତୁମେ ସାହସ ଶକ୍ତି

ଚିନ୍ତା ଅବସାଦୁ‌ ଦିଅଗୋ ତୁମେ ଭକ୍ତଙ୍କୁ ମୁକ୍ତି।


ସୂର୍ଯ୍ୟ ଆଉ କେତୁ ମଙ୍ଗଳ ଗ୍ରହ ଦୋଷ ଯେ ଥିଲେ

ଦୂର ହୋଇଥାଏ ଦୁର୍ଦ୍ଦଶା ଶୈଳପୁତ୍ରୀ ପୂଜିଲେ।

ଧବଳ ରଙ୍ଗକୁ ମାଆ ଯେ ସଦା ପାଆନ୍ତି ଭଲ

ଭଲ ଲାଗିଥାଏ ମାଆଙ୍କୁ ଧଳା ରଙ୍ଗର ଫୁଲ।

ଧଳା ରଙ୍ଗ ମିଠା ପିଠା ଯେ ଭକ୍ତେ ଭୋଗ ଲଗାନ୍ତି

ମାଆଙ୍କ ପାଦରେ ପ୍ରଣମି ମନ କଥା ଜଣାନ୍ତି।


ମାଆଙ୍କୁ କରିଲେ ଲବଙ୍ଗ ଆଉ ମିଶ୍ରି ଅର୍ପଣ

ମନ୍ଦ ଶକ୍ତିମାନେ ହୁଅନ୍ତି ସେତ ଶକତି ହୀନ।

ସଫଳତା ମିଳେ ସବୁଠି ମନ ହୁଏ ଉଜ୍ବଳ

ଅନ୍ଧକାର ଯାଏ ଉଭେଇ ଆସେ ନୂଆ ସକାଳ।

ଶୈଳପୁତ୍ରୀ ଢାଳିଦିଅନ୍ତି ଯାହାଠାରେ ଆଶିଷ

ବିନମ୍ରତା ଆଉ ସୌମ୍ୟତା ହୁଏ ପରିପ୍ରକାଶ ।


Rate this content
Log in

Similar oriya poem from Classics