ଜୀବନ
ଜୀବନ
ଜୀବନ!
ନୁହଁଇ ଖାଲି ଚେତନା,
ବାସ୍ତବର ଜଟିଳ ବେଦନା,
ନୁହେଁ ଅବା ସପନର ରଙ୍ଗିନ କୁହୁଡ଼ି ।
ଜୀବନ କୁସୁମର ପାଖୁଡ଼ା
ଯାଉଅଛି ଖସି ଧୀରେ ଧୀରେ ।
ଅଦିନ ମେଘର ଘୋର ଘନଘଟା ମଧ୍ୟେ
ଚମକେ ଆଶା ବିଜୁଳି ମଝିରେ ମଝିରେ ।
ଅନନ୍ତ ବିଶ୍ଵର ସେ ଅସୀମ ସାଧନା
ଖୋଜେ ଆଜି ସ୍ଥିର ଆରାଧନା,
ଶତ ଶତ ବାସନାର ମାୟାଜାଲ ଛାଡ଼ି
ଜାବୁଡ଼ି ଧରିଛି ଆଜି ଗୋଟିଏ ବାସନା ।
ହସି ଉଠେ ମୁହଁ ଯେବେ ସୁନେଲୀ ଖରାରେ
ମିଠା ମିଠା ସୁନ୍ଦର ହସର ଝରାରେ,
ଏ ପାର୍ଥିବ ଜୀବନର ମରୀଚିକା ଘିଅ
ଜା ଳୁଅଛି ଶାଶ୍ଵତ ସେ ଦୀପ ଅନିର୍ବାଣ
ଅସମ୍ଭବ ଯନ୍ତ୍ରଣାରେ, ଶତ ବେଦନାରେ ।
ଜୀବନଟା ସବୁବେଳେ ଖରସ୍ରୋତା ନଦୀ
ବହି ଚାଲେ କେବେ ଅବା ଦୁର୍ଗମ ଗହ୍ଵରେ
କେବେ ଅବା ଭୀଷଣ କାନ୍ତାରେ
ହଜି ଯାଏ ଅବା କେବେ ଦୁର୍ବାର ମରୁରେ ।
ଶେଷ ନାହିଁ, ଶେଷ ନାହିଁ ଏ ଜୀବନ ଉପାଖ୍ୟାନ
କେବେ ନାହିଁ ସରେ
ଅଜଣା ଆଶଙ୍କା ଆଉ ରହସ୍ୟର ଉଦ୍ଭଟ ଓଢନା
ଖୋଲି ଦିଅ ହେ ଅଦୃଶ୍ୟ ଶକ୍ତି
ଖୋଲି ଦିଅ ବାରେ ।
ଛୋଟ ଏଇ ଜୀବନର ଟିକି ଟିକି ଆଶା ଅଭିଳାଷ
ବିନ୍ଦୁ ବିନ୍ଦୁ ଉତ୍କଣ୍ଠା ଅଭୀପ୍ସା,
ଜୀବନର ସୁରା ପାନେ ଉନ୍ମତ୍ତ ଲାଳସା
ସେ ସବୁର ଇତି ହେଉ ପ୍ରଭୁଙ୍କ ଚରଣେ
ଲୀନ ହେଉ ତାଙ୍କ ଠାରେ ଅନନ୍ତ ଜିଜ୍ଞାସା ।
