ଇନ୍ଦ୍ରଧନୁ
ଇନ୍ଦ୍ରଧନୁ
ତୁମେ ଚିତ୍ରିତ ସୁଦୂର ଆକାଶେ
ଅଲୀକ ଆଲୋକର ପ୍ରକାଶେ
ମେଘ ବିନ୍ଦୁର ଅନ୍ତର ଭେଦି
ସପ୍ତ ରଙ୍ଗର ବର୍ଣ୍ଣାଳି ବିସ୍ତାରି
ଆକାଶ ବୁକୁରେ ରୂପ ମହକାଇ
ବିଚିତ୍ର ପ୍ରକୃତିର ଶୋଭା ବଢାଇ
ମୁଗ୍ଧ ବିସ୍ମୟେ କର ଯେ ଚକିତ
ତୁମେ ତ କ୍ଷନିକରେ ପ୍ରତିଭାତ
ମହାବିଶ୍ୱର ଏକ ବିସ୍ମୟ ତୁମେ
ମାନବ ତୁମକୁ ପାରେ ନା ଛୁଇଁ
ମନେ ଭରି ଦିଅ ଖୁସିର ପୁଲକ
ଉଛୁଳି ଉଠେ ଆହା ଜୀବନ ନଈ
ବାଦାମି ରଙ୍ଗ ସୂଚାଏ ମାଟି
ମାଟି ଆମ ମା ଭୁଲି ଯିବନି ଟି
ଘନ ନୀଳ ସମୁଦ୍ରର ଜଳ
ଜୀବନେ ଫୁଟୁ ଆଶା କମଳ
ନୀଳ ନୀଳ ସୁଦୂର ଗଗନ
ଭକ୍ତି ଭାବେ ହୁଅ ମଗନ
ସବୁଜ ଧରଣିର କୋଳେ
ଜୀବନ ଯେ ଗଡ଼ି ଚାଲେ
ହଳଦୀ ରଙ୍ଗ ଦେହେ ମାଖି
ନିର୍ବାଣ ପଥରେ ଚାଲ ସାଥୀ
ରକ୍ତିମ ସୂରୁଜ ବିଛାୟେ ମୁରୁଜ
ନାରଙ୍ଗୀ ରଙ୍ଗର ପସରା ମେଲାଇ
ରଙ୍ଗରେ ଭରୁ ସଭିଙ୍କ ଜୀବନ
ମଳିନ ନ ହେଉ କାହାରି ମନ ।
