ଭକ୍ତି ଭାବାନ୍ତର
ଭକ୍ତି ଭାବାନ୍ତର
ଦାଣ୍ଡ ଦୁଆରର କୃଷ୍ଣଚୂଡ଼ା ଗଛ
ପାଖରେ ରାଧାତମାଳ
ଦୁଆରକୁ ଆସି ଚାହିଁଦେଲେ ଦିଶେ
ରାଧା ମାଧବ ଯୁଗଳ ।
ପାହାଚ଼ ପାଖରେ ମଲ୍ଲୀ ଗଛଟି ଯେ
ଚାହିଁ ଚାହିଁ ଭାବୁଥାଏ
ମହମହ ବାସ ମଲ୍ଲୀ ଫୁଲଟିକୁ
ମୋହନ ହାତରେ ଦିଏ ।
ମଲ୍ଲୀ ଫୁଲ ବାସ ଚହଟୁଥାଏ ଯେ
କମନୀୟ ଶୁଭ୍ର ରୂପ
ସମର୍ପି ଦେବାର ନିଷ୍କାମ ଭାବନା
ଅଦ୍ଭୂତ ତା'ର ସ୍ଵରୂପ ।
ତୁଳସୀ ବଗିଚା ପବନେ ଝୁଲଇ
ହାତ ଠାରି ମୋତେ ଡ଼ାକେ
ହୃଦୟର କେତେ ଅକୁହା କଥା ଯେ
ମୋ ହୃଦୟେ ଭରିଦିଏ ।
କୃଷ୍ଣଚୂଡ଼ା ଆଉ ରାଧାତମାଳରେ
ମଲ୍ଲୀ ଫୁଲ ଦେଇ ଦିଏ
ତୁଳସୀ କେଣ୍ଡାକୁ ମଝିରେ ଦେଇ ମୁଁ
ମାଳଟି ଯେ ଗୁନ୍ଥି ଦିଏ ।
ଦୂରକୁ ମୁଁ ଚାହେଁ ଚକା ଆଖି ଦିଶେ
ତା' ମଧ୍ୟେ ଯୁଗଳ ମୂର୍ତ୍ତି
ମୋ ହୃଦଚ୍ଛ୍ଵାସରେ ମାଳାଟିକୁ ଦେଇ
ମନରେ ପାଏ ମୁଁ ଶାନ୍ତି ।
ନିଃଶ୍ବାସ ପ୍ରଶ୍ଵାସ ସ୍ତବ୍ଧ ହୋଇଯାଏ
ନିଶ୍ଚଳ ହୁଅଇ ମନ
ଭକ୍ତି ଭାବାନ୍ତରେ ତଲ୍ଲୀନ ହୁଏ ମୁଁ
ହୋଇଯାଏ ମୁଁ ମଉନ ।