ପ୍ରତିଶୃତି
ପ୍ରତିଶୃତି
ତୁମକୁ ଭୁଲିଯିବା ପାଇଁ
ପ୍ରତିଶୃତି ଦେଲାପରେ
ତୁମେ ଚାଲିଗଲ
ତୁମେ କଣ ନେଇଗଲ ଜାଣିନି
ହେଲେ
ମୋ ପାଇଁ ପ୍ରଶ୍ନ ଟିଏ ଛାଡିଗଲ
"ଭୁଲି ଯିବାଟା କଣ ଏତେ ସହଜ " ?
ତୁମକୁ ଭୁଲିଯିବାକୁ
ପ୍ରତିଶୃତି ଦେଇଥିଲି
ତୁମ ଆବେଗରେ ବଂଚିବାର
ଭଟ୍ଟା ନ ପଡିବାକୁ
ତୁମକୁ ଭୁଲିଯିବାକୁ
ପ୍ରତିଶୃତି ଦେଇଥିଲି
ତୁମେ ଗୁଡାଏ ଅସମାଧିତ ପ୍ରଶ୍ନକୁ ନେଇ
ଛଟପଟ ନ ହୁଅ ବୋଲି
ତୁମକୁ ପ୍ରତିଶୃତି ଦେଇଥିଲି
ତୁମ ଆଜନ୍ମ ସଂପର୍କର ହାତଟା
ତୁମ ମୁଣ୍ଡ ଉପରୁ
ଦୁରେଇ ନ ଯାଉ ବୋଲି
ତୁମକୁ ପ୍ରତିଶୃତି ଦେଇଥିଲି
ତୁମ ଜନ୍ମଦତ୍ତ ପ୍ରେମର ଚୌହଦୀରେ
ବୁଝାମଣା ମାନେ
ଇତଃସ୍ତତ ହୋଇ ନ ଦଉଡନ୍ତୁ ବୋଲି
ପ୍ରତିଶୃତି ଦେଇଥିଲି ।
ତୁମକୁ ପ୍ରତିଶୃତି ଦେଲା ପରେ
ମୁଁ ଯେଉଁଠି ଥିଲି ସେଇଠି ଅଛି
ମୋ ଆବେଗର ଅଳିନ୍ଦରେ
ତୁମ ସ୍ମୃତି ମାନେ
ଆନନ୍ଦ ଦେଉଛନ୍ତି ।
ଲିଭାଇବାକୁ ଚେଷ୍ଟା କରିନି
କାହିଁକି ବା ଲିଭାଇବି
ସେମାନେ ମୋ ଜୀବନକୁ
ଜାଳି ନାହାନ୍ତି- ଜଳେଇ ରଖିଛନ୍ତି ।
ତୁମକୁ ପ୍ରତିଶୃତି ଦେଲା ପରେ
ତୁମ ସଙ୍ଗେ ଦେଖା କରିବାର ଇଚ୍ଛା
ପ୍ରତିଶୃତି ର ଏରୁଣ୍ଡି ବନ୍ଧ ଡେଇଁନି
ହେଲେ ମୋ ଅନୁରାଗ ର ବାରଣ୍ଡାରେ
ତୁମ ପାଇଁ ସୁମନାସର
ଝୋଟି ପଡିଅଛି ।
ପ୍ରତିଶୃତି ର ସନ୍ତୋଷ ମୟ ପାଚେରୀ ଭିତରେ
ଆମ୍ବଗଛେ ଖୋଜୁଛି ମୁଁ କୋଇଲି
ହୁଏତ , ସେ କହି ଦେବ ତୁମ କଥା ।
ଗୋଟିଏ କଥା
କେବଳ ପଚାରିବାକୁ ଇଚ୍ଛା
ତୁମ ହୃଦୟ କାନ୍ଥର ସ୍କୃତି ମାନଙ୍କୁ
ପୋଛି ଦେବାରେ
ତୁମେ କଣ ସଫଳ ହୋଇଛ ?
ମୋ ପ୍ରତିଶୃତି କୁ ତୁମ ଆଞ୍ଜୁଳିରେ
ଢାଳି ଦେବା ପରେ
ତୁମ ତ୍ୟାଗର ମହତ୍ତ୍ଵକୁ
ବୁଝିଛନ୍ତି ତ ଅନ୍ୟମାନେ ?
ହଁ,
ମୋ ପ୍ରତିଶୃତି ଭାବ ମଣ୍ଡପରେ
ମୁଁ ଯେମିତି ଥିଲି
ଠିକ୍ ସେଇମିତି ଅଛି
ହଁ ମୁଁ ସେଇମିତି ଅଛି ।
