ସେଇ ଅପୂର୍ବ ମଣିଷ
ସେଇ ଅପୂର୍ବ ମଣିଷ
ବାପା !
ତୁମେ ମୋ ରକ୍ତ ବିନ୍ଦୁର
ପ୍ରତ୍ୟେକଟି କଣିକାକୁ
ଲାଲ୍ ରଙ୍ଗ ମାଖି ଦେଇଥିବା
ସେଇ ଅପୂର୍ବ ମଣିଷ-
ବାପା-
ତୁମେ ମୋର ମନ ଚେତନାର
ପ୍ରତିଟି ଅଳିନ୍ଦରେ
ପବିତ୍ର ଓଁ କାର ର ଆବାହକ ସାଜି
ଶବ୍ଦ ବିହୀନ କର୍ମରେ
ମୋତେ ସୁପଥ ଦେଖାଇଥିବା
ସେଇ ଅପୂର୍ବ ମଣିଷ -
ବାପା-
ତୁମେ ମୋର ଅବିସ୍ମରଣୀୟ
ଦିନ ଦିନାଙ୍କର ସ୍ମରଣୀୟ
ପୁଣ୍ୟ ଶ୍ଳୋକ
ଯିଏ ବିନା ଉଚ୍ଚାରଣରେ
ମୋ ଶୂନ୍ୟତାର ମଣ୍ଡପରେ
ଉପସ୍ଥିତ ହୋଇ
ଦିଶା ଦର୍ଶାଉଥିବା
ଜଣେ ଅପୂର୍ବ ମଣିଷ ।
ବାପା-
ନା ତୁମ ପଞ୍ଚଭୂତ ଶରୀର ଅଛି
ନା ତୁମ କାନ୍ଥ ଟଙ୍ଗା ଛବିରେ
ତୁମେ ଅଛ
ହେଲେ,
ମୋ ଛାତି ପ୍ରତିଟି ପିଞ୍ଜରା ତଳେ
ମୋ ହୃଦୟ ସ୍ପନ୍ଦନରେ
ତାଳ ଦେଇ ତୁମେ ମୋର
ପାଖେ ପାଖେ ଅଛ -
ଆଉ
ମୋ କର୍ମର ମଣ୍ଡପରେ
ଶୁଦ୍ଧତାର ପାଣି ସିଞ୍ଚୁ ଥିବା
ତୁମେ ସେଇ ଅପୂର୍ବ ମଣିଷ -
ବାପା-
ଦେଇ ଦେଇ ନିଃସ୍ଵ
ସହି ସହି ଶ୍ରେଷ୍ଠ
ସ୍ୱ- ଦହନେ ସ୍ୱତନ୍ତ୍ର ତୁମେ
ହଁ ,
ତୁମେ ଧନ ନ ଥାଇ କୁବେର
ତୁମେ ଶିକ୍ଷା ନ ଥାଇ ଶିକ୍ଷକ
ତୁମେ ଅଭିମାନ ପରିତ୍ୟକ୍ତ ଇଲାକାର
ସ୍ୱାଭିମାନ ଭରା ସମ୍ବଳ
ଆଉ
ଯନ୍ତ୍ରଣା ଜଉଘରେ
ଜନ୍ମିତଙ୍କ ସୁଖ ଭାବୁ ଥିବା
ଏକ ଅପୂର୍ବ ମଣିଷ -
ବାପା-
ତୁମେ ମୋ ଜୀବନ ଯଜ୍ଞ ଶାଳାର
ଆହୂତି ର ଘୃତ
ମୋ ଆତ୍ମ ବିଶ୍ୱାସର
ସୁଚିନିଷ୍ଠ ସୁଦୃଢ଼ ଚଟାଣ
ତୁମେ ବିଶ୍ୱାସ ରେ ଆଶ
ପୁଣି ସମସ୍ୟାରେ
ଦୃଢ଼ୋକ୍ତିର ସ୍ୱର
ଆଉ,
ମୋ ଜୀବନ ମନ୍ଦିର ଦୁଆର
ଯଜ୍ଞଶାଳା ଗୃହେ
ନିଜକୁ ଆହୂତି ଦେଇ
ଖୁସି ହେଉଥିବା
ଏକ ଅପୂର୍ବ ମଣିଷ -
ବାପା-
ସମସ୍ତ ଦିନ ଆଉ ଦିନାଙ୍କ ର
ଉର୍ଦ୍ଧ୍ଵରେ ତୁମେ
ମୋ ଜୀବନ ଚ଼ଳନ୍ତି ନାଆ କୁ
ଆଲୁଅ ଦେଖାଉ ଥିବା
ତୁମେ ସେଇ ଦୂର ବତୀଘର
ତୁମେ ତ ଏମିତି ଏକ ଜମିଦାର
କେବଳ ଦେଇ ଜାଣିଛ
ହେଲେ
ପ୍ରତ୍ୟାଶାର ଦୁଆର ଟା ବନ୍ଦ
ଆଉ ମୁଁ ଋଣବନ୍ଦୀ
ନିଃସ୍ଵ ବାଟୋଇଟେ
ଯାହା ପାଇଁ ଋଣ ପରିଶୋଧ
ଭବ୍ୟ ଭାବନା ମାନେ
ନୈରାଶ୍ୟର ନଈ ପହରନ୍ତି
ଆଉ
ତୁମର ସେ ନିର୍ଲିପ୍ତ ମୁଖ ମଣ୍ଡଳ
ଉପରୁ ମୁହଁ ଦେଖାଇ
ଅନେକ କିଛି କୁହେ
ହେଲେ ,
ଅନ୍ୟ ପାଇଁ ତୁମେ ଯେ ଅଦୃଶ୍ୟ - -
*ପିତୃ ଦିବସରେ ସମସ୍ତ ବାପାଙ୍କୁ ମୋର ଶ୍ରଦ୍ଧା, ସ୍ନେହ, ଶୁଭେଚ୍ଛା ତଥା ସମ୍ମାନ *
