କାହିଁକି ମୁଁ ଭଲପାଏ
କାହିଁକି ମୁଁ ଭଲପାଏ
ତୁମେ ଭାବୁଛ
ତୁମେ ଖୁବ୍ ସୁନ୍ଦର ବୋଲି
ମୁଁ ତୁମକୁ ଭଲ ପାଏ !
ନା-
ମୁଁ ତୁମକୁ ଭଲପାଏ
କାହିଁକି ନା
ସଂଘର୍ଷ ସଂଗେ ଜୁଝି ଜୁଝି
ତୁମକୁ କେବେ ହାଲିଆ ହେବା ଦେଖିନି
ଦେଖିନି କେବେ ବି
ଦୁଃଖର ପାହାଡ଼ କୁ ମୁଣ୍ଡାଇ
କ୍ଳାନ୍ତ ହେବା
ଦେଖି ନି ବି କେବେ
ମୁହଁରେ ସ୍ମିତ ହସର ନୁଖୁରା ପଣ
ସେ ହସ ରେ
ଦେଖିଛି
ତୁମର ବ୍ୟକ୍ତିତ୍ୱ ଝଲସି ବାର ।
ତୁମେ ଭାବୁଛ
ମୁଁ ତୁମ ରୂପର ପ୍ରେମିକ
ନା -
ମୁଁ ତୁମ ରୂପର ପ୍ରେମିକ ନୁହେଁ
ତୁମ ଚାଲିର ଦୃଢତା
ତୁମ ଚାହାଣୀର ସ୍ତବ୍ଧତା
ତୁମ ଅଳ୍ପ କଥାର ଜାଦୁକରୀ
ତୁମ ଉପସ୍ଥିତିରେ ଗାମ୍ଭୀର୍ଯ୍ୟତା
ତୁମ କଥନୀର ନମନୀୟତା
ତୁମ ବକ୍ତବ୍ୟରେ
ଆତ୍ମ ବିଶ୍ୱାସର ପ୍ରତିଫଳନ
ମୋତେ ତୁମ ପ୍ରେମିକ କରି ଦେଇଛି ।
ତୁମେ ଭାବୁଛ
ତୁମେ ଧନଧାନ୍ୟେ ଐଶ୍ୱର୍ଯ୍ୟମୟ ବୋଲି
ମୁଁ ତୁମକୁ ଭଲପାଏ -
ନା-ମ-
ତୁମ ଉପସ୍ଥିତିରେ ଆନନ୍ଦ ମିଳେ
ତୁମ ଅନୁପସ୍ଥିତି ବି ଦିବ୍ୟ ଭାବନା ଜାଗେ
ତୁମେ ଯେଉଁଠି ଯାଅ
ଲାଗେ
ହାତରେ କାଉଁରୀ କାଠି ନେଇ ବାହାର
ଶବ୍ଦ ଭାବ ଓ ଚରିତ୍ରର ମଧୁମିଳନରେ
ଯେପରି ଅଭିଭୂତ କରିଦିଅ
ଲାଗେ ପୁଣି
ତୁମେ ଅସୀମ ଶକ୍ତିର ଆଧାର
ତୁମ ଚାହାଣୀରେ
ଦମ୍ଭ , ସାହସ ଆଉ ସତ୍ୟ
ଦାଉ ଦାଉ ଜଳୁଥାଏ ।
ହଁ ମୁଁ ତୁମକୁ ଭଲପାଏ
ତୁମ ରୂପକୁ ଦେଖି ନୁହେଁ
ବରଂ
ତୁମ ବ୍ୟକ୍ତିତ୍ୱର ଝରକାରେ
ତୁମ ଦମ୍ଭ,ତୁମ ସତ୍ୟନିଷ୍ଠତା,
ତୁମ ନିର୍ଭୟତା,
ତୁମ ନିର୍ଭୀକତା
ଆଉ ତୁମ ଜାଗରୁକ ମଣିଷଟାକୁ ଦେଖି
ହଁ,
ତୁମେ ସେଇ ଜାଗରୁକ ମଣିଷ
ଯିଏ
ଆବେଗରେ ଭାସି ଯାଇନି
ଯିଏ ଆକ୍ଷେପରେ ଡରି ଯାଇନି
ଯିଏ କର୍ମ ଓ କର୍ତ୍ତବ୍ୟ କରୁ କରୁ
ମୋହରେ ବାନ୍ଧି ହୋଇଯାଇନି ।
ସତ କହୁଛି -
ଏଇଥି ପାଇଁ ହିଁ ଭଲ ପାଇଛି
ହଁ, ଏଇଥି ପାଇଁ ହିଁ ଭଲ ପାଇଛି
ହେଲେ
ବାନ୍ଧି ବାକୁ ଚାହିଁନି ।
ନା ବାନ୍ଧିବାକୁ ଚାହିଁନି ।
