ଚିତଚୋର
ଚିତଚୋର
ମାଧବୀ ଲତାରେ ଖେଳଇ ଦୋଳି
ଗୋପୀ ପଦଧୂଳି ଦେହରେ ବୋଳି
ଅଧରେ ମୁରଲୀ ବଜାଏ ଜାଣି
ପରାଣ କିଣଇ ଚକର ପାଣି
କେଉଁଥିରେ ସୁଖ ଲାଗୁନି ମନ
ଭେଟିବାକୁ ସେଇ କାଲିଆଧନ
ଚାଳଗୋ ସଖୀ କୁଞ୍ଜକୁ ଯିବା
ହଟିଆ କାଳିଆ ସଂଗେ ମିଶିବା ।
ଅଧା ବୁଲାହେଲା ହାଣ୍ଡିକ ଦହି
ଫୁଟା ନହୋଇଲା ଧାନରୁ ଖଇ
ଖୁଣ୍ଟରୁ ବାଛୁରୀ ଦିଏଫିଟାଇ
କ୍ଷୀର ଦୁହିଁବାକୁ ତରବା କାହିଁ
ଦେହ ସାରା ଭିଜି ଗଡ଼ଇ ଝାଳ
ଅଳରା ପଡିଛି ମୁଣ୍ଡରୁ ବାଳ
କାହାର ବସନ ଲୋଟିଛି ଧୂଳି
ଖାଉଥିଲା କିଏ କରିନି କୁଳି
ଚାଳଗୋ ସଖୀ କୁଞ୍ଜକୁ ଯିବା
ହଟିଆ କାଳିଆ ସାଥେ ରସିବା।
ବିଶାଖା ବୋଲନ୍ତି ରାଧିକା ଚାହିଁ
ପ୍ରେମଠାରୁ ବଡ କେଅଛି ନାହିଁ
ଶ୍ୟାମନାଗର କୁ କୁହଗୋ ଯାଇଁ
ଭାବିଦେଲେ ଦେଖା ଦେବେଲୋ ଥାଇ
ହଟିଆ କାଳିଆ ଆସିଲେ ଧାଇଁ
ବସନ ଚୋରାଇ ଆଣିଲେ ଯାଇଁ
ଗୋପୀମାନକର ଏପରି ଦଶା
ଆମକୁ କରନି ହେ ଲୋକହସା
ଲଳିତା କୁହନ୍ତି ହେ ବେଣୁଧର
ଦିଅ ବସ୍ତ୍ର ଆଣି ହେ ଚିତ ଚୋର ।