STORYMIRROR

Bidyadhar Mantry

Abstract Classics Inspirational

5  

Bidyadhar Mantry

Abstract Classics Inspirational

ଏ ଦୁନିଆଁ ଖୋଲା ମଞ୍ଚ

ଏ ଦୁନିଆଁ ଖୋଲା ମଞ୍ଚ

1 min
503


ପରଦା ବିହୀନ ଖୋଲା-ମଞ୍ଚ ଖୋଲା 

ଅଛି ଯୁଗ ଯୁଗ ଧରି

ଅଭିନୟ ଧାରେ ନର,ନାରାୟଣ

ପରିଚିତ ସର୍ବୋପରି

ପୂର୍ବ ନିର୍ଦ୍ଧାରିତ ସମୟ ସାରଣୀ

ମଧ୍ୟେ ଅଭିନୟ ଖେଳ

ବହୁ ଦର୍ଶକଙ୍କ ପସନ୍ଦ ଭିତ୍ତିରେ

ଜାଣି ହୁଏ ଫଳାଫଳ

ମହାନାୟକ ଓ ଶ୍ରେଷ୍ଠ ନିର୍ଦ୍ଦେଶକ

ଦେଖୁଛନ୍ତି ଅଦୃଶ୍ୟରେ

ପୁରସ୍କୃତ ପାଇଁ ମନୋନୀତ ବିଧି

ଅଭିନୟ ଆଧାରରେ


ଖୋଲା ମଞ୍ଚ ଧାରେ ଅଭିନୟ ସାଥେ

ସଂଳାପ ବି ଖୋଲା ଖୋଲି

ନିଜସ୍ୱ ଢ଼ଙ୍ଗରେ ଅଭିନୟ ବିଧି

ବାଜୁ ବା ନ ବାଜୁ ତାଳି

ସୁଖ ଦୁଃଖ ହସ କାନ୍ଦ ଉଜ୍ଜୀବିତ

ଅଭିନୟ କଳା ଧାରେ

ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ 

ଅନୁମେୟ ସହଜରେ 

ନାୟକ ଅପେକ୍ଷା ଖଳନାୟକର

ଅଟ୍ଟହାସ୍ୟ ସଂଳାପରେ

ଖୋଲା ମଞ୍ଚ କ୍ରମେ ରଙ୍ଗୀନ୍ ବି ହୁଏ

ଅଭିନେତ୍ରୀ ନୃତ୍ୟ ଧାରେ

କାହାଣୀରେ ମୋଡ଼ ପ୍ରତିଟି ଦୃଶ୍ୟରେ

କେବେ ହସ କେବେ ଲୁହ

ନିଜ ନିଜ ଭୂମିକାରେ ଅବତୀର୍ଣ୍ଣ 

ଭୁଲି ଆପଣାର କୋହ

ଭାବପ୍ରବଣତା ଅଭିବ୍ୟକ୍ତି ସହ

ଗୋଟିଏ କାହାଣୀ ପରେ

ନୂତନ କାହାଣୀ ମଞ୍ଚସ୍ଥ ପ୍ରାୟତଃ

ନୂଆ ଆଶା ଭରସାରେ

ଜୀବନର ଗଭୀରତା ଅନୁମେୟ 

ଅଭିନୟ ଦକ୍ଷତାରେ 

ନୀରବତା ଦ୍ଵାରା ହୁଏ ପ୍ରକାଶିତ

ଭାବ ଭଙ୍ଗୀ ମାଧ୍ୟମରେ


କିଏ କହେ ଖୋଲା ମଞ୍ଚ ଏ ଦୁନିଆଁ

ରଙ୍ଗ ମଞ୍ଚ ଅନ୍ୟ ଅର୍ଥେ

ପାଣି ଫୋଟକାର ଜୀବନ କେ' କହେ

ଭରସା ନାହିଁ କିଞ୍ଚିତେ 

ତଥାପି ଜୀବନ ନାଟକ ପରାୟ

ଦୁନିଆଁ ଖୋଲା ମଞ୍ଚରେ

ଛଳନା ହେଉ ବା ପ୍ରତାରଣା ହେଉ

ସବୁ ଅଭିନୟ ଧାରେ

ରଙ୍ଗ ପାଉଡର ବୋଳି ହୋଇ ମୁଖେ

ଅଭିନୀତ ସେଇ ଦୃଶ୍ୟ

ପ୍ରିୟ ପରିଜନ ଅବା ଏ ସମାଜ

ଟିପ୍ପଣୀ ଦେବେ ଅବଶ୍ୟ

ଶାଳୀନତା ସହ ଯଦି ଅଙ୍ଗ ଭଙ୍ଗୀ 

ବଳିଷ୍ଠ ଅଭିନୟରେ

ଅବିସ୍ମରଣୀୟ ସେଇ ଦୃଶ୍ୟ ପ୍ରାୟ

ରହେ ଜନ ମାନସରେ


ଅଭିନୟ କ୍ରମେ ହୁଏ ଶିଥିଳତା 

ବାର୍ଦ୍ଧକ୍ୟ ଦ୍ବାର ଦେଶରେ

ସ୍ମୃତି ରୁପେ ସେଇ ଅଭିନୟ ନାଚେ

ନିଜ ମନ ମନ୍ଦିରରେ

ସମୟ ସାରଣୀ ପରେ ଯବନିକା

ଶେଷ ଦୃଶ୍ୟ ଜୀବନର

ଅଭିନୟ ଥିଲା କେତେ ଆପଣାର

କହିବେ ବନ୍ଧୁ ସୋଦର

ଉଲଗ୍ନ ଅବସ୍ଥା ଥିଲା ଜନ୍ମ ବେଳେ

ଶେଷ କୃତ୍ୟ ସେହି ଧାରେ

ଅଭିନୟ କିନ୍ତୁ ଉଲଗ୍ନ ଧାରାରେ

ନ ହେଉ ଖୋଲା ମଞ୍ଚରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract