STORYMIRROR

Bidyadhar Mantry

Romance

4  

Bidyadhar Mantry

Romance

ପାରିଜାତ

ପାରିଜାତ

2 mins
25


ପାରିଜାତ ନାମେ ଚର୍ଚ୍ଚା,କାବ୍ୟ କବିତାରେ
କବି ପ୍ରାଣରେ ପୁଲକ, ପୁଣି ସ୍ପନ୍ଦନରେ
କେ' କହେ ହର-ଶିଙ୍ଗାର , ରାତିର ସେ ରାଣୀ
ଶେଫାଳୀ, ଗଙ୍ଗଶିଉଳି, ଭିନ୍ନ ନାମ ପୁଣି
କିଏ କହେ ମହକ ତା', ମନ ମତାଣିଆ 
ଅନ୍ୟ ମୁଖେ ତା' ହୃଦରେ, ବିରହର ନିଆଁ 
ବିରହ ଜ୍ଵାଳା ତୀବ୍ରତା, ଅସହ୍ୟ ପ୍ରାୟତଃ
ନିଜେ ଜଳି ଧରାଶାୟୀ, ସ୍ପଷ୍ଟ ତାର ଚିତ୍ର
ପାରିଜାତ ଉତ୍ପତ୍ତି ର,ପୌରାଣିକ ତଥ୍ୟ 
ସମୁଦ୍ର ମନ୍ଥନ ଠାରୁ,ରହସ୍ୟ ଜଡ଼ିତ
ସମୁଦ୍ର ମନ୍ଥନୁ ଜାତ,ସେହି ପାରିଜାତ
ସ୍ଵର୍ଗ ପୁରେ ଇନ୍ଦ୍ର ପାଶେ,ଥିଲା ସୁରକ୍ଷିତ 
ଏକଦା ନାରଦ ମୁନି, ଭେଟି ଆକାରରେ
ପାରିଜାତ ଦେଇଥିଲେ,ଶ୍ରୀକୃଷ୍ଣ ହସ୍ତରେ
କ୍ରମେ ରୁକ୍ମୁଣୀଙ୍କ ହସ୍ତେ ,ଦେଖି ପାରିଜାତ 
ସତ୍ୟଭାମାଙ୍କ ଲାଳସା,ଆପେ ଘନୀଭୂତ
ଶ୍ରୀକୃଷ୍ଣଙ୍କ ଆକ୍ରମଣ ,କ୍ରମେ ଇନ୍ଦ୍ର ପ୍ରତି
ପାରିଜାତ ଦେବା ପାଇଁ,ଯେବେ ଅସମ୍ମତି
ସତ୍ୟଭାମା ବାଟିକାରେ,ଦେଖି ପାରିଜାତ
ଉପାୟ ବଳେ ରୁକ୍ମିଣୀ,ଫୁଲ ହସ୍ତଗତ
ତେଣୁ ଗଛ ଠାରୁ ଫୁଲ, ପଡ଼େ ଦୂରେ ଝଡ଼ି
ଏପରି ମର୍ତ୍ତ୍ୟରେ ସ୍ଥିତି, ସ୍ୱର୍ଗପୁର ଛାଡ଼ି


ପାରିଜାତ ନାମେ ପୁଣି ,କାହାଣୀ ପ୍ରେମର 
ସୂର୍ଯ୍ୟ ଦେବ ପ୍ରତି ପ୍ରେମ, ରାଜ କୁମାରୀ ର
ସୂର୍ଯ୍ୟ ଦେବ ପ୍ରତି ପ୍ରେମ,ହୃଦୟରେ ବହି
ରାଜ କୁମାରୀ ସହଜେ, ମନ ନେଲେ ମୋହି
ପିତୃ ଗୃହ ପରିତ୍ୟାଗ, ସୂର୍ଯ୍ୟଙ୍କ କଥାରେ
ପ୍ରେମ ବନ୍ଧନରେ ଦୁହେଁ,ରହିଲେ ସୁଖରେ 
ତେଜସ୍ଵୀ ପୁରୁଷ ସମ,ପ୍ରେମିକ ପ୍ରବର
ପ୍ରେମିକା କୁ ପ୍ରେମ ଜାଲେ, କଲା ଆପଣାର
ପ୍ରେମରେ ବିଭୋର କ୍ରମେ,ପରଷ୍ପର ପ୍ରତି
କ୍ଷଣିକ ସୁଖ ଲାଳସା,ସଫଳ ସମ୍ପ୍ରତି
କ୍ରମେ ବଦଳିଲା ଦୃଶ୍ୟ,ବିଧିର ବିଧାନ
ପ୍ରେମିକ ପ୍ରବର ସୂର୍ଯ୍ୟ,ଫେରିଲେ ସ୍ଵ-ସ୍ଥାନ
କ୍ରମଶଃ ପ୍ରେମିକା ଆପେ,ହେଲେ ଅବଗତ
ପ୍ରେମିକ ପାଖକୁ ଯାତ୍ରା,କରିଲେ ନିଶ୍ଚିତ
ସୂର୍ଯ୍ୟଙ୍କ ପ୍ରଖର ତେଜ, ପ୍ରାୟତଃ ଅସହ୍ୟ
କାଳ କ୍ରମେ ଅସହାୟ ,ସ୍ଥିତି ଭୟାବହ
ପ୍ରିୟ ବିନା ମ୍ରିୟମାଣ,କ୍ରମେ ଆତ୍ମାହୁତି 
ସେ' ଭସ୍ମରୁ ପାରିଜାତ,ସହଜେ ଉତ୍ପତ୍ତି
ପ୍ରିୟ ପୁରୁଷ ସହିତ,ଭେଟିବ କିପରି
ସହଜେ ତେଜସ୍ଵୀ ପୁଣି, ଶକ୍ତି ସର୍ବୋପରି 
ଅପେକ୍ଷାରତ ପ୍ରେମିକା,ପ୍ରେମୀ ବାଟ ଚାହିଁ
ବିତି ଯାଏ ରାତି କ୍ରମେ,ହୃଦେ ଭାବ ଥାଇ 

ରୂପ ଗୁଣ ଯାହା ଥାଉ, ଜୀବନ କ୍ଷଣିକ
ଯଶ କୀର୍ତ୍ତି ଧାରେ ଏକା, ନାମର ସାର୍ଥକ
ରାତି ସାରା ଅପେକ୍ଷାରେ , ମିଳନ ଆଶାରେ
ବୃନ୍ତ ଚ୍ୟୁତ ସ୍ଥିତି ଆପେ,ସୂର୍ଯ୍ୟଙ୍କ ତାପରେ
ମାତ୍ର କେତୋଟି ମୁହୁର୍ତ୍ତ,ଗଲେ ଅପସରି 
ଭେଟ ହୁଅନ୍ତା ପ୍ରେମିକା,ନେବାକୁ ଆବୋରି
ପ୍ରେମିକର ଦାଉ ଭାଉ,ଜ୍ଞାତ ସେ ପ୍ରେମିକା
ବିଚରା ପ୍ରେମିକା ପ୍ରାୟ,ଅସହାୟ ଏକା 
ସୁନ୍ଦର କମଳା ରଙ୍ଗ, ଯଦିଓ ଅଙ୍ଗରେ
ସୂର୍ଯ୍ୟଙ୍କ ଉତ୍ତାପ ସହ୍ୟ , ହୁଏନି ଅଚିରେ
ସୂର୍ଯ୍ୟ ଆକାଶ ମାର୍ଗ ରୁ , ଗଲେ ଅପସରି
ନିଜେ ହୁଏ ସଜ ବାଜ,ଶେଫାଳି ସୁନ୍ଦରୀ
ସକାଳୁ ସୂର୍ଯ୍ୟ କିରଣ ,ପଡ଼ିବା ପୂର୍ବରୁ
ଶେଫାଳି ର ଧୈର୍ଯ୍ୟ ଚ୍ୟୁତି , ବହୁତ ଆଗରୁ
ଫୁଲର ସମ୍ଭାର ନେଇ ସୂର୍ଯ୍ୟଙ୍କ ସହିତ
ଅଭିସାର ରଚିବାକୁ,ପ୍ରତ୍ୟହ ଚେଷ୍ଟିତ
ପ୍ରତି ରାତିରେ ପ୍ରତୀକ୍ଷା ,ପ୍ରେମିକା ରୂପରେ
ପୁଣି ଭୂପତିତ ଚିତ୍ର, ସ୍ପଷ୍ଟ ହୁଏ ଧୀରେ 
ଧନ୍ୟ ପାରିଜାତ ଧନ୍ୟ, ଅଭିସାର ତୋର 
କାବ୍ୟ କବିତାରେ ତୁହି,ଶ୍ରେଷ୍ଠ ଅଳଙ୍କାର
ସ୍ଵର୍ଗ ଛାଡ଼ି ମର୍ତ୍ତ୍ୟ ପୁରେ, ପାରିଜାତ ଫୁଲ
ନାନା ମୁନି ନାନା ମତ,ବିଭ୍ରାନ୍ତ କେବଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance