କ୍ୟାମେରା କାଚରେ ସୁନ୍ଦର ମୁହଁଟିଏ
କ୍ୟାମେରା କାଚରେ ସୁନ୍ଦର ମୁହଁଟିଏ
ସ୍ବପ୍ନଠାରୁ ଟିକେ ଦୂରରେ
ବାସ୍ତବକୁ ଆଲିଙ୍ଗନ କରି
ତୁମ ଦୁଇ ହରିଣୀ ଆଖିର
ସେଇ କଜଳର ପାଚେରୀକୁ ଡେଇଁ
ଚୋରା ଚାହାଣି ଠାରୁ ଲୁଚି
ତୁମ ଓଢ଼ଣୀ ତଳର ସେଇ
ଚାନ୍ଦ ପରି ମୁହଁକୁ ଆଙ୍କିବା ପାଇଁ
ମୁଁ ହାତରେ ତୂଳୀ ଧରି ରଙ୍ଗ ଭରିଦେଇଥାନ୍ତି
ନହେଲେ ମୋର କଲମ କାଳିରେ
ତୁମକୁ ଶବ୍ଦରେ ସଜେଇ ପାରିଥାନ୍ତି।
ହେଲେ ଯେତେ ରଙ୍ଗ ମାଖିଲେ ବି କଳ୍ପନାରେ
ଏକ ନିଖୁଣ ଚିତ୍ରକାର ହୋଇ ତୁମ ପାଇଁ
କେବେ ତୁମ ମୁହଁକୁ ବାସ୍ତବର ରୂପ ଦେଇ
ମୁଁ ନା ହସର ଲହରୀକୁ ଭାଙ୍ଗିପାରିଥାନ୍ତି।
ଆଉ ନା ମୋ କଲମରେ ଏତେ ଯେ କାଳି ଅଛି
ଯେ ମୁଁ ଅଳଙ୍କାର ଦେଇ ତୁମକୁ
ଆଉ ତୁମ ସୁନ୍ଦର ମୁହଁକୁ ସଜେଇ ପାରିଥାନ୍ତି।
କିନ୍ତୁ ତୁମକୁ ସାଇତିବାକୁ ମନର ଆଶା
ଆଉ ଅଝଟ ମନର ଅଭିମାନ ଆଗରେ
ମୁଁ ବି ନିଜେ ହାରିଗଲି ଅସହାୟ ହୋଇ।
ବହୁତ ଥର ମନକୁ ଅଟକେଇବାକୁ ଚେଷ୍ଟାର ଶେଷରେ
ମନ ଜିତିଯାଏ ଆଉ ମୁଁ ହାରିଯାଏ।
ଏମିତି ଲୁଚକାଳିର ହାର ଜିତ୍ ର ଶେଷରେ
ତୁମ ବିନା ଅନୁମତିରେ ମୁଁ ବାଧ୍ୟହୋଇ
ମୋ କ୍ୟାମେରା କଚରେ ବନ୍ଦୀ କରିଦେଲି
ତୁମ ମନଛୁଆଁ ସେଇ ସୁନ୍ଦର ମୁହଁକୁ।
ମନ ବହିର ପ୍ରଥମ ପୃଷ୍ଠାରୁ
ଝରା କଲମରେ କିଛି ଧାଡ଼ି।