ମୋ ଗାଁକୁ ରାସ୍ତା
ମୋ ଗାଁକୁ ରାସ୍ତା
ଏକ ଶୁନଶାନ ନିଘଞ୍ଚ ଜଙ୍ଗଲ
ଆଉ ସେଥିମଧ୍ୟ ଦେଇ ବହୁଦୁରକୁ ଲମ୍ବିଯାଇଥିବା
ସେଇ ଅଣଓସାରିଆ ପାଦ ଚଲା ରାସ୍ତା ହିଁ
ମୋ ଗାଆଁକୁ ଯିବାର ଏକ ମାଧ୍ୟମ।
ନାଇଁ ଏମିତି କେବେ ନୁହେଁ
କି ମୋ ଗାଆଁ ଆଧୁନୀକରଣର ଅଂଶ ନୁହେଁ
କି ଆଧୁନିକତାର ସ୍ଵାଦ ଚାଖିନି
ବାସ୍ ମୋ ଗାଆଁର ଉତ୍ତର ଦିଗରେ
ସେଇ ପକ୍କା ସଡ଼କ ମୋ ଗାଆଁ କୁ ମାପିନି।
ସିଏ ଯୋଡ଼ିଦିଏ ମୋ ଗାଆଁକୁ
ସେଇ ନୂଆକରି ଗଢ଼ିଉଠିଥିବା ସହର
ତା'ର ହାତଗଢା ସୁନ୍ଦରତା
ଆଉ ଆରାମଦାୟକ ଜୀବନ ସହ।
ସେଇ ରାସ୍ତାର ପାର୍ଶ୍ଵ ଦୁଇ ପୁରା ଶୁନଶାନ
ଗୋଟେ ବି ଗଛ ନାହିଁ ସେଇ ରାସ୍ତାରେ
ଯେମିତି ସିଏ ଖାଲି ଯୋଡେନି ସହରକୁ
ବରଂ
ସିଏ ଯେମିତି ଦୂର ଆକାଶକୁ ବି ଛୁଇଁ ଦେଇଛି।
ସେଇ ରାସ୍ତାରେ କେବେ କେବେ ଦେଖିବାକୁ ମିଳିଯାଏ
ବଡ଼ ବଡ଼ ଖମ୍ବ ଯିଏ ଗାଆଁରୁ ସହରର ଦୂରତା ମାପିଛି
ଆଉ ଟିକେ ଛୋଟ ଛୋଟ ଅକ୍ଷରରେ
ସହରର ନାଆଁ ଲେଖି ତାର ପରିଚୟ ବି ଦେଉଛି।
ଆଉ ହଁ ମଝି ବାଟରେ ସେଇ ନଦୀ
ଯିଏ ମୋ ଗାଆଁକୁ ଚାରି ଦିଗରୁ ଘେରି ବହୁଛି
ତା ଉପରେ ସେଇ ପକ୍କା ପୋଲ
ଆଉ ତା ଉପରେ ଥିବା ସେଇ ବଡ଼ ବଡ଼ ପ୍ରାଚୀର
ପୋଲ ତଳେ ସେଇ ପାଣିକୁ ରୋକିବାକୁ
ସବୁବେଳେ ଚେଷ୍ଟା କରୁଥିବା ସେଇ କବାଟ
ଲାଗେ ଯେମିତି ପାଣି ସ୍ରୋତର ଅଭିମାନ ଭାଙ୍ଗୁଛି।
କିନ୍ତୁ ମୋ ଗାଆଁର ସେଇ କଚ୍ଚା ମାଟି ରାସ୍ତା
ଆଉ ସେଇ ଘଞ୍ଚ ଜଙ୍ଗଲର ଶୁନଶାନ
ମନରେ କେବେ ଭୟ ସୃଷ୍ଟି କରେନି
କାହିଁକିନା ଆମେ ତାର ସବୁ ସ୍ୱର କୁ ଜାଣୁ
ତାର ପ୍ରତିଟି ଶବ୍ଦରେ ପ୍ରେମ ଆଉ ବିଶ୍ୱାସକୁ ଅନୁଭବ କରିହୁଏ।
ନା କୌଣସି ମଟର ଗାଡି ଅଛି
ଆଉ ନା କେହି ତାର କାମନା କରନ୍ତି
ସୁନ୍ଦରତାକୁ ଆମେ ଅଭିନୟରେ ନୁହେଁ
ଅନୁଭବରେ ଜାଣିଛୁ କାହିଁକିନା
ଆମେ ସେଇ ବାଟକୁ ପାଦରେ ମାପିଛୁ।
କେବେ ପକ୍ଷୀ ମାନଙ୍କର ମିଠା ସ୍ୱର
ତ ଆଉ କେବେ ସୁଲୁସୁଲୁ ପବନର ସେଇ ତାଳ
ଉଦାସ ମନରେ ଯେମିତି ପ୍ରେମ ଭରିଦିଏ
ସେଇ ଜଙ୍ଗଲର ପାଦଦେଶରେ ବହିଯାଇଥିବା ନଦୀ
ଆଉ ତାର କୁଳୁକୁଳୁ ନାଦ
ସଙ୍ଗୀତର ସାତସ୍ୱର ଠାରୁ ବି ମିଠା ଲାଗେ।
ଆଉ ସେଇ ରାସ୍ତା ଉପରେ ତିଆରି ହେଇଥିବା
କାଠ ପୋଲ
ଯିଏ ମୋ ଗାଆଁକୁ ଆର ଗାଆଁ ସହ ଯୋଡ଼ିଦିଏ
ଆଉ ତାର ତଳ ଦେଇ ବହିଯାଉଥିବା ସେଇ ନଦୀର ସ୍ରୋତ
ଯାହାକୁ ଅଟକାଇବାକୁ କୌଣସି ବି ଚେଷ୍ଟା ନାହିଁ।
ପୋଲର ଅପାର ପାର୍ଶ୍ଵରେ ସେଇ ବୁଢା ବରଗଛ
ଯିଏ କେଜାଣି କଉ କାଳରୁ ସେଠାରେ ଅଛି
ଯିଏ ସେଇ ରାସ୍ତାକୁ ଦୁଇ ଭାଗ କରେ
ଆଉ ମୋ ଗାଆଁକୁ ଆସିବାର ବାଟ ପଥିକକୁ କହେ।
ନା କୌଣସି ଦୂରତାକୁ ମାପିଥିବା ଖମ୍ବ ଅଛି
ଆଉ ନା ହିଁ କିଛି ପରିଚୟ ଦେଉଥିବା ନାମ ଲେଖା ଖମ୍ବ।
କିନ୍ତୁ ସେଇ ରାସ୍ତା ହିଁ ମୋ ଗାଆଁକୁ ବାଟ ଜାଣିଛି
କାହିଁକିନା ସିଏ ହିଁ ମୋ ଗାଆଁର ପରିଚୟ ଦେଇଛି।