ନାରୀ ମାତୃରୂପେଣ ବନ୍ଦ୍ଯା
ନାରୀ ମାତୃରୂପେଣ ବନ୍ଦ୍ଯା
ସୃଷ୍ଟି ରହସ୍ୟରେ ପୁରୁଷ ପ୍ରକୃତି
ଦୁହେଁ ଅଟନ୍ତି ସମାନ |
ଉଭୟଙ୍କ ବିନା ସୃଷ୍ଟିର ପ୍ରକ୍ରିୟା
କେବେ ନ ହୋଇବ ପୂର୍ଣ୍ଣ ||
ପ୍ରକୃତିର ସମ ମାତୃସ୍ବରୂପିଣୀ
ନାରୀ ଅଟେ ସର୍ବଂସହା |
ଧରିତ୍ରୀ ସମାନ ସହନଶୀଳା ସେ
ସକଳ ପ୍ରାଣୀଙ୍କ ସାହା ||
କେବେ ମାତୃକଳ୍ପା ଭଗିନୀ ଓ ଜାୟା
ବାନ୍ଧବୀ ସେ ସ୍ନେହମୟୀ |
କଦା ସୁସେବିକା ଆଶିଷ ଦାୟିନୀ
କେବେ ସେ କଲ୍ୟାଣମୟୀ ||
ଶାନ୍ତେ ଦୟାମୟୀ କ୍ରୋଧେ ଜ୍ଵାଳାମୁଖୀ
ବିବିଧ ରୂପେ ଭୂଷିତା |
ସନ୍ତାନ ପାଇଁ ସେ ଆଶିଷବତ୍ସଳା
ଦେବୀ ରୂପେ ଆବିର୍ଭୂତା ||
ବୈଦିକଯୁଗର ବିଦୁଷୀ ରମଣୀ
ଗାର୍ଗୀ-ମୈତ୍ରୀ–ଋତମ୍ଭରା ।
ବୈଦିକ ମନ୍ତ୍ରର ତତ୍ତ୍ବ ଓ ତଥ୍ୟକୁ
ପ୍ରସାରିଲେ ବିଶ୍ବସାରା ||
ପୁରାଣ ଯୁଗର ସୀତା ଓ ସାବିତ୍ରୀ
ଅନସୂୟାସତୀ ନାରୀ |
ପତିବ୍ରତାରୂପେ ହୋଇ ପରିଚିତା
ରଖିଲେ ଦେଶର ଶିରୀ ||
ଝାନସିର ରାଣୀ ଦେବୀ ଲକ୍ଷ୍ମୀବାଈ
ରଚି ଇତିହାସେ ସ୍ମୃତି |
ଶତ୍ରୁ ସଂହାରିଣ ହୋଇଲେ ଅମର
ରହିଗଲା ତାଙ୍କ ଖ୍ୟାତି ||
ଆଧୁନିକା ନାରୀ ଇନ୍ଦିରା-ପ୍ରତିଭା
କଳ୍ପନା-ଲତା ପ୍ରଭୃତି |
ନାରୀତ୍ବ ସୁଲଭେ କରି ରାଷ୍ଟ୍ର ହିତ
ରଖିଲେ ଦେଶର ଖ୍ଯାତି ||
ନାରୀର ପରମ ଭୂଷଣ ଅଟଇ
ମହାନ ଗୁଣଟି ଲଜ୍ଜା ।
ସେହି ଗୁଣେ ନାରୀ ହୁଏ ମହୀୟସୀ
ସସମ୍ମାନେ ପାଏ ପୂଜା ||
ସୌନ୍ଦର୍ଯ୍ଯ ରୂପଟି ତା’ଶ୍ରେଷ୍ଠ ଭୂଷଣ
ସଯତ୍ନେ ରଖିଲେ ନାରୀ |
ଆପାଦ ମସ୍ତକ ହେଲେ ବସ୍ତ୍ରାବୃତ୍ତ
ନଥିବ କେ ତା' ବଇରି ||
ଭଦ୍ର-ଶିଷ୍ଟ–ନମ୍ର ମିଷ୍ଟଭାଷୀ ଗୁଣ
ଅଟେ ନାରୀ ଆଭୂଷଣ |
ସହାସ୍ୟ ବଦନେ ବିନୟ ବଚନେ
ଦିଏ ପରକୁ ସମ୍ମାନ ||
ନତ ମସ୍ତକରେ ଧୀରପଦପାତେ
ଚାଲୁଥାଏ ଯେଉଁ ସ୍ତିରୀ ।
ମସ୍ତକେ ଓଢଣା କରେ ସଦାବୃତ୍ତ
ସେ ତ ଶିରୀମତୀ ନାରୀ ||
ହୋଇ ପତିବ୍ରତା କରେ ସ୍ଵାମି ସେବା
ଶାଶୁ-ଶ୍ବଶୁରଙ୍କୁ ଭକ୍ତି ।
ମାନ୍ୟ ଓ ଶ୍ରଦ୍ଧାରେ ନଣନ୍ଦ-ଯାଆଙ୍କୁ
ସ୍ନେହ କରେ ଯଥାଶକ୍ତି ||
ଦେଢଶୁର-ଦେଢଶାଶୁଙ୍କୁ ଯେ ନାରୀ
ଗୁରୁଜନ ତୁଲ୍ୟ ମାନେ |
ମାତୃବତ ହୋଇ କନଷ୍ଠଙ୍କଠରେ
କରେ ଆଦର ସଯତ୍ନେ ||
ପୁତ୍ମର ଦୁହେଁ ଦେବର–ପୁତୁରା
ବାତ୍ସଲ୍ୟେ କରେ ଆଦର |
ସେହି ସ୍ତରୀ ଲଭେ ପରମସ
ୌଭଗ୍ୟ
ନାରୀ ମଧ୍ଯେ ହୁଏ ସାର ||
ଭୋଜନେ-ଶୟନେ-ପଠନ-ପାଠନେ
ଗୃହକାର୍ଯ୍ଯେ ଦେଇ ଧ୍ଯାନ |
ସମଦର୍ଶୀ ହୋଇ କରିଲେ ସୁସେବା
ବଢେ ତା'ଯଶ-ସମ୍ମାନ ||
ସୁଶିକ୍ଷିତା ନାରୀ ଦେଶର ସେ ଶିରୀ
ସମାଜକୁ ଦିଏ ଶିକ୍ଷା |
ପରିବାର ସହ ସଭିଙ୍କ ମଙ୍ଗଳ
କରେ ପୁଣି ରାଷ୍ଟ୍ର ରକ୍ଷା ।।
ନାରୀ ଯେ ଅଟଇ ପିତୃକନ୍ୟାରତ୍ନ
ଶ୍ବଶୁରଙ୍କ ସୁନା ବଧୁ |
ଉଭୟ କୁଳର ଅଟେ ହିତୈଷିଣୀ
ସ୍ନେହ-ମମତାର ସିନ୍ଧୁ ||
ପ୍ରତିବେଶୀଙ୍କର ଶ୍ରଦ୍ଧାର ଭାଜନ
ହୁଅଇ ଯେଉଁ ରମଣୀ |
ପିତୃକୁଳ ସହ ଶ୍ବଶୁର କୁଳରେ
ପ୍ରଶଂସିତ ହୁଏ ପୁଣି ||
ଦାନ-ଧର୍ମ ସହ ବ୍ରତ ଉପବାସ
ଭକ୍ତି-ଶ୍ରଦ୍ଧାରେ ଯେ କରେ ।
ଗୁରୁଜନ ତଥା ଈଶ୍ବର କୃପାରୁ
ସୁଯଶ ଲଭେ ମହୀରେ ||
ସମସ୍ତଙ୍କ ସୁଖ ଦୁଃଖରେ ଯେ ନାରୀ
ଯଦି ହୁଏ ସମଭାଗୀ |
ସଭିଙ୍କର ସେହି ଅତି ପ୍ରିୟପାତ୍ର
ହୁଏ ଜନ ଅନୁରାଗୀ ||
ନାରୀ ହିଁ ଅଟଇ ନାରୀର ବଇରି
ଏହା ଅଟେ ଧ୍ରୁବ ସତ୍ୟ |
ପରମ ହିଂସ୍ରକ ଅଟଇ ସ୍ବଜାତି
ଯୁକ୍ତିଟି ଅଟେ ଅକାଟ୍ୟ ||
ନାରୀ ତ ନୁହଁଇ ଅବଳା ଦୁର୍ବଳା
କାହାର ସେ କ୍ରୀଡନକ |
ପୁରୁଷଙ୍କର ସେ ଅଟେ ସମକକ୍ଷ
ଜୟ କରେ ମହୀଲୋକ ।।
ସମ୍ପ୍ରତି ନାରୀର ସଂଜ୍ଞା-ପରିଭାଷା
ଯାଇଛି ଆଜି ବଦଳି |
ଆପଣା ହସ୍ତରେ ନିଜ ଜିହ୍ବା ଛେଦି
ଆପଣାକୁ ଦିଏ ବଳି ||
ଇଂରାଜୀ ଶିକ୍ଷିତା ଉଗ୍ର ଆଧୁନିକା
ହୋଇଣ ଗର୍ବେ ଉନ୍ମତ।
ପରିବାରେ ଅବା ସମାଜେ ନିଜର
ନରଖେ ଲଜ୍ଜା-ଇଜ୍ଜତ ||
ଆଧୁନିକତାକୁ ଦ୍ୱାହି ଦେଇ ନାରୀ
ହୁଅଇ ସେ ପଥଭ୍ରଷ୍ଟ |
ହୋଇ ସ୍ବେଚ୍ଛାଚାରୀ ଜିଦଖୋର ପଣେ
ନାରୀତ୍ୱକୁ କରେ ନଷ୍ଟ ||
ସ୍ବାଧୀନତା ଅର୍ଥ ନୁହେଁ ସ୍ଵେଚ୍ଛାଚାରୀ
ଏହା ଅବଶ୍ୟ ସ୍ବୀକାର୍ଯ୍ଯ |
ସ୍ବେଚ୍ଛାଚାରିତାରେ ଥାଏ ମହାବିଘ୍ନ
ଜୀବନ ହୁଏ ବିଲୟ ||
ନାରୀ ହିଁ ସୁପୂଜ୍ଯା ଚିରବନ୍ଦନୀୟା
ସେ ଅଟେ ଅତୁଳନୀୟା ।
ମାତୃରୂପେଣ ସେ ହୋଇ ଆବିର୍ଭୂତା
ସେ ହୁଏ ପ୍ରଶଂସନୀୟା ।।
ଯେଉଁଠି ନାରୀର ସମ୍ମାନ-ଆଦର
ସେଠି ଦେବତା ପ୍ରସନ୍ନ ।
ତାହାଙ୍କର ଯଦି ହୁଏ ଅପମାନ
ବିଘ୍ନ ହେବ ସମୁତ୍ପନ୍ନ ।।