ନିଃସଙ୍ଗ ଜୀବନ
ନିଃସଙ୍ଗ ଜୀବନ
ଚରାଚର ଏହି ବିଶ୍ବ ବ୍ରହ୍ମାଣ୍ଡରେ
ସୃଷ୍ଟିର ଅଦ୍ଭୁତ ସ୍ଥିତି
ପରସ୍ପର ଥାନ୍ତି ବିପରୀତ ଧର୍ମୀ
ସ୍ରଷ୍ଟାଙ୍କ ବିଚିତ୍ର ନୀତି ।
ସଜୀବ-ନିର୍ଜୀବ ଦୁଇ ଭିନ୍ନ ଶବ୍ଦ
ଦୃଶ୍ୟ ହୁଏ ଏହି ମର୍ତ୍ତ୍ଯେ
ଜୀବନ ସହିତ ସ୍ଥିତି ଯେ ଯାହାର
ସଜୀବ ଅଟେ ଜଗତେ ।
ପଶୁପକ୍ଷୀ-କୀଟ-ପତଙ୍ଗ ଓ କୃମି
ବୃକ୍ଷଲତାଏ ସଜୀବ
ଜୀବନ ବିହୀନ ବସ୍ତୁ ଓ ପଦାର୍ଥ
ସମସ୍ତେ ନିଶ୍ଚେ ନିର୍ଜୀବ ।
ଶରୀର ମଧ୍ଯରେ ଜୀବନୀଶକ୍ତିରେ
ପ୍ରାଣବାୟୁ ସତ୍ତା ଥାଏ
ସେହି ବାୟୁଦ୍ବାରା ପ୍ରାଣସଞ୍ଚାରରେ
ଶରୀର ଚାଳିତ ହୁଏ ।
ସର୍ବୋତ୍କୃଷ୍ଟ ଜୀବ ଅଟଇ ମାନବ
ଦୁର୍ଲଭ ତା'ର ଜୀବନ
ନର କଳେବର ଲଭିଣ ମନୁଷ୍ୟ
ହୋଇଥାଏ ଭାଗ୍ଯବାନ ।
ପିତାମାତା ଭାଇଭଉଣୀଙ୍କ ସହ
ବିତାଏ ସୁଖ ଜୀବନ
ବାଲ୍ଯଲୀଳା ପରେ ଧୂଳିଖେଳ ସାରି
କାଟେ କୈଶୋର ଜୀବନ ।
ପ୍ରତଵେଶୀ ଆଉ ସମାଜ ସହିତ
ରଖେ ମଧୁର ସଂପର୍କ
ଯୁବାବୟସରେ ମଜା-ମଉଜରେ
ବାଣ୍ଟିଥାଏ ସୁଖ ଦୁଃଖ ।
ସାଙ୍ଗସାଥି,ପ୍ରିୟ ପରିଜନେ ମେଳେ
ବିତିଯାଏ ଖୁସି ମୁହୂର୍ତ୍ତ
ସମସ୍ତଙ୍କ ପ୍ରିୟ ଭାଜନ ହୋଇଣ
ସ୍ନେହେ ହୁଏ ଅନୁବନ୍ଧିତ ।
ଅଧ୍ୟୟନ କାର୍ଯ୍ୟ କରି ସମାପନ
ଅନ୍ତେ କରେ ଜ୍ଞାନାର୍ଜନ
ଜୀବିକା ନିମନ୍ତେ ବାଛି କର୍ମପନ୍ଥା
ଅର୍ଥ କରେ ଉପାର୍ଜନ ।
ସମସ୍ତଙ୍କ ସହ ସ୍ନେହ ଓ ଶ୍ରଦ୍ଧାରେ
ବିତାଏ ସଙ୍ଗ ଜୀବନ
ତଦନ୍ତେ ଦାମ୍ପତ୍ୟ ଜୀବନ ନିର୍ବାହ
ହୋଇଥାଏ ଅନୁଦିନ ।
>ପତି-ପତ୍ନୀ-ପୁତ୍ରକନ୍ଯାଙ୍କ ସହିତ
ଚାଲଇ ସଂସାର ରଥ
ଝଡଝଞ୍ଜା ସହ ସମସ୍ୟା ଅନେକ
ଆସୁଥାଏ ଅବିରତ ।
ସଂସାର ଜଞ୍ଜାଳେ ସବୁ କିଛି ଭୁଲି
ହୁଏ ସେ ନିଃସଙ୍ଗ ପରି
ଜ୍ଞାତି-ପରିଜନ ବନ୍ଧୁ-ବାନ୍ଧବଙ୍କୁ
ଯାଇଥାଏ ସେ ପାସୋରି ।
ଦାମ୍ପତ୍ୟ ଜୀବନେ ଆସିଗଲେ ଝଡ଼
ଥମିବା ଅତୀବ କଷ୍ଟ
ବିବାଦ ବାତ୍ୟାର ମହାତାଣ୍ଡବରେ
ପରିବାର ହୁଏ ଧ୍ବସ୍ତ ।
ମନାନ୍ତର ପୁଣି ମତାନ୍ତର ଦ୍ବାରା
ହୁଅଇ ତିକ୍ତ ବଚସା
ପରସ୍ପର ମଧ୍ଯେ ଘଟଇ ବିଚ୍ଛେଦ
ଜୀବନ ହୁଏ ନିରାଶା ।
ଦୁହିଁଙ୍କ ବିଚ୍ଛେଦୁ ଉଜୁଡେ ସଂସାର
ନଥାଏ କୂଳ-କିନାରା
ପୁତ୍ରକନ୍ଯାମାନେ ନିରାଶ୍ରୟ ଭାବେ
ହୋଇଥାନ୍ତି ବେସାହାରା ।
ପତିପତ୍ନୀ ଦ୍ବୟ ବିରହ ନିଆଁରେ
ହୁଅନ୍ତି ଯେ ଦଗ୍ଧିଭୂତ
ନିଃସଙ୍ଗ ଭାବରେ ଏକାକୀ ଜୀବନେ
ଦୁଃଖ ପା'ନ୍ତି ଅପ୍ରମିତ ।
ସମସ୍ତେ ଥାଇବି ଦୁନିଆ ଲାଗଇ
ନିରୋଳା ଆଉ ନିଃସଙ୍ଗ
ବିଷମୟ ଲାଗେ ଏହି ସଂସାରଟା
ଜୀବନେ ଆସେ ବିରାଗ ।
ଏକାକୀ ଜୀବନ ଅତି ଦୁର୍ବିସହ
ଜୀବନ ମୃତ୍ୟୁ ସମାନ
ପଶୁତୁଲ୍ଯ ଅଟେ ନିଃସଙ୍ଗ ଜୀବନ
ନିରର୍ଥକ ଅଟେ ପ୍ରାଣ ।
ଏକାକୀ ଜୀବନେ ଅନେକ ଦୁ୍ଶ୍ଚିନ୍ତା
ମନ ହୁଏ ଭାରାକ୍ରାନ୍ତ
ଚିନ୍ତା ଦ୍ବାରା ତନୁ ହୋଇଥାଏ କ୍ଷୀଣ
ଦେହ ହୁଏ ରୋଗାଗ୍ରସ୍ତ ।
ସାମାଜିକ ପ୍ରାଣୀ ଅଟଇ ମନୁଷ୍ୟ
ବିତାଏ ସେ ସଙ୍ଗ ଜୀବନ
ଏକାକୀ ଜୀବନ ଅଭିଶପ୍ତ ପ୍ରାଣ
ନ ଆସୁ କାହାର ଜୀବନ ।