ବିଷାକ୍ତ ସହର
ବିଷାକ୍ତ ସହର
ଆଦିମ ସଭ୍ଯତାର କ୍ରମ ବିକାଶରେ
ବିକଶିତ ଆଧୁନିକ ।
ଆଧୁନିକତାର ଦ୍ରୁତ ବିକାଶରେ
ହୋଇଲା ଅତ୍ୟାଧୁନିକ ।।
ପଲ୍ଲୀ ପ୍ରକୃତିରୁ ଗ୍ରାମର ବିକାଶ
ତଦନ୍ତେ ସହରୀ ସଭ୍ଯତା ।
ଵିଜ୍ଞାନର ଚରମ ଅଗ୍ରଗତିରେ
ସର୍ବେ ହେଲେ ଆଧୁନିକତା ।।
ଚାକଚକ୍ଯ ହେଲା ସହରୀ ସଭ୍ୟତା
ଦ୍ରୂତବିକାଶର ଧାରାରେ ।
ସମସ୍ତେ ହୋଇଲେ ଉଗ୍ର ଆଧୁନିକ
ନବ ସଭ୍ଯତା ଆଧାରେ ।।
ମାନବ ସଭ୍ଯତା ହେଲେ ବିକଶିତ
ହୁଏ ସର୍ବାଙ୍ଗୀନ ଉନ୍ନତି ।
ଜ୍ଞାନ ବିକାଶରେ ବିଜ୍ଞାନ ପ୍ରସାର
ହୋଇଥାଏ ଅଗ୍ରଗତି ।।
ବିଜ୍ଞାନ ବଳରେ ମାନବ ସଭ୍ୟତା
ହୋଇଅଛି ଉଶ୍ଛୃଙ୍ଖଳ ।
ସଂସ୍କୃତି ସହିତ ପରମ୍ପରା ଭୁଲି
ଦେଖାନ୍ତି ତ ଆତ୍ମବଳ ।।
ବିଷାକ୍ତ ହୋଇଛି ସହରୀ ସଭ୍ୟତା
କଳକାରଖାନା ପାଇଁ ।
ଯାନବାହନର ବିଷାକ୍ତ ଧୂମରେ
ଅଣନିଃଶ୍ବାସୀ ହୋଇ ।।
ମତ୍ସ୍ୟ ଜାଲ ପରି ବିଶ୍ବ ଅନ୍ତର୍ଜାଲେ
ମଣିଷ ହୋଇଛି ଛନ୍ଦି ।
ବୈଷୟିକ ଆଉ ପ୍ରଯୁକ୍ତି ବନ୍ଧନେ
ହୋଇଛନ୍ତି ସର୍ବେ ବନ୍ଦୀ ।।
ବିଶ୍ବତରଙ୍ଗର ଅନ୍ତର୍ଜାଲେ ମଧ୍ଯେ
ମନୁଷ୍ୟ ଯେ ଭାସମାନ ।
କେଉଁଠି ତାହାର ପରିସମାପ୍ତି ଯେ
ସେ ନିଜେ ହିଁ ସନ୍ଦୀହାନ ।।
ମାନବ ନିମନ୍ତେ ବିଜ୍ଞାନ ଯେତିକି
ହୋଇନାହିଁ ଭୟାବହ ।
ସହରୀ ମାନବ ସହରେ ବିଷାକ୍ତ
କରୁଅଛି ଅହରହ ।।
ବିଷଧର ପରି ନିଜ ପରିବେଶ
ନିଜେ ହିଁ କରେ ବିଷାକ୍ତ ।
ସୁସ୍ଥ ବାତାବରଣକୁ ଜାଣିଶୁଣି
କରୁଥାଏ କଳୁଷିତ ।।
ଅଶାନ୍ତିର ବୀଜ ବପିଣ ସହରେ
କରଇ ସେ ଆତଙ୍କିତ ।
ଅସ୍ଥିରତା ସହ କଳହ ଭିଆଇ
ସୃଷ୍ଟି କରେ ଭୟଭୀତ ।।
ବ୍ଯସ୍ତବହୁଳ ଯେ ସହରୀ ଜୀବନ
ସେଠି ସମସ୍ତେ ଅପରିଚିତ ।
ମାନବିକତା ଯେ ଅଟେ ଅପହଞ୍ଚ
ସଭିଏଁ ସ୍ବାର୍ଥେ ଜଡିତ ।।
ନାହିଁ ତ ସେଠାରେ ଶାନ୍ତ ପରିବେଶ
ଶାନ୍ତି ଜୀବନ ଦୁଃସ୍ବପ୍ନ ।
ଅଶାନ୍ତିରେ ସର୍ବେ ହ୍ବନ୍ତି ଉର୍ଦ୍ଧ୍ବଶ୍ବାସ
ଯଥା ବଞ୍ଚନ୍ତି ନିଷ୍ପ୍ରାଣ ।।
ଅନେକ ଘଟଣା ବହୁ ଦୁର୍ଘଟଣା
ଘଟୁଥାଏ ପ୍ରତିଦିନ ।
ଚୋରୀ-ଡ଼କାୟତ-ଗୁଣ୍ଡା-ରହାଜାନୀ
ନରହତ୍ୟା ଅକଳନ ।।
ସ୍ବାର୍ଥପର ଏହି ସହରୀ ଦୁନିଆ
ଏଠି ନୁହେଁ କିଏ କାହାର ।
ସମସ୍ତେ ହୁଅନ୍ତି ସୁଖର ସାଥି ଯେ
ଦୁଃଖେ ହୋଇଥାନ୍ତି ପର ।।
ପୂତି-ଗନ୍ଧମୟ ଏହି ପରିବେଶ
କୂଢ଼ କୂଢ଼ ଆବର୍ଜନା ।
ଦୂଷିତ ବାୟୁର ବଳୟ ମଧ୍ୟରେ
ମନୁଷ୍ୟ ଭୋଗେ ଯାତନା ।।
ଧୂମ୍ରାଭ-ଧୂସର,ପଙ୍କିଳ-କର୍ଦମ ।
ପାରିପାର୍ଶ୍ବିକ ଅବସ୍ଥା ।
ସୁସ୍ଥ ଜୀବନରେ ବଞ୍ଚିବାଟା ଏଠି
ଅବ୍ୟକ୍ତ ଅସହ୍ଯ ବ୍ୟଥା ।।
ଅପସଂସ୍କୃତିର କୁତ୍ସିତ ପ୍ରଥାକୁ
ଆପଣାଉଛନ୍ତି ସର୍ବେ ।
ନିଜ ସଂସ୍କୃତିକୁ ହତାଦର କରି
ବାହାସ୍ଫୋଟ ମାରନ୍ତି ଗର୍ବେ ।।
ଅର୍ଥ ହିଁ ସର୍ବସ୍ବ ମନେ କରି ସର୍ବେ
କରିଥାନ୍ତି ଅନୁଧାବନ ।
ସ୍ନେହ-ଶ୍ରଦ୍ଧା-ପ୍ରୀତି-ମୈତ୍ରୀ ଓ ମମତା
ଏସବୁ ହୁଏ ମୂଲ୍ଯହୀନ ।।
ବିଷାକ୍ତ ସହରୁ ଦୁରାରୋଗ୍ଯ ରୋଗ
ସର୍ବତ୍ର ହୁଏ ସଂକ୍ରମିତ ।
ଅଚିହ୍ନା ରୋଗରେ ହୋଇଣ ଆକ୍ରାନ୍ତ
ହୁଅନ୍ତି ଅକାଳେ ମୃତ ।।
ଆଧୁନିକ ଶିକ୍ଷା ସମସ୍ତଙ୍କୁ ଆଜି
କରିଅଛି ପଥଭ୍ରଷ୍ଟ ।
ଗୁରୁ-ଗୁରୁଜନେ ନାହିଁ ମାନ-ଭକ୍ତି
ହୁଅନ୍ତି ବିଶୃଙ୍ଖଳିତ ।।
ନିଶାଗ୍ରସ୍ତ ହୋଇ ଯୁବ ସଂପ୍ରଦାୟ
କରନ୍ତି ଅକ୍ରିୟା-ଅକୀର୍ତ୍ତି ।
ପରିବାର ସହ ସମାଜର କ୍ଷତି
ସର୍ବଦା ଯେ କରୁଥାନ୍ତି ।।
ଉଗ୍ର ଆଧୁନିକା ଶିକ୍ଷିତା ଯୁବତୀ
ଅର୍ଦ୍ଧନଗ୍ନ ଶରୀରରେ ।
ସ୍ବେଚ୍ଛାଚାରୀ ହୋଇ ଯୁବବନ୍ଧୁ ସହ
ଭ୍ରମିଥାନ୍ତି ନିର୍ଭୟରେ ।।
କାହାକୁ ସେମାନେ ନକରି ଖାତିରି
କରିଥାନ୍ତି ଅପମାନ ।
ଦିବାନିଶି କାଳ ବାହାରେ କଟାନ୍ତି
ହୋଇ ସମ୍ପୂର୍ଣ୍ଣ ସ୍ବାଧୀନ ।।
ସହର ତ ଥିଲା ସୁନ୍ଦର-ସ୍ବଚ୍ଛତା
ଅତିଶାନ୍ତ ପରିବେଶ ।
ନବ ସଭ୍ଯତାର ସଭ୍ଯ ମନୁଷ୍ୟ
ଭରିଲା ସେଥିରେ ବିଷ ।।
ବିଷାକ୍ତ ହୋଇଛି ସୁନ୍ଦର ସହର
ନାହିଁ ତା'ର ପୂର୍ବ ରୂପ ।
ଆଧୁନିକତାକୁ ଦ୍ବାହି ଦେଇ ନର
କରିଛି ତାକୁ ବିଦ୍ରୂପ ।।