ବୁଝାମଣା
ବୁଝାମଣା
ହେ ଈଶ୍ୱର ତୁମେ ଶ୍ରେଷ୍ଠ ଜୀବ ରୂପେ
ଗଢିଅଛ ମଣିଷକୁ ।
ବୁଦ୍ଧି-ବିବେକ ଓ ବିଚାର ଶକ୍ତିରେ
ଜ୍ଞାନୀ କରିଛ ତାହାକୁ ।
ପ୍ରବୋଧନା ଶକ୍ତି ଦେଇ ମନୁଷ୍ଯକୁ
କରିଅଛ ଧୈର୍ଯ୍ୟବାନ ।
ସହିବା ଗୁଣର ସମସ୍ତଶକ୍ତି ଯେ
କରିଛ ତାକୁ ପ୍ରଦାନ ।
ଚିନ୍ତା,ଚେତନା ଓ ବୋଧଗମ୍ଯତାକୁ
ଭରିଅଛ ତା ମସ୍ତିଷ୍କରେ ।
ସେଥିପାଇଁ ନର ଶ୍ରେଷ୍ଠତ୍ଵ ପଣରେ
ପ୍ରତିଷ୍ଠା ଲଭିଛି ମହୀରେ ।
ବୁଝାମଣା ଏକ ଏମିତି ସୁଗୁଣ
ଦୂର କରେ ମହାବିବାଦ ।
ଦୁଇ କୁଳର ଯେ ହୁଅଇ ମଙ୍ଗଳ
ଟଳିଯାଏ ବଡବିପଦ ।
ଆପୋଷ ବୁଝାମଣାରେ ସମାଧାନ
ଅଟେ ବିଜ୍ଞ ପରିଚୟ ।
ଏହାଦ୍ବାରା ମହାବିଘ୍ନ ହୁଏ ଦୂର
ନିଜକୁ ନଥାଏ ଭୟ ।
ବେଳେ
ବେଳେ ବ୍ୟକ୍ତି ହୋଇ ଆନମନା
କରିଥାଏ ଅବିଚାର ।
ବୁଦ୍ଧିଭ୍ରଷ୍ଟ ଭାବେ କରେ ମନ୍ଦକାର୍ଯ୍ଯ
ଭୁଲିଯାଏ ସଦାଚାର ।
ଈଶ୍ବର ପ୍ରଦତ୍ତ ଦୁର୍ଲଭ ଗୁଣର
କରିଥାଏ ଅମର୍ଯ୍ଯାଦା ।
ସେଥିପାଇଁ ଭୋଗେ ବହୁ ଦୁଃଖ-କଷ୍ଟ
ମୁଣ୍ଡାଏ ସେ ଘୃଣା-ନିନ୍ଦା ।
କଦାଚିତ ଭୂଲି ମଣିଷପଣିଆ
ଧରେ ଦାନବ ପ୍ରକୃତି ।
କ୍ରୂର ଓ ହିଂସାରେ ହୁଏ ମଦୋନ୍ମତ
ନ ବିଚାରେ ନୀତି-ଅନୀତି ।
ବ୍ଯକ୍ତି-ଗୋଷ୍ଠୀ-ଗ୍ରାମ-ଦେଶଦେଶ ମଧ୍ଯେ
ହୁଏ ବାଦ-ପ୍ରତିବାଦ ।
ବୁଝାମଣା ଦ୍ବାରା ହୁଅଇ ମୀମାଂସା
ସେଥିରୁ ମିଳେ ଆମୋଦ ।
ସବୁ ଅସମ୍ଭବ ସମ୍ଭବ ହୁଅଇ
ଥିଲେ ବୁଝାମଣା ଶକ୍ତି ।
ଅବୁଝାମଣାରେ ହୁଏ ଯେ ଅନର୍ଥ
ବ୍ଯକ୍ତି-ବ୍ଯକ୍ତିରେ ଅଶାନ୍ତି ।