ସ୍ମୃତି-ବିସ୍ମୃତିର ଜୀବନ
ସ୍ମୃତି-ବିସ୍ମୃତିର ଜୀବନ
ମନୁଷ୍ୟ ଜୀବନ ଦୁର୍ଲଭ ଜନମ
ଈଶ୍ବରଙ୍କ ଶ୍ରେଷ୍ଠ ସୃଷ୍ଟି
ତାଙ୍କର ଅମୃତ ସନ୍ତାନ ଭାବରେ
ଅର୍ଜିଅଛି ଯଶ ଖ୍ୟାତି ।
ବୁଦ୍ଧି-ଜ୍ଞାନ ଦ୍ବାରା ଇତର ପ୍ରାଣୀଠୁ
ବିଶ୍ବେ ହୋଇଛି ମହାନ
ତା'ପରି ଚତୁର ବିଜ୍ଞାନୀ ଆଉ କେ
ନାହିଁ ଏ ସଂସାରେ ପୁଣ ।
ଚେତନା ଶକ୍ତିରେ ସାଇତିଥାଏ ଯେ
ଅତୀତର ବହୁ ସ୍ମୃତି
ସେହି ସ୍ମୃତି ଦିନେ ମାନସପଟରେ
ଜାଗ୍ରତ କରାଏ ଇତି ।
ବାଲ୍ଯକାଳର ଯାବତୀୟ ସ୍ମୃତି
ମନପଡେ ଯୌବନରେ
ଯୁବାବୟସର ଅନେକ ଘଟଣା
ସ୍ମୃତି ହୁଏ ବାର୍ଦ୍ଧକ୍ଯରେ ।
ବିଶ୍ରାମ ଅଥବା ବିଷାଦ ସମୟେ
ମନେ ପଡେ ଯେ ଅତୀତ
ଅତୀତ ସ୍ମୃତିକୁ ରୋମନ୍ଥନ କଲେ
ଲାଗେ ମଧୁ ଅବା ତିକ୍ତ ।
ଅତୀତର ସେହି ଅଭୁଲା ସ୍ମୃତିଟି
ଆନ୍ଦୋଳିତ ହ
ୁଏ ମନେ
ମାନସିକ ଅବସାଦଗ୍ରସ୍ତ ହୋଇ
ହନ୍ତସନ୍ତ ହୁଏ ଜୀବନେ ।
ସ୍ମୃତି ତ ନିଶ୍ଚିତ ଅଭୁଲା ରହିବ
ଏହା ଅଟେ ସୁନିଶ୍ଚିତ
ମଧୁମୟ ହେଲେ ଅତୀତର ସ୍ମୃତି
ସୁଗମ ହୁଏ ଚଲାପଥ ।
ସ୍ମୃତିର ଶାମୁକା ସାଉଁଟୁ ସାଉଁଟୁ
ମନେ ଭରିଯାଏ କୋହ
ଅଜାଣତରେ ଯେ ଝରିପଡିଥାଏ
ନୟନ ଯୁଗଳୁ ଲୁହ ।
ଜୀବନ ଧାରାକୁ ବଦଳାଇ ଦିଏ
କିଛି ସ୍ମୃତିର ପ୍ରେରଣା
ଆଉ କିଛି ସ୍ମୃତି ଘାତକ ହୋଇଣ
ଘଟାଏ ତ ଦୁର୍ଘଟଣା ।
ବହୁବ୍ଯକ୍ତି ମଧ୍ୟ ଯଶ-ଗୁଣ ଦ୍ବାରା
ହୁଅନ୍ତି ଅଲିଭା ସ୍ମୃତି
କୁତ୍ସିତ ସ୍ମୃତିରେ କିଛି ଅମଣିଷ
ଲଭିଥାନ୍ତି ଅପକୀର୍ତ୍ତି ।
ଅଭୁଲା ସ୍ମୃତିଟି ଅବିସ୍ମରଣୀୟ
ଭଲ ହେଉ ଅବା ମନ୍ଦ
ସବୁ ସ୍ମୃତି କିନ୍ତୁ ହେଉ ଜହ୍ନରାତି
ସର୍ବେ ହୁଅନ୍ତୁ ଆନନ୍ଦ ।