ଅପମାନ
ଅପମାନ
ଚାରି ଅକ୍ଷରର ସମଷ୍ଟିରେ ସୃଷ୍ଟି
ଶବ୍ଦ ହେଲା ଅପମାନ ।
ମାନ ଶବ୍ଦ ଅଟେ ସମ୍ମାନ ସୂଚକ
'ଅପ' ଯୁକ୍ତେ ଅସମ୍ମାନ ।।
ମାନ-ଅପମାନ ଦୁଇ ବିପରୀତ
ଜଣକର ସ୍ଥାନ ଉଚ୍ଚ ।
ଅସମ୍ମାନ ହେଲେ ନିଜକୁ ସେ ଭାବେ
ଅପମାନେ ହେଲି ନୀଚ ।।
ଅପମାନେ ହୁଏ ସମ୍ମାନର ହାନି
କରଇ ସେ ଲଜ୍ଜାବୋଧ ।
ଭଗ୍ନମାନସରେ ହୁଅଇ ଅସ୍ଥିର
ଚିନ୍ତାରେ ହୁଏ ବିଷାଦ ।।
ଯଥାସାଧ୍ୟ ଆମେ ସମ୍ମାନ କରିବା
ମଣିଷ ପଣିଆ ଦ୍ୱାରା ।
କେବେ ତ କାହାରି ଅପମାନ ଚିନ୍ତା
ନ ହେଉ ଯେ ଆମ ଦ୍ୱାରା ।।
ଦ୍ରୌପଦୀ ଦ୍ୱାରା ହୋଇ ଅପମାନ
କର୍ଣ୍ଣ ଆଉ ଦୁର୍ଯ୍ୟୋଧନ ।
ସୃଷ୍ଟି କଲେ ମହାଭାରତର ଯୁଦ୍ଧ
ତାଙ୍କ ଗର୍ବ ହେଲା ଚୂର୍ଣ୍ଣ ।।
ଲଙ୍କାର ରାବଣ ନିଜ ଅନୁଜକୁ
ଦେଲା ଦଣ୍ଡ ନିର୍ବାସନ ।
ଭକତ
ବତ୍ସଳ ପ୍ରଭୁ ରାମଚନ୍ଦ୍ର
ତାହାକୁ କଲେ ରାଜନ ।
ରାମଙ୍କର ଦ୍ୱାରା ହୋଇ ନିର୍ବାସିତା
ସୀତା ହେଲେ ଅପମାନ ।
ସେଥି ପାଇଁ ମାତା ହୋଇଲେ ପାତାଳି
ରହିଲା ସତୀଙ୍କ ମାନ ।।
କଦାଚିତ ନର ଅଜ୍ଞାନ ବଶତଃ
କରେ ଲଜ୍ଜାହୀନ କାମ ।
ନିନ୍ଦା-ଅପମାନେ ହୁଅଇ ଭର୍ତ୍ସିତ
ଛାଡେ ତ ସେହି କୁକର୍ମ ।।
ରାଜନେତୃ ବର୍ଗ ନୀଚମନା ଭାବେ
କରିଥାନ୍ତି ଘୃଣ୍ୟକର୍ମ ।
ଦେଶ ଓ ଜାତିର ବିକାଶରେ ବାଧା
ଦେଇ ହୁଅନ୍ତି ଦୁର୍ନାମ ।।
ମାନୀ ଦୁର୍ୟୋର୍ଧନ ପିତୃବ୍ୟଙ୍କୁ ସଦା
କରୁଥିଲେ ଅପମାନ ।
ନୀତିଶାସ୍ତ୍ର ଦ୍ୱାରା ବିଦୁର ତାହାକୁ
ଦେଉଥିଲେ ପ୍ରବୋଧନ ।।
କାହା ଅପମାନ ନ ହେଉ କେବେ ବି
ଏହା ହିଁ ମାନବଧର୍ମ ।
ଏହି ଧର୍ମକୁ କଲେ ଆପଣାର
ହୋଇବ ମାନବୋତ୍ତମ ।।