ଭଡାଘର
ଭଡାଘର
କ୍ଷଣଭଙ୍ଗୁର ଏ ନଶ୍ବର ସଂସାର
ମିଛ-ମାୟାରେ ହୋଇଛେ ଛନ୍ଦି
କାମ,କ୍ରୋଧ,ଲୋଭ,ମୋହ,ମଦ ସହ
ମାତ୍ସର୍ଯ୍ଯେ ଜୀବ ହୋଇଛି ବନ୍ଦୀ ।
ଅଢେ଼ଇ ଦିନର ବନ୍ଧୁ ଆମେ ଭାଇ
ଆସିଅଛୁ ଏହି ସଂସାରକୁ
ଭଡାଟିଆ ହୋଇ ରହି ଭଡାଘରେ
ଚାଲିବୁ ନିଶ୍ଚେ ଆରପାରିକୁ ।
ଈଶ୍ୱରଙ୍କ ଏହି ସଂସାର ଗୃହରେ
ଜୀବ ରହନ୍ତି ବିନା ଭଡାରେ
ମନୁଷ୍ୟ ନିର୍ମିତ ଗୃହରେ ରହିଲେ
ଘରଭଡା ଲାଗେ ନିଶ୍ଚିତରେ ।
ବହୁଳ ବ୍ୟୟରେ ଘର କଲେ ମଧ୍ୟ
ଆମ ଆୟୁ ଅଟଇ କ୍ଷଣିକ
ବିଳାସପୂର୍ଣ୍ଣ ଦିନ କଟାଇଲେ ବି
ଏହି ଜୀବନ ଅଟେ ଅଳିକ ।
ଦେଶାନ୍ତର ବ୍ଯକ୍ତି ଖୋଜେ ଭଡାଘର
ଜୀବନ ନିର୍ବାହ କରିବାକୁ
ସେହି ଭଡାଘରେ ବିତାଏ ଜୀବନ
ଚଳାଇ ସଂସାର ରଥକୁ 
;।
ଏ ଶରୀର ଯଦି ହୁଏ ଭଡାଘର
ଆତ୍ମା ହୋଇଥାଏ ଭଡାଟିଆ
ଶରୀର ଗୃହଟି ହୋଇଲେ ଦୁର୍ବଳ
ଆତ୍ମା ହୋଇଯାଏ ଏକୁଟିଆ ।
ଚିରସ୍ଥାୟୀ ନୁହେଁ ଭଡାଘର କେବେ
ଜୀବନ ହୋଇଥାଏ ଅସ୍ଥିର
ଅସ୍ଥାୟୀ ହେଲେ ବି ଆପଣାର ଘର
ସେଠି ଶାନ୍ତି ମିଳଇ ଅପାର ।
ନିଜସ୍ୱ କୁଡିଆ ହେଲେ ଝାଟିମାଟି
ବିତିଯାଏ ସୁଖରେ ଜୀବନ
ବାସ୍ତବ ସୁଖ ନ ମିଳେ ପରଗୃହେ
ସେଠି ଅଶାନ୍ତ ହୁଅଇ ମନ ।
ଧନହାନୀ ପ୍ରାଣପୀଡା ହୋଇଥାଏ
ରହିଗଲେ ସଦା ଭଡାଘରେ
ସବୁ ସୁଖଶାନ୍ତି ଉଭେଇ ଯାଏ ତ
ନିଶ୍ଚୟ ରୁହେ ମନ ଦୁଃଖରେ ।
ମାନବ ଜୀବନ ହେଲେ ବି ଅଳିକ
ସ୍ବର୍ଗ ଯେ ଅଟଇ ନିଜଘର
ନିଜ ବାସଗୃହେ ହୋଇଗଲେ ମୃତ୍ୟୁ
ବ୍ଯକ୍ତି ଚାଲିଯାଏ ସ୍ବର୍ଗପୁର ।