ଜୀବନର ଦୋଛକିରେ
ଜୀବନର ଦୋଛକିରେ
ସ୍ବଳ୍ପାବଧି କାଳ ଅଟଇ ଆୟୁଷ
ଜୀବନର ଯାତ୍ରାପଥ
ସେ କ୍ଳିଷ୍ଟ ପଥର ପଥିକ ମାନବ
ଚାଲୁଥାଏ ଅବିରତ ।
ସେ ଯାତ୍ରା ପଥଟି ଅବଶ୍ଯ ଦୁଃସାଧ୍ୟ
ପୁଣି ତାହା କଣ୍ଟକିତ
ଚାଲୁ ଚାଲୁ କେବେ ପଡୁଥାଏ ଝୁଣ୍ଟି
ମନ ହୁଏ ବିଚଳିତ ।
ସହ୍ଯ କରିଥାଏ ବହୁ ବାଧାବିଘ୍ନ
ବିପଦ-ଆପଦମାନ
ଚାଲିଚାଲି ପୁଣି ଥକିପଡିଥାଏ
ଚିନ୍ତାରେ ହୋଇ ନିମଗ୍ନ ।
ଅଙ୍କାବଙ୍କା ଏହି ସର୍ପିଳ ମାର୍ଗଟା
ଚାଲିବାଟା ଭାରି କଷ୍ଟ
ତଥାପି ମନକୁ ସୁଦୃଢ କରିଣ
ପଥ କରେ ଅତିକ୍ରାନ୍ତ ।
ଜୀବନ ରାସ୍ତାର ମନ ଦୋଛକିରେ
ହୋଇଥାଏ ବାଟବଣା
ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ
ନିର୍ଣ୍ଣୟ କରି ପାରେନା ।
ସଂକଳ୍ପ-ବିକଳ୍ପ ମାନ
ସିକ ଦ୍ବନ୍ଦେ
ହୁଏ ଭାରି ବ୍ଯତିବ୍ଯସ୍ତ
ବୁଦ୍ଧିର ନିର୍ଯ୍ଯାସେ ଗନ୍ତବ୍ଯସ୍ଥଳର
ନିଶ୍ଚୟ ହୁଅଇ ପ୍ରାପ୍ତ ।
ବିକଳ୍ପାତ୍ମକ ମନ ଦୋଛକିରେ
ଯଦି ଯାଏ ପଥହୁଡି
ମତିଭ୍ରମ ହୋଇ ଦୁଃଖ-ଦୁର୍ଦ୍ଦଶାରେ
ବିପଦରେ ଯାଏ ପଡି ।
ବୟସର ଅପରାହ୍ନେ ପଥିକଟି
ଯେବେ ହୁଅଇ ଅବଶ
ଥକା ମେଣ୍ଟାଇବାକୁ କିଛି ଦିନପାଇଁ
ନଥାଏ ତାହାର ବୟସ ।
ଆୟୁସୂର୍ଯ୍ଯ ଯେବେ ହୁଏ ଅସ୍ତମିତ
ଗ୍ରାସକରେ ବାର୍ଦ୍ଧକ୍ଯତା
ଅନ୍ତିମ ଯାତ୍ରାର ଯାତ୍ରା ସାରି ଯାତ୍ରୀ
ଅନ୍ତେ ହୁଏ ନୀରବତା ।
ଜୀବନର ପ୍ରତି ମୁହୂର୍ତ୍ତରେ ଆସେ
ସଂଗ୍ରାମର ଦୁଇ ଛକ
କୃତକାର୍ଯ୍ୟ ସହ ହେଲେ ଛକ ପାର
ଜୀବନ ହୁଏ ସାର୍ଥକ ।