ଅଭିମାନ
ଅଭିମାନ
ମାନ-ଅଭିମାନ ବିପରୀତ ଧର୍ମୀ
ଏକ ଆରେକଠୁ ଭିନ୍ନ।
ଏକର ଅଭାବେ ଅନ୍ୟଟିର ସ୍ଥିତି
ହୋଇଥାଏ ଅସମ୍ପୂର୍ଣ୍ଣ ।।
ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି
ସୁଖ-ଦୁଃଖ-ହସ-କାନ୍ଦ ।
ଅନୁଲୋମ ସହ ବିଲୋମ ନୀତିରେ
ସଂସାର ଯେ ଆତଯାତ ।।
ଅଭିମାନେ ଥାଏ ଅକୁହା ବେଦନା
ଚାପିରହିଯାଏ ମନେ ।
ଗୁମ୍ ସୁମ୍ ହୋଇ ଉଦାସ ମନରେ
ଥାଏ ବିଷର୍ଣ୍ଣ ବଦନେ ।।
ଯେତେବେଳେ ହୁଏ ଜ୍ୱାଳାମୁଖୀ ରୂପ
କ୍ରୋଧରେ କରେ ପ୍ରକାଶ ।
ସଞ୍ଚିତାଭିମାନକୁ କରେ ବମନ ।
ମନ ହୁଏ ତା'ର ଉଶ୍ୱାସ ।।
ମାନିନୀ ରାଧାଙ୍କ ମାନ ଭଞ୍ଜନ ଯେ
କରୁଥିଲେ ପ୍ରଭୁ କୃଷ୍ଣ ।
ଲଳିତା-ବିଶାଖା ସଖୀଗଣ ସର୍ବେ
କରିଲେ ମାନ ହରଣ ।।
କୈକେୟୀଙ୍କର ଅଟଳ ମାନକୁ
ସାମ୍ନା କଲେ ଦଶରଥ ।
ମାନଭଙ୍ଗ ପାଇଁ
ସମସ୍ତ ସର୍ତ୍ତକୁ
ପୂର୍ଣ୍ଣ କଲେ ତାଙ୍କ ଇପ୍ସିତ ।।
ସ୍ୱୟଂ ଜଗନ୍ନାଥ ମାତା ଲକ୍ଷ୍ମୀଙ୍କର
ଦୂର କଲେ ଅଭିମାନ ।
ଯୁଗେ ଯୁଗେ ପ୍ରଭୁ ନିଜ ଆଦର୍ଶରେ
ଜିତିଲେ ଦେବୀଙ୍କ ମନ ।।
ନବଦିନାତ୍ମକ ରଥେ ପ୍ରଭୁ ଯେବେ
ଯାନ୍ତେ ଗଣ୍ଡିଚା ଭ୍ରମଣ ।
ଅଭିମାନେ ଲକ୍ଷ୍ମୀ ହୋଇ ରୋଷଭର
କରନ୍ତି ରଥକୁ ଭଗ୍ନ ।।
ପୁରୁଷର ଅଭିମାନ ସ୍ୱଳ୍ପକ୍ଷଣ
ନାରୀ ମାନ ଦୀର୍ଘଦିନ ।
ନାରୀ ମାନ ଭଙ୍ଗ ସମୟସାପେକ୍ଷ
ପୁରୁଷ ଆଶୁ ପ୍ରସନ୍ନ ।।
ପଞ୍ଚପତି ଠାରେ ଥିଲା ଅଭିମାନ
ପ୍ରତିଶୋଧ ପାଇଁ କୃଷ୍ଣାର ।
ମୁକୁଳିତ ବେଣୀ କରିବି ବନ୍ଧନ
ରକ୍ତରେ ଦୁଃଶାସନର ।।
ମାନଗୋବିନ୍ଦ ଯେ ଥିଲେ ଅଭିମାନୀ
କରୁଥିଲେ ଯାହା ପଣ ।
ଅତି ମାନେ ନିଜ କୁଳ ହେଲା ଧ୍ୱଂସ
ଅତିରୁ ଇତି ଯେ ଜାଣ ।।