STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ସ୍ୱର୍ଗଦ୍ୱାର ବନାମ ଗ୍ରାମ ଶ୍ମଶାନ

ସ୍ୱର୍ଗଦ୍ୱାର ବନାମ ଗ୍ରାମ ଶ୍ମଶାନ

1 min
3


ସ୍ୱର୍ଗଦ୍ୱାରେ ଯାତ୍ରା ଲୋଡ଼ାନାହିଁ ମୋର

ଗ୍ରାମ ଶମଶାନ ମୋ ପାଇଁ ଶ୍ରେୟ

ଯେଉଁ ଠାରେ ମୋର ଜ୍ଞାତି ପରିଜନ

ହାତ ଟେକି ମୋରେ କରିବେ ଜୟ ll


ଦେଖିବ ଦୁନିଆ ଶବ ଶୋଭାଯାତ୍ରା

କୋକେଇ ଉପରେ ଥିବି ମୁଁ ଶୋଇ

ହରିନାମ ସତ୍ୟ ସାଙ୍ଗେ ଚାଲିଥିବେ

ଗାଁ ସହୋଦର ଭଉଣୀ ଭାଇ ll


ଖଇ କଉଡ଼ିକୁ ସିଞ୍ଚି ଚାଲି ଥିବ

ଆଗେ ଆଗେ ମୋର ଛେଉଣ୍ଡ ପୁଅ

ପଛରେ ଶ୍ରଦ୍ଧାଳୁ ମାଡ଼ି ଚାଲିଥିବେ

ଚକ୍ଷୁରୁ ଛୁଟାଇ ଲୋତକ ସୁଅ ll


ଭଲ ମନ୍ଦ ମୋର କରି ଆଲୋଚନା

ବାଢୁଥିବେ ଦୁଃଖ ହୃଦୟ ଭରି

କଲା କର୍ମ ପାଇଁ ଆହା ପଦ ବାଣୀ

ସଭିଙ୍କ କଣ୍ଠରୁ ପଡ଼ିବ ଝରି ll


ଦୁଇ ପଟେ ଦୁଇ ହାତକୁ ଝୁଲାଇ

ଝୁଲି ଝୁଲି ଯିବି ଶ୍ମାଶାନ ଦ୍ୱାରେ

କହିବ ଦୁନିଆ ଏତେ ଅରଜିଲା

ଖାଲି ହାତେ ଗଲା ସରଗ ପୁରେ ll


ଗର୍ଵ ଅହଙ୍କାର ଏଇଠି ରହିଲା

କିଛି ଗଲା ନାହିଁ ସାଙ୍ଗରେ ତାର

ସେଇ ପ୍ରେରଣାରେ ଉଦବୁଦ୍ଧ ଜନତା

ବୁଝିଯିବେ ନିଜ କର୍ମର ଫଳ ll


ସ୍ୱର୍ଗଦ୍ୱାରେ ମୋତେ କେହି ନଚିହ୍ନିବେ

କିପାଇଁ କରିବି ସେଠାକୁ ଆଶା

ମୃତ୍ୟୁ ପରେ ମୋର ଜୁଇ ଯାତ୍ରା ପାଇଁ

ଗାଆଁ ମଶାଣି ମୋ ଶେଷ ଭରସା ll


Rate this content
Log in

Similar oriya poem from Inspirational