ନାରୀ
ନାରୀ
କେତେ ଯତ୍ନବାନ କେତେ ସଚେତନ
କନ୍ୟା ଶିଶୁଟିଏ ପାଇଁ,
ପେପର ପୃଷ୍ଠା ଓଲଟାଇ ଦେଲେ
ଜଣା ପଡ଼ିଯାଇ ଥାଇ ।
ଏକେଲା ପାଇଲେ କୁନି କନ୍ୟା ଶିଶୁ
ଶାର୍ଗୁଣା ପରି ଝାମ୍ପନ୍ତି,
ଛିନ୍ନ ଭିନ୍ନ କରି ମାରି ଖାଇ ତାକୁ
ନିଶୁନ୍ ଜାଗାରେ ପକାନ୍ତି ।
କେତେ ନିର୍ଯ୍ୟାତନା, ଲାଞ୍ଛନା, ତାଡ଼ନା,
ଅନେକ ପଡ଼ନ୍ତି ବଳି,
ଆଜି ବି ଶୁଭୁଛି ସେ ଆର୍ତ୍ତ ଚିତ୍କାର
ଯୌତୁକ ଜୁଇରେ ଜଳି ।
ସେ ଜନନୀ ଜାୟା ଭଉଣୀ ଦୁହିତା
ସର୍ବଗୁଣେ ପରିପୂର୍ଣ୍ଣା
ସେ ଦୁର୍ଗା କାଳୀ ଭଗବତୀ ସତୀ
ଦେବୀ ମାଆ ଅନ୍ନପୂର୍ଣ୍ଣା ।
ଗଣିତ ବିଜ୍ଞାନ ରାଜନେତା ପଦେ
ନାରୀ ଆଜି ଭୂମଣ୍ଡିତା,
ତଥାପି କାହିଁକି ଏ ବର୍ବର ମାନବ
ତାକୁ ହିଁ କରେ ଲୁଣ୍ଠିତା ।
ଦିନ ଦ୍ୱିପହରେ ଲୁଣ୍ଠିତ ଇଜ୍ଜତ
ନିଜ ଶବ ନିଜେ ବୋହି,
ଯାଉଥାଏ ଏକା ପଚାରେନା କେହି
ନିଃସ୍ୱ ଅସହାୟ ହୋଇ ।
ସବୁ କ୍ଷେତ୍ରେ ଆଜି ପାଦ ଥାପି ନାରୀ
ବିସ୍ତାରିଛି ତାର କାୟା,
ଚନ୍ଦ୍ରପୃଷ୍ଠେ ଯାଇ ଆସି ଗଲାଣି ସେ
ସମାଜ ସାଜେ ନିର୍ଦ୍ଦୟା ।
କହି କି ପାରିବ କେଉଁ ଅପରାଧେ
ନାରୀ ହୁଏ ହୀନିମାନ
ଯୁଗେ ଯୁଗେ ନାରୀ ବନ୍ଦିତା ପୂଜିତା
ଏତ ପୁରାଣର ଗାନ ।