ଅଭାବେ ବି ତୁମେ ସିଦ୍ଧ
ଅଭାବେ ବି ତୁମେ ସିଦ୍ଧ
ଶାସ୍ତ୍ରଜ୍ଞ ନୁହେଁ ମୁଁ ଚର୍ଚ୍ଚା କରିପାରିବିନି ,
ଶ୍ରୀଜଗନ୍ନାଥଙ୍କ ଅପୂର୍ବ ଭଜନମାଳା !
ଜ୍ଞାନେନ୍ଦ୍ର ନୁହେଁ ମୁଁ ଅଜ୍ଞାନ ,କୂପମଣ୍ଡୂକ ,
କଳିପାରିବିନି ତାଙ୍କରି ଅପୂର୍ବ ଲୀଳା !!
ତଥାପି ମୋ' ତୂଳୀ ମାଦଳାପାଞ୍ଜିକୁ ଖୋଜେ
ଲେଖିବାକୁ ଚାହେଁ ଚକାଡୋଳାଙ୍କ ଚାତୁରୀ !
ବରଷକେ ଥରେ ଆସନ୍ତି ବଡଦାଣ୍ଡକୁ ,
ଭକତଙ୍କପାଇଁ ମାନବୀୟ ଲୀଳା କରି !!
ଆଷାଢ଼ର ପୁଣ୍ୟ ଶୁକ୍ଳ ଦ୍ଵିତୀୟା ଲଗ୍ନରେ
ବଡଭାଇ ଆଉ ସୁଭଦ୍ରାଙ୍କୁ ସାଥେ ନେଇ !
ରତ୍ନ ସିଂହାସନ ଛାଡି ଓହ୍ଲେଇ ଆସନ୍ତି ,
ଭକତଙ୍କ ପାଇଁ ଅତି ସାଧାରଣ ହୋଇ !!
ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ବଡ଼ ବିଚିତ୍ର ,
ଅଷ୍ଟାଙ୍ଗବିଧିରେ ନବଦିନାତ୍ମକ ଯାତ୍ରା !
ଶ୍ରୀମନ୍ଦିର ଠାରୁ ଜନ୍ମବେଦୀର ମନ୍ଦିର ,
ତାଙ୍କ ଅବତାରେ ସିଦ୍ଧ ସଂସ୍କୃତିର ମାତ୍ରା !!
ପାରମ୍ପରିକତା କଦାପି ନୁହେଁ ନଗଣ୍ୟ ,
ସଂସ୍କୃତି ସହିତ ସଂସ୍କାରର ଶିଳାନ୍ୟାସ !
ବିଶ୍ୱ ଦରବାରେ ଶ୍ରୀଜଗନ୍ନାଥ ସଂସ୍କୃତି ,
ବଜାୟ ରଖିଛି ତା' ଅପୂର୍ବ ଇତିହାସ !!
କେମିତି ଲେଖିବି ଶ୍ରୀଜଗନ୍ନାଥଙ୍କ ପାଇଁ ,
ଲେଖିବା ପାଇଁକି କାହିଁ ମୋର ସେଇ ଜ୍ଞାନ !
ଅଭିଳାଷ ଅଛି ଆଙ୍କିବି ତାଙ୍କରି ଚିତ୍ର ,
ସେଇ ଚିତ୍ର ଦେଖି ବିତାଇବି ଏ ଜୀବନ !!
ଘୋଷଯାତ୍ରା ନୁହେଁ ସାଧାରଣ ଏକ ପର୍ବ ,
ଓଡ଼ିଶାମାଟିର ସାଙ୍କେତିକ ସ୍ୱାଭିମାନ !
ଜାତି ,ବର୍ଣ୍ଣ ,ଧର୍ମ ନିର୍ବିଶେଷେ ତା' ମାହାତ୍ମ୍ୟ ,
ସୃଷ୍ଟି କରିଥାଏ ଅନ୍ତରୀକ୍ଷ ଅଭିମାନ !!
ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ଅପଟାନ୍ତର ,
ଭକତ ଭାବରେ ବନ୍ଧା ତାଙ୍କ କଳେବର !
ଦଶମୀ ତିଥିରେ ମାଉସୀ ଘରକୁ ଛାଡି ,
ଚତୁର୍ଦ୍ଧାମୂରତି ଲେଉଟିବେ ଶ୍ରୀମନ୍ଦିର !!
ଆଡ଼ପ ଉତ୍ସବ , ମହାବେଦୀ ମହୋତ୍ସବ ,
ଗୁଣ୍ଡିଚା ପଞ୍ଚକେ ପଡିଯିବ ପୂର୍ଣ୍ଣାହୁତି !
ତିନିରଥଙ୍କର ଦକ୍ଷିଣାଭିମୁଖୀ ଯାତ୍ରା ,
ଭକତ ଲଭିବେ ଦର୍ଶନେ ମହାମୁକତି !!
ଘଣ୍ଟୁଆର ଘଣ୍ଟ , ଡାକୁଆର ରଥ ଗୀତ ,
ଧ୍ୱନିରେ କମ୍ପିବ ପୁଣ୍ୟକ୍ଷେତ୍ର ବଡଦାଣ୍ଡ !
ନୀଳ ଆକାଶରେ ବଉଦର ସୁସଙ୍ଗୀତ
ସାଗରେ ଶୁଭିବ ନୀଳଲହରୀ ତାଣ୍ଡବ !!
ପତିତପାବନ ! ତୁମରି ବିଚିତ୍ର ଲୀଳା ,
ତୁମରି ଇଚ୍ଛାରେ ସୂର୍ଯ୍ୟ ଚନ୍ଦ୍ର ଆତଯାତ !
ଆଲୋକ ଅନ୍ଧାର ତୁମରି ଇଙ୍ଗିତେ ହୁଏ ,
ପ୍ରକୃତିର ଜନ୍ମ ତୁମରି ଅଭିଳଷିତ !!
ଏ ବାହୁଡା ଯାତ୍ରା ତୁମପାଇଁ ଶୁଭଙ୍କର ,
ମୁଁ ପାରୁନି ଦେଖି , ଦେଖିବାକୁ ଭାଗ୍ୟ ନାହିଁ !
ତୁମରି ସଂସ୍କୃତି ମୋ' ପାଇଁ ଚିର ନମସ୍ୟ ,
ସେଇ ସଂସ୍କୃତିର ଗାତ୍ରଦାହ ହେବିନାହିଁ !!
ପୂଜା କରୁଥିବି ଉତ୍ତରାଞ୍ଚଳରେ ରହି ,
ବଡଦାଣ୍ଡ ସଦା ମୋ' ପାଇଁ ଅଛି ନିଷିଦ୍ଧ !
ତୁମେ ତ ପାଷାଣ , ନାମମାତ୍ର ଭାବଗ୍ରାହୀ ,
ଭାବରେ ଅଭାବ , ଅଭାବେ ବି ତୁମେ ସିଦ୍ଧ !!