ପାର୍ବଣ ଋତୁର ଫୁଲ
ପାର୍ବଣ ଋତୁର ଫୁଲ
ମୁଁ ସିନା ତୁମର ନଈପଠା ନୁହେଁ ,
ତୁମେ ଯେ ମୋ' ପାଇଁ ପାର୍ବଣ ଋତୁର ଫୁଲ !
ତୁମ ପାଉଁଜିର ରୁଣୁଝୁଣୁ ସୁରେ
ଲହରୀ ମାରେ ମୋ' ତଟଦେଶେ ମଧୁଜଳ !!
କୁହନ୍ତି ସେମାନେ , ତୁମ ଦେହେ ନାହିଁ
ବଉଳ ଫୁଲର ମୃଦୁ ମହମହ ବାସ !
ଅବା ନାହିଁ ତୁମ ଅଙ୍ଗପ୍ରତ୍ୟଙ୍ଗରେ
ବସନ୍ତ ଋତୁର ମଳୟଛୁଆଁ ପରଶ !!
ସତ କୁହ ଆଗୋ ପାର୍ବଣର ଫୁଲ ,
ଭଲ ପାଇବାକୁ ଲୋଡ଼ା କି ଦେହର ବାସ ?
ହୃଦୟର ବାସ ସ୍ବର୍ଗୀୟ ସୁବାସ ,
ଆତ୍ମାର ମିଳନ ଚିରଞ୍ଜିଵୀ , ମଦରସ !!
ପ୍ରୀତି ଉପବନେ ବୁଲନ୍ତି ଗୋ ସଖୀ
ବହଳ ବହଳ ଛଳନାର ପ୍ରଜାପତି !
ନାମରେ ସେମାନେ ପ୍ରଜାପତି ସିନା ,
ହୃଦୟେ ତାଙ୍କର ଭ୍ରମରର ଉଷ୍ମ ତାତି !!
ଶରତ ସକାଳେ ମୃଦୁ ହସ ଝରେ
ତୁମରି ନମ୍ର ନିର୍ମାୟା ଅଧର ଗାରେ !
ଶାରଦୀୟ ସନ୍ଧ୍ୟା ବିଞ୍ଛି ଦିଏ ସଖୀ
ଶେଫାଳି ରଙ୍ଗର ଫଲ୍ଗୁ ପଶ୍ଚିମାକାଶରେ !!
କୁମୁଦ କମଳେ ସରୋବର ହସେ ,
ଶରତ ସକାଳ ଲାଗେ ସତେ ଋତୁପର୍ଣ୍ଣା !
ତୁମରି ରଙ୍ଗର ଶୁଭ୍ର ପଣତରେ
ଧବଳ ଦିଶଇ ଧରଣୀ ଅଙ୍କ-ଅପର୍ଣ୍ଣା !!
ତୁମ ତରଙ୍ଗର ଶବ୍ଦର ଢେଉରେ
ସ୍ୱତଃପ୍ଲୁତ ଭାବେ ମୋ' ଭାବର ବନ୍ୟା ଝରେ !
ସେ ଭାବ-ବନ୍ୟାରେ ମୋ' କାବ୍ୟ-ନାୟିକା
କମଳ କୁମୁଦ ସରି ସନ୍ତରଣ କରେ !!
ସତ କୁହ ସଖୀ ! କବିଙ୍କ ଆଖିରେ
ନୁହଁ କି ଗୋ ତୁମେ ରୂପରେ ଲାବଣ୍ୟବତୀ !
ତୁମ ସ୍ୱଚ୍ଛ ଶୁଭ୍ର ପଣତ ଆଗରେ
ଫିକା ଫିକା ଲାଗେ ଜ୍ୟୋତ୍ସ୍ନାସ୍ନାତ ଜହ୍ନରାତି !!
ନାତିଶୀତୋଷ୍ଣ ଏ ପାର୍ବଣ ଋତୁକୁ
ତୁମରି ଶବ୍ଦର ସ୍ରୋତରେ ଭସାଇ ଦିଅ !
ମୋ' ଭାବର ଫର୍ଦ୍ଦଫର୍ଦ୍ଦ କାବ୍ୟ-ସ୍ତୋତ୍ରେ
ଶାରଦୀୟ ଲଗ୍ନ ହୋଇଉଠୁ ପର୍ବମୟ !!