ଅଳପ ଦେଖା ବି ହୁଏ ଚିରସ୍ଥାୟୀ
ଅଳପ ଦେଖା ବି ହୁଏ ଚିରସ୍ଥାୟୀ


ତୁଳସୀ ପୂଜନ ଦିବସାନୁକୂଲ୍ୟେ
ତୁଳସୀ ଦର୍ଶନ କଲି !
ଧୂପ ତ ନଥିଲା , ଦୀପ ବି ନଥିଲା ,
ଆନ୍ତରିକତା ଅର୍ପିଲି !!
ଅର୍ପିଲି ସିନା ମୁଁ ମୋ' ଆନ୍ତରିକତା ,
ପାଇଲି ମୁଠାଏ ପ୍ରୀତି !
ପ୍ରୀତି ନୁହେଁ ତାହା ମାନବୀୟ ମନ୍ତ୍ର ,
ରୀତି-ନୈବେଦ୍ୟର ଗୀତି !!
ଆନ୍ତରିକତାର ଅର୍ଘ୍ୟ ନିବେଦନ
ମହାର୍ଘ୍ୟ ମହାକର୍ଷଣ !
ଧୂପ , ଦୀପ , ନୈବେଦ୍ୟର ଲୋଡ଼ା ନାହି,
ଅପୂର୍ବ ମାଧ୍ୟାକର୍ଷଣ !!
ମାଧ୍ୟାକର୍ଷଣର ମାର୍ମିକ ମହତ୍ତ୍ୱ ,
ଜୀବନର ସାରତତ୍ତ୍ୱ !
କି ହେବ ନୈବେଦ୍ୟ , ସବୁଠୁ ଅଭେଦ୍ୟ
ହୃଦୟାର୍ପଣର ତତ୍ତ୍ୱ !!
ତୃପ୍ତିର ତୁଳସୀ ସୁଗନ୍ଧା ,ଅଳସୀ ,
କେ ଅବା ତା' ପ୍ରତିଦ୍ବନ୍ଦ୍ଵୀ ?
ଶ୍ରୀଜଗନ୍ନାଥଙ୍କ ଗେହ୍ଲା ଗଳାମାଳି ,
ହୃଦୟର ପ୍ରତିନିଧି !!
ତୁଳସୀର କଥା କହିଦେଲି ସିନା ,
ତୁମେ ମୋ' ପାଇଁ ତୁଳସୀ !
ତୁମ ଭାବନାରେ କାବ୍ୟ-କନ୍ୟା ହସେ ,
ଆଗୋ ପ୍ରିୟା ମୃଦୁଭାଷୀ !!
ସୁଖରେ ବି ତୁମେ ,ଦୁଃଖରେ ବି ତୁମେ,
ମୋ' ଆଖିରେ ସଦା ତୁମେ !
ଜହ୍ନ ଜୋଛନାରେ , ଅମା ଅନ୍ଧକାରେ ,
ସପନ ଛାଇରେ ତୁମେ !!
ଭୁଲିବାକୁ ସିନା କହିଦିଅ ପ୍ରିୟା ,
ଭୁଲିବା ନୁହେଁ ସହଜ !
ଛଳନାକୁ ସିନା ଛାଡ଼ିଦେଇ ହୁଏ
ତୁମେ ମୋ' ମୈତ୍ରୀ-ମୁରୁଜ !!
ଅଳପ ଦେଖା ବି ହୁଏ ଚିରସ୍ଥାୟୀ ,
ବହଳେ ପ୍ରେମ ବି ବିଷ !
ଆମ ମିଳନର ଅଳ୍ପ ମୁହୂର୍ତ୍ତ ହିଁ
ପରାର୍ଦ୍ଧ ପ୍ରୀତି-ପୀୟୂଷ !!
ଆସନ୍ତାକାଲିର ଅରୁଣିମା ତୁମେ ,
ଆଦ୍ୟ ସନ୍ଧ୍ୟାର ରାଗିଣୀ !
ନବବର୍ଷେ ତୁମେ ନମ୍ର ନବବଧୂ ,
କଳ୍ପନାର କାବ୍ୟ-ରାଣୀ !!
ତୁମ ବାଲ୍ୟକାଳ ଚିତ୍ରପଟ ନାଚେ
ଛନ୍ଦେ ଛନ୍ଦେ ମୋ' ନୟନେ !
ଅଳପ ହସର ମଧୁ ଅଧରରୁ
କିଞ୍ଚିତ କଟାକ୍ଷ୍ୟ ଟାଣେ !!
ନୟନ ତୁମର କେତେ କଥା କୁହେ ,
ଅଧର ରୁହେ ନିରବ !
ସେଇଥିପାଇଁ ମୁଁ ପାଇଲିନି ପ୍ରିୟା
କଟାକ୍ଷ୍ୟର ପ୍ରତିଶବ୍ଦ !!
ଦୁଃଖ ଦରିଆକୁ ଭାବିନେଇଛି ମୁଁ
ମୋ' ପ୍ରିୟ ନୀଳସାଗର !
ପ୍ରିୟା ପଣତରେ ଶାଶ୍ୱତ ପ୍ରଣୟ
ଆଙ୍କିଛି ହୋଇ ବିଭୋର !!
ବିଭୋରତା ମୋ'ର ନୁହେଁ ଉନ୍ମାଦର
ଅର୍ଥହୀନ ଅବସାଦ !
ଆଗୋ ପ୍ରିୟତମା ବ୍ୟଥିତ ହୁଅନି
ଦେବିନି ମୁଁ ଅପବାଦ !!
ନିଜେ ଜଳିଯିବି ଜାଳିବିନି କେବେ
ତୁମକୁ ନିନ୍ଦା-ନିଆଁରେ !
ବରଂ ଅର୍ଦ୍ଧଦଗ୍ଧ ହୋଇ ମନ୍ତ୍ରମୁଗ୍ଧ
ହେବି ତୁମ କଳ୍ପନାରେ !!