ଦୋଷ ଦିଅ କାହିଁପାଇଁ ?
ଦୋଷ ଦିଅ କାହିଁପାଇଁ ?
ତୁମେ ସିନା ମୋତେ ସଜେଇଦେଇଛ
ଦସ୍ୟୁଶ୍ରେଷ୍ଠ ରତ୍ନାକର
ମୋ' ଜନ୍ମଜାତକେ ଲେଖା ତ ନ ଥିଲା ,
ହେବି ମୁଁ ଦସ୍ୟୁପ୍ରବର ।
ସମୟ ଦୁର୍ବାସା, ପରିସ୍ଥିତି ଭାଷା
ବୁଝି ମୁଁ ପାରି ନଥିଲି
ସମୟ ମୋ' ପାଇଁ ଶୃଗାଳ ସାଜିଲା ,
ନିଜକୁ ଭସେଇଦେଲି ।
ଭାବପ୍ରବଣତା ମୋ' ଜୀବନ ଅଙ୍କେ
ସ୍ୱାଗତିଲା ଦରିଦ୍ରତା
ଦେଖିବ , ମୁଁ ଦିନେ ପ୍ରମାଣ କରିବି
କ୍ଷଣସ୍ଥାୟୀ ଏ ଅବସ୍ଥା ।
ତୁମ ଜୀବନରେ ସୁଖ ବାଣ୍ଟୁବାଣ୍ଟୁ
ନିଜେ ସାଜିଲି ଶ୍ମଶାନ
ଶ୍ମଶାନର କ'ଣ ନାହିଁ ସ୍ୱାଭିମାନ ,
ଅଥବା ଆତ୍ମସମ୍ମାନ ।
ଭାବି ମୁଁ ନ ଥିଲି ପହଞ୍ଚିବି ଦିନେ
ଅପ୍ରାକୃତ ନଦୀତୀରେ,
ଅସତ୍ୟ ସହରେ ସତ୍ୟକୁ ଆଦରି
ଭିଜିଲି ନୟନ ନୀରେ ।
ଭିଜିଲି ମୁଁ ସତ, ତୁମକୁ କେବେ ବି
ଦେଇନି ଭିଜିବାପାଇଁ
ଆଗ୍ନେୟଗିରିର ଅନ୍ତର୍ଦହନରେ
ଜଳେ ସର୍ବହରା ହୋଇ ।
ଅନ୍ତର୍ଦହନ
ରେ ଜଳୁଛି ସିନା ମୁଁ
କାହାରିକୁ ଜାଳି ନାହିଁ
ବ୍ୟକ୍ତିତ୍ୱରେ ବ୍ୟଥା , ଅଗ୍ରାହ୍ୟ ତିକ୍ତତା ,
ଦୋଷ ଦିଅ କାହିଁପାଇଁ ??
ଅମୂଲ୍ୟ ରତ୍ନକୁ ହାରି ତ ସାରିଛି
କେଉଁ ରତ୍ନେ ବିଭୂଷିତ
ହେବି ଭାବୁଅଛ ? ମୁଁ ବରିନେଇଛି
ତୁମ ରୁକ୍ଷ କଷାଘାତ ।
ତୁମ କଷାଘାତ ମୋ' ପାଇଁ ଅମୃତ
ଲୋଡାନାହିଁ ଆଉ କିଛି
ଧଉଳି-ଧବଳ-ଶାନ୍ତିସ୍ତୂପ ସାଜି
ନିରବେ ଜ୍ୱାଳା ପିଉଛି ।
ଅଶାନ୍ତ ଝଡ଼ ମୁଁ ପକ୍ଷାଘାତେ ହୁଏ
ଊର୍ଦ୍ଧ୍ଵମୁଖୀ ଅର୍ଦ୍ଧମୃତ
ମୁଁ ତ ଶାନ୍ତିସ୍ତୂପ ମୋ' ସଂସ୍କୃତି ପାଇଁ
ପିଉଥିବି ପଞ୍ଚାମୃତ ।
ତୁମେ ଅହଂକାର, ତୁମ ବକ୍ଷେ ଅଛି
ଆସ୍ପର୍ଦ୍ଧା, ଅପସଂସ୍କୃତି
ମୁଁ ତ ନୀଳକଣ୍ଠ ବିଷ ପିଉ ପିଉ
ବାଣ୍ଟି ଚାଲିଥିବି ପ୍ରୀତି ।
ସେ ଦିନର ଦସ୍ୟୁ ରତ୍ନାକର ସିନା
ହେଲେ ମହର୍ଷି ବାଲ୍ମିକୀ
ବାଲ୍ମିକୀ ହେବିନି, କବିଟିଏ ହୋଇ
ବଞ୍ଚୁଥିବି ଲେଖି ଲେଖି ।।