ମୃତ୍ୟୁ ବା ଛୁଇଁବ କାହିଁ !
ମୃତ୍ୟୁ ବା ଛୁଇଁବ କାହିଁ !
ହେ ସମ୍ପର୍କ ! ତୁମେ ଧୂମାଭ ହୁଅନା ,
ନୁହଁ ଧୂଳିଧୂସରିତ !
ଅରୁଣ ରଙ୍ଗର ସୂରୁଜ କିରଣେ
ତୁମ ବକ୍ଷ ଆଚ୍ଛାଦିତ !!
ବଉଳ ଫୁଲର ବହଳ ବାସ୍ନାରେ
ସଦା ସଦ୍ୟସୁରଭିତ !
ନିତ୍ୟ ,ସତ୍ୟନିଷ୍ଠ , ବନ୍ଧୁତାବିନିଷ୍ଟ ,
ତ୍ୟାଗରଙ୍ଗେ ସୁଶୋଭିତ !!
ଶୈଶବ ରହିଛି , ଯୌବନ ବି ଅଛି ,
ବାର୍ଦ୍ଧକ୍ୟ ତୁମରି ନାହିଁ !
ବାର୍ଦ୍ଧକ୍ୟ ତୁମକୁ ଛୁଇଁ ପାରିବନି ,
ମୃତ୍ୟୁ ବା ଛୁଇଁବ କାହିଁ !!
ଗଙ୍ଗଶିଉଳିର ଶୁଭ୍ରତା ଆତ୍ମାରେ ,
ଅଙ୍ଗେ ମାର୍ମିକ ମଳୟ !
ତା' ଆୟୁଷ ତୁମେ ବରିବା ବାରଣ,
ତୁମେ ପରା ମୃତ୍ୟୁଞ୍ଜୟ !!
ହେ ସମ୍ପର୍କ ! ରୁହ ନିହାତି ସତର୍କ
ହୀନମନ୍ୟ ସ୍ୱାର୍ଥ ଠାରୁ !
ତୁମରି ନିରୀହ କଅଁଳ ପାଖୁଡା
ନ ଜଳୁ ସ୍ୱାର୍ଥ ଦାଉରୁ !!
<
br>
ସ୍ୱାର୍ଥର ସମ୍ପର୍କ ନୁହେଁ ଚିରସ୍ଥାୟୀ ,
ପ୍ରହେଳିକା ପରିପୂର୍ଣ୍ଣ !
ଅଳ୍ପଦିନେ ତା'ର ଡୋରି ଛିଣ୍ଡିଯାଏ ,
ବନ୍ଧନ ହୁଏ ବିବର୍ଣ୍ଣ !!
ପଳାଶ ଫୁଲର ଆକର୍ଷଣ ପରି
ଅଳ୍ପେ କରେ ଆକର୍ଷିତ !
ଆତ୍ମୀୟତା ଗର୍ଭେ ଅନ୍ତର୍ଘାତୀ ସାଜି
କରିଦିଏ ମର୍ମାହତ !!
ହେ ସମ୍ପର୍କ ! ତୁମେ ସଂକୀର୍ଣ୍ଣ ହୁଅନା ,
ବିସ୍ତୀର୍ଣ୍ଣ ତୁମ ବଳୟ !
ଫୁଲ ପାଖୁଡ଼ାର କଅଁଳ ଶେଯରେ
ଗଠିତ ତୁମ ହୃଦୟ !!
ଲାଗେ ଅବଶୋଷ ତୃତୀୟ ପୁରୁଷ
ସମ୍ପର୍କକୁ କରେ ତିକ୍ତ !
ପରଶ୍ରୀକାତର ହୋଇ ଅହଙ୍କାରେ
ଝରାଏ ନୟନୁ ରକ୍ତ !!
ତୃତୀୟ ପୁରୁଷେ ପ୍ରବେଶାଧିକାର
ଦେବାରେ କି ପ୍ରୟୋଜନ ?
ତୁମରି ହୃଦୟ ତୁମ ହିତାକାଂକ୍ଷୀ ,
ତୁମେ ଯେ ଦିବ୍ୟ ବନ୍ଧନ !!