ଅଜାଙ୍କ ପଖାଳ କଂସା
ଅଜାଙ୍କ ପଖାଳ କଂସା


କାଳ ବୈଶାଖୀଟା ଲୁଟି ନେଇଗଲା
ପଖାଳ ଦିବସ ମଜା !
ଆଈ ସେପଟରେ ସକେଇ ହେଉଛି ,
ଦୁଃଖରେ ବସିଛି ଅଜା !!
ପଖାଳ ଦିବସ ଅଜାଆଈଙ୍କର
ମନ-ମିଳନ-ମୁହୂର୍ତ୍ତ !
ଆଈ ସାଜିଥାଏ ବାସି ତୋରାଣିକୁ ,
ଯା' ପାଇଁ ଅଜା ତୃଷାର୍ତ୍ତ !!
ବିଶ୍ୱରେ ଚାଲିଛି ପଖାଳ ଦିବସ ,
ଦହି ପଖାଳ ଉତ୍ସବ !
ଆଈଙ୍କ ହାତର ସୁଆଦ ଯେ ଭିନ୍ନ ,
ଥାଏ ଅନ୍ତରର ଭାବ !!
ମୋ' ଆଈ ହାତର ତୋରାଣିରେ ଥାଏ
ସୁଆଦ ତୋରାଣି ଟଙ୍କ !
ଭୃସଙ୍ଗ, ଧଣିଆ ପତ୍ର ସଙ୍ଗେ ଲଙ୍କା
ଦେଇ ମାରିଦିଏ ଛୁଙ୍କ !!
କୋଶଳା ଶାଗକୁ ବଡିଚୂରା ସାଥେ
ପୋଡା ବାଇଗଣ ଭର୍ତ୍ତା !
ଚୂନାମାଛ ସଙ୍ଗେ ବିଲାତି ଚଟଣି ,
ଶିଳ ଶିଳପାରେ ବଣ୍ଟା !!
ବାଡ଼ି ଆଡେ ଥିବା ଶାଗ କିଆରୀରୁ
ଆଣିଛି ଓଲି ପିଆଜ !
ଦେଶୀ ପିଆଜର ସୁଆଦ ଅଲଗା ,
ହେଉ ସେ ପଖାଳ ସଜ !!
ଭାବିଥିଲା ଅଜା ଡୁବିଯିବ ଆଜି
ଆମ୍ବ ଅଦାର ବାସ୍ନାରେ !
ଭାବ ଦିଆନିଆ ବିନିମୟ ହେବ
ପଖାଳ କଂସା ଆଳରେ !!
ବୟସଟା ସିନା ସରି ସରିଗଲା ,
ଅଜାର ପ୍ରେମ ଅସରା !
ପଖାଳ ଗୁଣ୍ଡାଏ ଭିତରେ ପାଏ ସେ
ଆଈ ପ୍ରେମର ଇସାରା !!
ଅଜାକୁ କି ଜଣା ଆଜି ଏ ଦିନର
ପଖାଳ ଦିବସ କଥା !
ଆଈର ହାତର ସଜ ତୋରାଣିରେ
ହଜିଛି ଅଜାର ମଥା !!
ସାରା ରାଇଜରେ ପଖାଳର ଚର୍ଚ୍ଚା ,
ଅଜା ଜଣେ ଅଂଶୀଦାର !
ଆଈଙ୍କ ସାଥିରେ ମାତି ଉଠିଛି ସେ ,
ପଖାଳରେ ତା' ନଜର !!
ଓଡିଶାବାସୀଙ୍କ ପ୍ରିୟ , ଅତିପ୍ରିୟ ,
ଓଡ଼ିଆଙ୍କ ଅଭିମାନ !
ଧନୀ ହୁଅନ୍ତୁ ବା ହୁଅନ୍ତୁ ଗରିବ ,
ନ୍ୟୁନ ନୁହେଁ ସ୍ୱାଭିମାନ !!
ଖୁସି ଲାଗେ ଆଜି ଓଡ଼ିଆ ଜାତିର
ପାରମ୍ପରିକ ପଖାଳ !
ଦେଶ ବିଦେଶରେ ତା'ର ପରିଚିତି ,
ଗ୍ରାମରୁ ସହରାଞ୍ଚଳ !!
ଅଜାଙ୍କ ପଖାଳ କଂସାରେ ରହିଛି
ବିଶ୍ଵପ୍ରେମ , ଭାତୃଭାବ !
ସ୍ନେହ, ଶ୍ରଦ୍ଧା , ପ୍ରୀତି ଆଦାନପ୍ରଦାନେ
ଅତୁଳନୀୟ ସଦ୍ଭାବ !!