ପ୍ରୀତିର ବର୍ଷାରେ ଭିଜିଲା ସ୍ମୃତି
ପ୍ରୀତିର ବର୍ଷାରେ ଭିଜିଲା ସ୍ମୃତି
ପେନ୍ଥାଏ ଶବ୍ଦର ସୁରମ୍ୟ ମାଳରେ
ବିପୁଳ ଭାବର ବନ୍ଧନ ଗୁନ୍ଥି !
ପିନ୍ଧାଇ ଦେଲ ଗୋ ମନମିତ ମୋ'ର ,
ପ୍ରୀତିର ବର୍ଷାରେ ଭିଜିଲା ସ୍ମୃତି !!
ଭିଜା ସ୍ମୃତି ବାସେ ବଉଳ ବଉଳ ,
ବହଳ ବହଳ ତାହାରି ବାସ୍ନା !
କାବ୍ୟ-ମାନସୀର ଚିତ୍ର ଆଙ୍କିବାକୁ
କବି ପ୍ରାଣେ ଜାଗେ ଅସୀମ ତୃଷ୍ଣା !!
ମାଟି ଭିଜୁଥିଲେ ମାଟିର ମହକେ
ଭିଜା ଭିଜା ଲାଗେ ଶୁଭ୍ର ଜୋଛନା !
ସ୍ମୃତି ଭିଜିଗଲେ ପ୍ରୀତି ଜୁଆରରେ
ପ୍ରଣୟରେ ଆଣେ ମଧୁ ମୂର୍ଚ୍ଛନା !!
ତୁମରି ଶବ୍ଦର ପ୍ରତିବିମ୍ବ ନାଚେ
ମୋ' କାବ୍ୟ-ସାଗର-ନୀଳ-ଊର୍ମିରେ !
ତା'ର ପ୍ରତିଛବି ଆଙ୍କିବା ଆଗରୁ
ଭିଜି ହଜିଯାଏ ଭାବ ଗର୍ଭରେ !!
ଦୋଷ ନଥାଇ ବି ଜହ୍ନରେ କଳଙ୍କ
ଲଦିଦେବାରେ ଏ ମଣିଷ ସିଦ୍ଧ !
କୁହ ମନମିତ ହେବ କି ବ୍ୟଥିତ
ତୁମ ଶବ୍ଦମାନେ ହେଲେ ଅସିଦ୍ଧ ??
ଅସିଦ୍ଧ କରିବା ଅବଶ୍ୟ ଅସାଧ୍ୟ ,
ଶବ୍ଦ ତ ନୁହନ୍ତି ଅର୍ଥବିହୀନ !
ଜହ୍ନ ଜୋଛନାରେ ମେଞ୍ଚାଏ କଳଙ୍କ ,
ତୁମ ଅଭିଧାନ କଳଙ୍କହୀନ !!
ଶବ୍ଦାଳଙ୍କାରରେ ଆଦ୍ୟ-ବିଭୂଷିତା ,
ଅପଟାନ୍ତର ତା' ଅର୍ଥାଳଙ୍କର !
ଦାର୍ଶନିକତାର ଯଥେଷ୍ଟ ଊର୍ଦ୍ଧ୍ଵରେ ,
ବିଶାଳ ଭାବର ନୀଳ ସାଗର !!
ଶବ୍ଦ-ସୁଗନ୍ଧର ସାହିତ୍ୟ-ଫର୍ଦ୍ଦରେ
ଭାବ-ବନ୍ଧନର ବିଜ୍ଞପ୍ତି ବିଞ୍ଛି !
ଆଙ୍କି ଦେଇଗଲ ଶୁଭ୍ର ସ୍ମରଣିକା ,
ଯଥା ସୂର୍ଯ୍ୟୋଦୟେ ହସଇ ପ୍ରାଚୀ !!
ପ୍ରାରବ୍ଧ ଜ୍ଞାନର ବିମୁଗ୍ଧ ଅଙ୍କରେ
ଶବ୍ଦ-ବିନ୍ନ୍ୟାସର ସିକ୍ତ ସୁରଭି !
କବିପ୍ରାଣେ ଢାଳେ ପୁଳାଏ ପୁଲକ ,
ଯଥା ପଦ୍ମ ଦେହେ ଢାଳଇ ରବି !!
ହେ ଶବ୍ଦ-ସାମ୍ରାଜ୍ଞୀ ! ମୋ' କାବ୍ୟ-କଳ୍ପର
ତୁମେ ମାତ୍ର ମୋ'ର ଆର୍ଦ୍ର କଳ୍ପନା !
ତୁମରି ରୂପର ରୂପକଳ୍ପ କାହିଁ ?
ପ୍ରତିକଳ୍ପ ଖୋଜି ଖୋଜି ପାଏନା !!

