ଆତ୍ମସମ୍ମାନର ଅନ୍ତରାଳେ
ଆତ୍ମସମ୍ମାନର ଅନ୍ତରାଳେ


କହିଦେଇଥିଲେ ଥୋଇଦେଇଥାନ୍ତି
ମୋ' ସମଗ୍ର ସଂକଳନ ,
କାହିଁକି କଲ ଗୋ ! ମୋ' କାବ୍ୟବକ୍ଷରେ
ନ୍ୟସ୍ତସ୍ୱାର୍ଥ-ପ୍ରକ୍ଷାଳନ ?
ମୋ' ଭାବ-ବକ୍ଷର ବିନ୍ଦୁ ବିନ୍ଦୁ ରକ୍ତେ
ମୋ' କବିତା ତେଜସ୍ୱିନୀ ,
ମାନସକନ୍ୟା ସେ ,ମୋ' ଦୁଃଖେ ଦରଦୀ
ମୃଣ୍ମୟୀ , ଅଭିମାନିନୀ !
ବନ୍ଧୁ ପାଇଁ ବନ୍ଧୁ ବଳିଦାନ ଦିଏ
ସ୍ୱାର୍ଥ ତା' ଜାତକେ ନାହିଁ ,
ବନ୍ଧୁ ଭାବିଥିଲି , ମୋ' କାବ୍ୟ-କଳ୍ପକୁ
ଚୋରି କଲ କାହିଁପାଇଁ ?
ଚୋରି କରି ତା'ର ଚାରିତ୍ରିକତାରେ
ଲକ୍ଷେ ତୀକ୍ଷ୍ଣ କ୍ଷତ ଦେଲ ,
ପ୍ରଚ୍ଛଦଚିତ୍ରର ପ୍ରତିବଦଳରେ
ନିଜ ଚିତ୍ର ଥୋଇଦେଲ !
ସେ କାବ୍ୟରେ ଥିଲା ମୋ' ଅଭିମାନର
ବକ୍ଷଭେଦୀ ବୃନ୍ଦାବନ ,
ସଂକୀର୍ଣ୍ଣ ସ୍ୱାର୍ଥର ରୁକ୍ଷ ପରଶରେ
ହରାଇଲା ସ୍ୱାଭିମାନ !
ମହାସାଗରରୁ ବିନ୍ଦୁଏ ଜଳକୁ ,
ନେଇ ନିନ୍ଦନୀୟା ହେଲ ,
ସାଗର ନୟନୁ ଲୋତକ ଝରେନା ,
କେମିତି ବା ଭାବିନେଲ ?
ନିର୍ଜୀବ ହେଲେ ବି ତା' ହୃଦୟେ ଅଛି
କୋମଳ କମନୀୟତା ,
ମାଗିଦେଲେ ଦିଏ ସର୍ବସ୍ୱ ତାହାର
ଲୁଟିନେଲେ ପାଏ ବ୍ୟଥା !
ଜୀବନରେ କେବେ ଅନୁଭବିଛ କି
ହରାଇବାର ଯନ୍ତ୍ରଣା ?
ମୁଁ ଅନୁଭବିଛି ଦରଦୀ ହୃଦୟେ
ନର୍କକୁଣ୍ଡ-ନିର୍ଯାତନା !
ଭାବୁଥିବ ତୁମେ ମୋ' କାବ୍ୟ-କନ୍ୟାକୁ
ସାମାନ୍ୟ କବିତାଟିଏ ,
କବିତା ନୁହଁଇ , ଜ୍ୟୋତିର୍ମୟୀ ସେ ତ ,
ଅନ୍ତରର କଥା କୁହେ !
ମୋ' ଲଳାଟପଟେ ଚିତ୍ରିଚାଲିଥାଏ
ଲକ୍ଷେ ମୃଣ୍ମୟ ମନ୍ଦିର ,
ପ୍ରତି ମନ୍ଦିରର ଗର୍ଭଗୃହେ ଥାଏ
ତା' ସୁରଭିତ ସଂସ୍କାର !
ହସ ବାଣ୍ଟିବାକୁ କର୍ଦ୍ଦମ-କୃପଣ
ଲୁହ ଦେବାରେ ପ୍ରବୀଣ ,
ଲୁହର ବି ଥାଏ ନୀତି-ନୈତିକତା ,
ଅଜସ୍ର ଆତ୍ମସମ୍ମାନ !
ଆତ୍ମସମ୍ମାନଠୁ ବଡ଼ ନୁହେଁ , ବନ୍ଧୁ !
ମିଛିମିଛିକା ପ୍ରଶଂସା ,
ମୂଲ୍ୟହୀନ ସ୍ୱାର୍ଥସାଧନ ଇଚ୍ଛାରେ
ହେବା କିମ୍ପା ଲୋକହସା ?
ସାହିତ୍ୟ କେବେ ବି ସ୍ୱୀକୃତି ଦିଏନି
ତା' ପୃଷ୍ଠରେ ପ୍ରତାରଣା ,
ବରଂ ଭରିଦିଏ ସଂସ୍କାର ନାମରେ
ପ୍ରାରବ୍ଧ ପରିମାର୍ଜନା !
ହେ , ବନ୍ଧୁ ! ଆଗକୁ ଆଶା କରିବିନି
ଏହାର ପୁନରାବୃତ୍ତି ,
ବରଂ ବରଣୀୟ ସାଷ୍ଟାଙ୍ଗ ସଂଭ୍ରମ
ଶିଖିବାର ମନୋବୃତ୍ତି !