କବିଟିଏ
କବିଟିଏ
କବିଟିଏ ମୁଁ କବିଟିଏ
ମନେ ଧରି ରଙ୍ଗ ତୂଳିଟିଏ
ଆଙ୍କିବାକୁ ଚାହେଁ ସରସ ସୁନ୍ଦର
ଜୀବନର ପ୍ରତିଛବି ଟିଏ ।
ସଞ୍ଜୀବେ ତଲ୍ଲୀନେ ମୋ ଭାବକଳ୍ପରେ
ସ୍ୱଚ୍ଛନ୍ଦେ ସ୍ୱସ୍ତିକେ ଜଗତ ପ୍ରଚଳେ
ନ ଥାଏ କୌଣସି ବାଧା ଓ ବନ୍ଧନ
ମିଛ ମାୟା ଦ୍ୱେଷ ହିଂସା ପ୍ରଲୋଭନ
ମରଣଲୋକରୁ ସରଗପୁରୀକୁ
ସଳଖେ ପଥଟି ଲମ୍ବିଥାଏ ।
କବିଟିଏ ମୁଁ .....
ଅନ୍ତର ମନରେ ହୃଦ ସହସ୍ରାରେ
ଶାନ୍ତି ଶତଦଳ ବିକଶେ ସୁନ୍ଦରେ
ଚକ୍ର ବିଶୁଦ୍ଧରେ ପ୍ରିୟ ଓ ମଧୁରେ
ସତ୍ୟ ସୁଧା ନୀର ଅବାଧେ ନିର୍ଝରେ
ସଚ୍ଚିଦାନନ୍ଦ ସ୍ୱର୍ଣ୍ଣାଭ କିରଣେ
ଉଏଁ ବିବେକର ରବିଟିଏ ।
କବିଟିଏ ମୁଁ ....।।