STORYMIRROR

SARATA KUMAR DAS

Fantasy Others

4  

SARATA KUMAR DAS

Fantasy Others

ପନ୍ଥଶାଳା

ପନ୍ଥଶାଳା

1 min
371


ଅଜଣା ପଥିକ କଣ୍ଟକିତ ପଥ

ଖୋଜେ ମୁଁ ଠିକଣା ନିତି

ବହଳ ଅନ୍ଧାର ନିରୋଳା ମୁହୂର୍ତ୍ତେ

ଗାଏ ଜୀବନର ଗୀତି ।।


ଭଗ୍ନ ପାନ୍ଥଶାଳା ଶୂନ୍ୟ ପାଦଚିହ୍ନ 

ମୁରୁକି ମୁରୁକି ହସେ

ଶୂନ୍ୟ ଚକ୍ରବାଳେ ନୀଡ ଖୋଜୁଥାଏ

ଜହ୍ନ ଯେଉଁଠାରେ ଦିଶେ  ।।


ପାନ୍ଥଶାଳା କେବେ ପଚାରି ବୁଝେନା

କିଏ ନିଜ କିଏ ପର

ରାତି ସରିଗଲେ ଜହ୍ନ ଡୁବିଗଲେ

ଛନ୍ଦ ହରା ହୁଏ ସୁର ।।


ଗୋଧୂଳି ଲଗ୍ନର ସ୍ତୀମିତ ପ୍ରଦୀପେ

ଗଢେ ମୁଁ କୋଣାର୍କ ନିତି

ଘନ ଅନ୍ଧକାରେ ଇଛା ହୁଏ କେତେ

ଗାଇବାକୁ ପ୍ରୀତିଗୀତି  ।।


ରିକ୍ତ ଅଭିଳାଷ ସିକ୍ତ ଅନୁଚିନ୍ତା 

କେବେ ହସ କେବେ ଲୁହ

କେବେ ଘର ତୋଳେ ଲବଙ୍ଗଦ୍ବୀପରେ 

କେବେ ଭାଙ୍ଗିଯାଏ ମୋହ ।।


ସମୟ ଛାତିରେ ପାଦ ଥାପି ଯେବେ

ଯାଏ ମୁଁ ଆଗକୁ ଚାଲି

ମୋ ଆଖି ଆଗରେ ବୁଣି ହୋଇଯାଏ

ମରୁର ଉତ୍ତପ୍ତ ବାଲି  ।।


ହାତ ଠାରି ଡାକେ ସୁନୀଳ ଆକାଶ

ପଥ କାଢି ମୋତେ ନିଏ

ଅଧାବାଟେ ମୋର ଠିକଣା ହଜାଏ

ପଥ ମୋ ବିପଥ ହୁଏ ।।


ଶୂନ୍ୟରୁ ଶୁଭଇ ବଂଶୀର ମୂର୍ଚ୍ଛନା

ଶିହରିତ ହୁଏ ମନ

ଅଦିନ ଝଡରେ ଭାଙ୍ଗିଯାଏ ସ୍ବପ୍ନ 

ସିକ୍ତ ହୁଏ ଆଖି କୋଣ  ।।


ଭାଗ୍ୟରେଖା ମୋର ହୁଏ ବିପରୀତ 

ମାନଚିତ୍ର ହୁଏ ଭିନ୍ନ

ଘୂରିବୁଲୁଥାଏ ନିର୍ଜନଦ୍ବୀପରେ 

ସନ୍ତୁଳିତ ହୁଏ ପ୍ରାଣ  ।।


ଅମା ଅନ୍ଧକାରେ ଖୋଜେ ନିତି ଦୀପ୍ତି  

ପାପ ନଦୀ ତୀରେ ପୁଣ୍ୟ 

ପାନ୍ଥଶାଳାର ନିବୁଜ ଛାତିରେ

ଖୋଜେ ନିତି ପାଦଚିହ୍ନ ।।


ବର୍ଷ- ମାସ-ଦିନ-ଦଣ୍ଡ ଗଡି ଚାଲେ

ଆୟୁରେଖା ହୁଏ କ୍ଷୀଣ

ସକାଳର ସୂର୍ଯ୍ୟ ହୁଏ ପଥହରା

ଲୁହ ଝାରେ କୁଞ୍ଜବନ  ।।


ଦିବାସ୍ବପ୍ନ ଯେତେ ଅଚିରେ ଭାଙ୍ଗଇ

ଜହ୍ନ ଲୁଚିଗଲା ପରେ

ପାଦଶବ୍ଦ ସବୁ ଅସ୍ପଷ୍ଟ ଲାଗଇ

ଦୁନିଆର ବୁକୁ ପରେ  ।।


ବେଳାଭୂଇଁ କାନ୍ଦେ ଗୁମୁରି ଗୁମୁରି

ଆଂଜୁଳିରେ ଭରେ ଲୁହ

ଘୁଞ୍ଚି ଯାଏ ଯେବେ ନୀଳ ପାରାବାର 

ମନ ତଳେ ଉଠେ କୋହ  ।।


ସୁଗନ୍ଧ କସ୍ତୁରୀ ଅପହଂଚ ଲାଗେ

ଲିଭେ ଅଖଣ୍ଡ ଦୀପାଳି 

ଝାପ୍ସା ଝାପ୍ସା ଲାଗେ ଇନ୍ଦ୍ରଧନୁ ରଙ୍ଗ

ଅସ୍ପଷ୍ଟ ଲାଗେ କାକଳି  ।।


ରାଗ, ଅନୁରାଗ ,ମାନ, ଅଭିମାନ

ହିଂସା, କ୍ରୋଧ ,ଅପମାନ

ଈର୍ଷା, ଅହମିକା, ଧନ, ଆଭିଜାତ୍ୟ

ମିଥ୍ୟା ପୁଣି ମୂଲ୍ୟହୀନ  ।।


ମୁଠାଏ ପାଉଁଶ ଜୀବନର ସତ୍ୟ 

ସତ୍ୟ ପୁଣି ଅନ୍ଧକାର

କ୍ଷଣିକ ଅଳିକ ଅହଙ୍କାର ଯେତେ

ଲାଗେ ନିଃଶ୍ବାସ ଅସାର  ।।


ଗୋଟିଏ ରାତିର ରଜନୀଗନ୍ଧା ମୁଁ 

ଫୁଟିଛି ରାତିକ ପାଇଁ 

ଗୋଟିଏ ଦିନର ଅତିଥି ମୁଁ ଯେ

ହିସାବ ମୋ ଲୋଡା ନାହିଁ ।।


ଯିବା ଆସିବାର ଅପୂର୍ବ ପାର୍ବଣ 

ମନ ହୁଏ ରୋମାଞ୍ଚିତ 

ଜୀବନ ବୀଣାର ବେସୁରା ଝଂକାର

ପ୍ରାଣ ହୁଏ ଶିହରିତ   ।।


ପାନ୍ଥଶାଳାର ପୁଣ୍ୟ ବୁକୁପରେ

ଲେଖା କେତେ ଦଃଖ ସୁଖ

ସ୍ମୃତି ବିସ୍ମୃତିର ମହକରେ ଭିଜେ

ବର୍ଷା-ବସନ୍ତ-ବୈଶାଖ   ।।


ଯଜ୍ଞଶାଳା ହୁଏ ଆଖୋଜା ଅଲୋଡା

ସରିଗଲେ ପୂର୍ଣ୍ଣାହୁତି

କେତେ ଚିହ୍ନାମୁହଁ ଅଚିହ୍ନା ଲାଗନ୍ତି 

ଖୋଜେ ଯାହା ଟିକେ ପ୍ରୀତି  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy