ବୟସର ବାସ୍ନା
ବୟସର ବାସ୍ନା


ବୟସ ବାସ୍ନାରେ ବିଭୋର ହୋଇ ମୁଁ,
ଭୁଲିଛି ତୁମକୁ ପ୍ରଭୁ
କେତେ ଜନ୍ମ ପୁଣ୍ୟ ଦୁର୍ଲଭ୍ୟ ଜନମ,
ପାଶୋରି ଦେଇଛି ସବୁ ।
ଏନ୍ତୁଡ଼ି ଶାଳରୁ ମଶାଣୀର ନିଆଁ,
ଅଢେଇ ଦିନର ବାଟ
ଦେହ ପଞ୍ଜୁରୀରେ ବୟସ ଚଢେଇ,
ଲଗେଇଛି କେତେ ନାଟ ।
ବାଲ୍ୟ ଚପଳତା କୈଶୋର ଦୁଷ୍ଟାମୀ,
କେତେବେଳେ ଚାଲିଗଲା
ଉଦ୍ଦାମ ଯୌବନ ସପନ ସଜେଇ,
ଅପଥକୁ ଟାଣିନେଲା ।
ମୋର ମୋର କହି ହୋଇଗଲି ବାଇ,
ଭୁଲିଲି ଜୀବନ ପଥ
ବହଳ ଗହନ ଅନ୍ଧାର ରାତିରେ
ପାଉ ନାହିଁ ଆଜି ବାଟ ।
ଏହି ଜୀବନକୁ କି ଅବା ଭରଷା,
ଆଜି ଅଛି ଆଜି ନାହିଁ
ବହୁରଙ୍ଗୀ ପକ୍ଷୀ ଜୀବନ ଆକାଶେ,
ମିଠା ଗୀତ ଗାଉନାହିଁ ।
ନିଟୋଲ ବୟସ ବାସ୍ନାରେ ହଜିଛି,
ପାହାଡ଼ୀ ଝରଣା ହସ
ନୀଳକଇଁ ସାଜି ପ୍ରୀତି ସରସୀରେ,
ଖୋଜିଛି ମୁଁ ମଧୁମାସ ।
ଜହ୍ନକୁ ଦେଇଛି ଗୋଲାପି ଚିଠିଟି,
ଲୁହରେ ବତୁରା ହସ
ତାରା ଫୁଲ ମେଳେ ଚନ୍ଦ୍ରିକା ରାତିରେ,
କୁରେଇ ଫୁଲର ଵାସ *ଲ।
ଏକା ଆସିଥିଲି ଏକା ଏକା ଯିବି,
ନଥିବେ ସାଥିରେ କେହି
ରାମ ନାମ ସତ୍ୟ ଆଉ ସବୁ ମିଥ୍ୟା,
କାନେ ଦେଉଥିବେ କହି ।
ହଜିଛି ଠିକଣା ଦେଉଛି ଯାତନା,
କେଉଁଠୁ ଆସିଛି କେବେ
କୃଷ୍ଣଚୁଡା ରଙ୍ଗ ବୟସ ବୃକ୍ଷରେ,
ଲାଲିମା ଦେଖିକି ଭାବେ ।
p>
କାହିଁକି ଆସିଛି ଦୁନିଆ ବୁକୁରେ,
ନେବା ପାଇଁ କିସ ଅଛି
ଜୀବନ ପକ୍ଷୀଟା ଉଡ଼ିଗଲା ବେଳେ,
ନେବ ପୁଣ୍ୟଫଳ ବାଛି ।
ବୟସ ସାୟାହ୍ନେ ଅଗ୍ନିର ପରୀକ୍ଷା,
ଟାଣିଛି ଲକ୍ଷ୍ମଣରେଖା
ହେମହରିଣୀର ମାୟାର ଅଞ୍ଜନ,
ଆଖିତଳେ ଦିଏ ଦେଖା ।
ବୟସର ବାସ୍ନା ଦୂରେଇ ଦେଇଛି,
ମୁକତି ପଥର ଦ୍ୱାର
ଭୁଲିଛି ଏ ମନ ଜଗତସାଇଁଙ୍କୁ,
ନର୍କ ପଥେ ଏ ଜୀବନ ।
ଦୟାର ସାଗର କରୁଣାର ଧାର,
ଚାରିଧାମ ଚାରିଦ୍ୱାରେ
ମୋକ୍ଷ ରାଜରାସ୍ତା ଲମ୍ବିଅଛି ପରା,
ପ୍ରଭୂ ତୁମ ସ୍ୱର୍ଗଦ୍ୱାରେ ।
ତୁମେ ନାଦବ୍ରହ୍ମ,ତୁମେ ଦାରୁ ବ୍ରହ୍ମ,
ତୁମେ ପୁଣି ପରଂବ୍ରହ୍ମ
ଶୂନ୍ୟ ବ୍ରହ୍ମ ତୁମେ ପୂର୍ଣ୍ଣବ୍ରହ୍ମ ତୁମେ,
ତୁମେ ହେ ପୁରୁଷୋତ୍ତମ ।
ବ୍ରହ୍ମାଣ୍ଡ ତୁମର ପାଦତଳେ ପ୍ରଭୂ,
ବ୍ରହ୍ମଜ୍ୟୋତି ନୀତି ଜଳେ
ବ୍ରହ୍ମକୁ ଚିହ୍ନିଲେ ବ୍ରହ୍ମକୁ ଭଜିଲେ,
ଜୀବକୁ ମୁକତି ମିଳେ ।
ପବନ ଓ ମାଟି ପାଣିରୁ ଆକାଶ,
ଅଗ୍ନି ରୁହେ ସାଥୀ ହୋଇ
ପଞ୍ଚଭୂତ ଏହି ମଣିଷ ଶରୀର,
ଯାଏ ଶୂନ୍ୟରେ ମିଳେଇ ।
ତନ ଜଳିଯାଏ ଆତ୍ମା ଉଡ଼ିଯାଏ,
ମଉଳେ ବୟସ ବାସ୍ନା
ସମୟରୁ ଯଦି ବାଟରେ ଚାଲିବା,
ହୋଇବ କରୁଣା ବର୍ଷା ।
ଆସିବ ସକାଳ ସୂରୁଜ ଉଇଁବ,
ମହକିବ ପାରିଜାତ
ବୟସ ଦେଉଳେ ବାସନା ଖେଳିବ,
ଚିନ୍ତିଲେ ଜଗତନାଥ ।।