ଝଲ୍ ମଲ୍ ପ୍ରେମ
ଝଲ୍ ମଲ୍ ପ୍ରେମ
ଆଗୋ ପ୍ରୀୟା ଗୋରା ଚାନ୍ଦ ମୁହିଁ
ପଶ୍ଚିମ ଆକାଶୁ ସଞ୍ଜ ଆସେ ନଇଁ ନଇଁ
ପ୍ରତିକ୍ଷାର ଦିନ ସରୁନାହିଁ
ଝଲ୍ ମଲ୍ ପ୍ରେମ ବାଟବଣା ତୋରି ପାଇଁ।
ଦିବସର ଶେଷ ହେଲା ଆସି
ନୀଡ ବାହୁଡା ବିହଙ୍ଗ ନୀଡେ ଫେରିଲେଣି
ପ୍ରୀତି ରଙ୍ଗେ ମନ ଯାଏ ହଜି
ଝଲ୍ ମଲ୍ ପ୍ରେମ ଖୋଜେ ସାଥୀ ତୁମ ପରି।
ଆଗୋ ସଖୀ ମନର ପ୍ରେୟସୀ
ଆଉ କିଛି କ୍ଷଣେ ଚନ୍ଦ୍ରାଲୋକ ଯିବ ଝଲସି
କଥା ଦେଇ କଥା ରଖିଲନି
ଝଲ୍ ମଲ୍ ପ୍ରେମ ଆମର ହେଲା ଉଦାସି।
ଆଜି ଏ ଜ୍ଯୋସ୍ନା ବିଧୌତ ନିଶି
ଗାଆଁ ମୁଣ୍ଡ ପଦୁଅଁ ଫୁଲ ଭରା ସରସୀ
ଅପଲକ ନେତ୍ରେ ଖୋଜୁଛନ୍ତି
ଝଲ୍ ମଲ୍ ପ୍ରେମର ଉପେକ୍ଷିତ ସ୍ବୀକୃତି ।
ଆଗୋ କୋଟି ରତି ରୂପ ଜିଣା
ସୁଭାଷିନୀ ଚମ୍ପା ଚାମେଲି ବାସ ଲଳନା
ମୃଗ ନୟନି ମୋ ମନ କିଣା
ଝଲ୍ ମଲ୍ ପ୍ରେମେ କେହି ନୁହଁ ତୁମ ଶୋଭା।
ହେ ମୋର ପ୍ରୀୟା ଜୀବ ଜୀବନ
ମୁଁ ହେଲେ ପିଣ୍ଡ ତୁମେ ମୋର ନିଥର ପ୍ରାଣ
ଦଣ୍ଡେ ନ ଦେଖିଲେ ତୁମ ମୁହଁ
ଝଲ୍ ମଲ୍ ପ୍ରେମ ଅଧୁରା ଯେ ସାରାଦିନ।
ବିଛୁରିତ ତବ କେଶ ବାସ
ପ୍ରୀତି ପ୍ରଣୟର ମନମୋହକ ଉଛ୍ଛାସ
କଳସି ଧରି ତୁମେ ଯେବେ ଆସ
ଝଲ୍ ମଲ୍ ପ୍ରେମରୁ ଝରେ ଖୁସିର ପୀୟୂଷ।
ସାଥୀ ଗୋ ମଥା ରଖି ମୋ କାନ୍ଧେ
ଅଳସ ଭାଙ୍ଗି ଯାଅ ସେ ନିଆରା ସପନେ
ଆଖି ଖୋଲି ଦେଖ ଯେବେ ମୋତେ
ଝଲ୍ ମଲ୍ ପ୍ରେମ ବିଛୁରି ଯାଏ ନିଦାଘେ ।
ରାଇ ଗୋ ତୁମ ପ୍ରେମେ ବନ୍ଧା ମୁଁ
ତୁମ ବିନା ଦୁନିଆଟା ଶୂନ୍ୟ ଲାଗେ ସବୁ
ମନ ଅଧିର ପ୍ରୀତି ଲଭିବାକୁ
ଝଲ୍ ମଲ୍ ପ୍ରେମ ବେଳେବେଳେ ଲାଗେ ମଧୁ।
ଦେହାତୀତ ପ୍ରେମ ଅନାବିଳ
ପ୍ରୀତିରଙ୍ଗେ ରଙ୍ଗାୟୀତ ସ୍ନେହବୋଳା ପ୍ରେମ
ଭୀତି ରେ ପ୍ରୀତି କରି କି ଲାଭ
ଝଲ୍ ମଲ୍ ପ୍ରେମ ଆତୁରେ ବିଳପୁ ଥିବ ।
ମିତ ଗୋ କାହିଁ ଲଗାଅ ପ୍ରୀତି
ରାତିରେ ଜିଇଁ ସକାଳୁ ମରୁଛି ମୁଁ ନିତି
ଶୟନେ ସପନେ ଭାବେ ଏଠି
ଝଲ୍ ମଲ୍ ପ୍ରେମ ଏମିତି ଅଭୁଲା ସ୍ମୃତି।

