ମୋ ପିଲାଦିନ
ମୋ ପିଲାଦିନ
ବର ଉହୋଳରେ ଦୋଳି ଝୁଲୁଥିଲି
ଗାଇ ଗାଇ ଦୋଳି ଗୀତ,
ସାଙ୍ଗ ସାଥୀ ହେଇ ଅନ୍ତାକ୍ଷରୀରେ
ଡାକି ମକର ସଙ୍ଗାତ | ( ୧)
ମାଟି ହାଣ୍ଡି ଥୋଇ ଖପରା ଖଣ୍ଡରେ
ଭାତ ତରକାରୀ ରନ୍ଧା,
ସଜନା ସାଗକୁ କଣ୍ଟା ବାଇଗିଣି
ଖୋଳିଦେଇ ତଳେ ଖନ୍ଦା | (୨)
କାଚ ବାଟି ଖେଳ ଗେଚା ମରା ସାଥେ
ଚୋର ଚୋରଣୀ ଲୁଚିକାଳି,
ବାଲି ଗଦା ଦେଖି ଇଟା ଗାଡି ଚାଲେ
ଘୁଉଁ ଘୁଉଁ ଶବ୍ଦ ବୋବାଳି | (୩ )
ବର୍ଷା ହେଲେ ଯାଇ ସାରୁ ପତ୍ର ତଳେ
ଲୁଚି ଯାଏ ଛତା କରି,
ନାଲିଆ ସାଧବ ବହୂକୁ ଖୁସିରେ
ଦେଖୁଥାଏ ହାତେ ଧରି | (୪ )
ତାଳ ଗଛେ ବାଈ ଚଢେଇର ଗୀତ
ବସା ଯଦି ଛିଣ୍ଡି ଯାଏ,
ସେ ବସାକୁ ଧରି ଝୁଲା ମୁଣି କରି
ସାହି ସାରା ବୁଲୁଥାଏ | (୬ )
ଛଣ ଘର ଦେଖି ଘର ଚଟିଆଟି
କିଚିରି ମିଚିରି କରେ,
ଛୁପି ଛୁପି ଯାଇ ତା ବସା ଆଗରେ
ହାତ ମାରୁଥାଏ ଧୀରେ | (୭ )
ପଳାସ ପତରେ ସାର୍ଟ ପ୍ୟାଣ୍ଟ ଗୁନ୍ଥି
ପିନ୍ଧୁଥାଏ ସାଥୀମେଳେ,
କାଗଜ ଡଙ୍ଗାରେ ବୋଇତ ବନ୍ଦାଣ
ସତେକି ବଣିଜ କାଳେ | (୮ )
ପାଠ ପଢା ନାଆଁ ଧରିଦେଲେ କେହି
ଲୁଚେ ପାଳ ଭାଡ଼ି ତଳେ,
ଆଉ କେତେବେଳେ ଘଛରେ ଚଢିକି
ଦିନ କଟିଯାଏ ଭଲେ | (୯ )
ଘରକୁ ଆସିଲେ ଛାଟ ଛିଣ୍ଡିଯାଏ
ପଢ଼ି ଯାଇ ନାହିଁ ବୋଲି,
ବହି ବସ୍ତାନି ସାଥେ ବାପା ଟାଣି ଧରି
ବିଦ୍ୟାଳୟ ନିଅନ୍ତି ଠେଲି | (୧୦ )
ରାଗ ରୂଷା ନାହିଁ ମାନ ଅଭିମାନ
ନାହିଁ କେହି ଶତୃ ସମ,
ସର୍ବେ ସାଙ୍ଗସାଥି ହସି ଖେଳି ମିଶି
କଟି ଯାଏ ସବୁଦିନ | (୧୧ )
ଆଜି ମୁଁ ସାଜିଛି ପ୍ରାପ୍ତ ବୟସ୍କଟେ
ପାଉ ନାହିଁ ସେହି ଦିନ,
ସତେକି ହଜିଲା ବୟସର ସାଥେ
ସ୍ମୃତି ଲାଗେ ଆଜି ସ୍ବପ୍ନ | (୧୨ )
