STORYMIRROR

LALIT MOHAN DASH

Horror Classics Inspirational

4  

LALIT MOHAN DASH

Horror Classics Inspirational

ବର୍ଷା ର ଆଗମନ

ବର୍ଷା ର ଆଗମନ

1 min
36


ମେଘ ମେଦୁର ଏ ଗଗନ ଅଙ୍ଗନେ

ଚମକେ ଚପଳା କାହା ଆଗମନେ

ନିଦାଘ ଯାଇଛି ଫେରି

ଆସିଛି ବରଷା ଏମର୍ତ୍ତ୍ୟ ଭୁବନେ

ତପନର ତାପ ହରି    ।।


ମାଟିର ବୁକୁରେ ଆଶା ଅସୁମାରୀ 

ସବୁଜ ସ୍ଵପ୍ନର ଶୀତଳ ଲହରି

ରୂପ ମଧୁ ବିଳାସିନୀ 

ସୃଜନ ଗୀତିର ଲହରିତ ଛନ୍ଦେ

ଶାଶ୍ଵତର ବିରଚନି   ।।


ପହିଲି ଆଷାଢ଼ ବରଷାରେ ଭିଜି

ନବ ପଲ୍ଲବିତ ତରୁଲତା ରାଜି

ଆହା କି ସୁନ୍ଦର ଦିଶେ 

ବର୍ଷା ଭିଜା ଏଇ ଧୂସର ଧରଣୀ 

ନବ ନୀଳିମାରେ ହସେ  ।।


ଶିହରଣ ଭରେ ପ୍ରୀତିସୁଧା ନୀରେ 

ମମତା ବୋଳାଏ ମାଟିର ବୁକୁରେ

ଆନନ୍ଦ ଅମିୟ ଧାରା

ପ୍ରେମ ପୀୟୁଷର ପୀରତି ଅର୍ଘ୍ୟରେ 

ଧରା ସାଜେ ମଧୁକ୍ଷରା   ।।


ଆକାଶ ଅଧରେ କାମନାର ହସ

ପ୍ରକୃତି ରଚିଛି ମିଳନର ରାସ

ଜ୍ଞାନ କୁ ଅଗମ୍ୟ ସିନା  

ପ୍ରେମର ପହିଲି ପୁଲକରେ ଭରା 

ସୃଜନର ସମ୍ଭାବନା    ।।


ଭୂମି ଓ ଭୂମାର ଭରା ଅଭିସାର

ଭାବ ଉନ୍ମେଷ ଏ ପ୍ରେମ ପ୍ରଣୟର 

ଅନ୍ତରଙ୍ଗ ଅନୁବନ୍ଧେ

ପ୍ରୀତି ପୀୟୂଷର ଦିବ୍ୟ ଉପହାର 

ନବ ଯୋଉବନ ଛନ୍ଦେ  ।।


ଶୁଣି ବରଷାର ମଙ୍ଗଳର ଧ୍ଵନି 

ଶୁକ ପିକ ଶାରୀ ହୋଇଲେଣି ତୁନି

ଦର୍ଦୁର ରାବଟି ଶୁଭେ

ରହି ରହି ଶୁଭେ ଅଶନି ନିନାଦ

ସୈାଦାମିନୀ ଶୋଭେ ନଭେ ।।


ପ୍ରେମେ ରୋମାଞ୍ଚିତ କଦମ୍ଵର ମନ

ଫୁଟିଲେଣି କେତେ ପ୍ରୀତିର ପ୍ରସୂନ

ସ୍ଵାଗତ ଗୀତିକା ଗାଇ

ନଦୀ ବନ ଗିରି ପାଦପ ବଲ୍ଲରୀ 

ରୂପର ଉପମା ନାହିଁ    ।।


ମଧୁ ମାଳତୀର ମହୁଆ ମହକ

ମନ ଖୋଜେ ଦୂର ଇପ୍ସିତ ନାୟକ 

ପ୍ରୀତି ରୋମାଞ୍ଚର ବାଣୀ

ଚାରୁ ସୁଷମାର ଲାବଣ୍ୟ ଲହରି

ରୂପସୀ ରସାଳ ଠାଣି  ।।


ମିଳନ ଅଧରେ ତୃଷ୍ଣା ଅଧୀରେ

ପୀୟୂଷ ପ୍ଳାବିନୀ ତଟିନୀ ନିର୍ଝରେ

ପ୍ରତୀକ୍ଷାର ଅନୁଭୂତି 

ଶ୍ୟାମଳ କେଦାର କୁସୁମିତ ହସ‌ 

ଭରା ମଉସୁମୀ ପ୍ରୀତି   ।।


ପ୍ରେମ ପ୍ରଣୟର ଉନ୍ମାଦନା ସୁରେ

ଭୂମି ଓ ଭୂମାର ମହା ମିଳନରେ

ତୁମେ କିଗୋ ପ୍ରୀତି ଛନ୍ଦା

ବରଷା ଗୋତୁମେ ବୁହାଇ ଦେଇଛ 

ଧରାରେ ଅଳକାନନ୍ଦା    ।।


ଅୟି ବସୁମତୀ ଉଦାରତା ପଣ

ଅସରା ଭାବର ଚିର ସମର୍ପଣ

ନିଖିଳର ପ୍ରାଣ ବାହୀ

ଜୀବ ଜଗତର କଲ୍ୟାଣ କାରିଣୀ

ବର୍ଷା ଗୋ ଅମୃତ ମୟୀ  ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror